ଭଦ୍ରକରେ ବୈତରଣୀ ବନ୍ୟାଜଳ: ୨୮ ପଞ୍ଚାୟତରେ ଧାନକ୍ଷେତ ବୁଡ଼ିଲା‌, ଆରଡ଼ିର ୪ ପଞ୍ଚାୟତରେ ପଶିଲା ପାଣି

Advertisment
ଭଦ୍ରକରେ ବୈତରଣୀ ବନ୍ୟାଜଳ: ୨୮ ପଞ୍ଚାୟତରେ ଧାନକ୍ଷେତ ବୁଡ଼ିଲା‌, ଆରଡ଼ିର ୪ ପଞ୍ଚାୟତରେ ପଶିଲା ପାଣି

ଭଦ୍ରକ : ବର୍ଷା ପରିମାଣ କମି ଯାଇଥିଲେ ମଧ୍ୟ ଭଦ୍ରକ ଜିଲ୍ଲାରେ ବନ୍ୟା ବିପଦ ଟଳିନାହିଁ। ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ବୈତରଣୀ ଏବେ ବି ବିପଦ ସଙ୍କେତ (୧୭.୮୩ ମିଟର) ଉପରେ ପ୍ରବାହିତ ହେଉଛି।

ବୁଧବାର ଦିନ ୧୧ଟା ବେଳକୁ ଆଖୁଆପଦାଠାରେ ନଦୀ ଜଳସ୍ତର ୧୮.୩୪ ମିଟର ରହିଥିଲା। ସନ୍ଧ୍ୟା ବେଳକୁ ଜଳସ୍ତର ୧୮.୩୦ ମିଟରକୁ ଖସିଆସିଥିବା ଜଣାପଡ଼ିଛି।‌ ବୈତରଣୀରେ ଆସିଥିବା ବନ୍ୟାଜଳ ଭଣ୍ଡାରିପୋଖରୀ ବ୍ଲକ୍‌ ଅନ୍ତର୍ଗତ କଣ୍ଟି ଏସ୍‌କେପ୍ ଦେଇ ଜନବସତି ଆଡ଼କୁ ପ୍ରବାହିତ ହେଉଛି। ଫଳରେ ନଦୀକୂଳିଆ ଗାଁଗୁଡ଼ିକର ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବ୍ଲକ୍‌ର ୮ଟି ପଞ୍ଚାୟତରେ ବ୍ୟାପକ ଚାଷଜମି ଜଳମଗ୍ନ ହୋଇଛି। ସେହିପରି ଧାମନଗର ବ୍ଲକ ଅନ୍ତର୍ଗତ ୨୦ଟି ପଞ୍ଚାୟତରେ ହଜାର ହଜାର ଏକର ଜମିରେ ବନ୍ୟାଜଳ ମାଡ଼ିଯାଇଛି। ମଲ୍ଲିମାହାରା ଏସ୍‌କେପ୍ ଓ ଗୌରାଙ୍ଗପୁର ଏସ୍‌କେପ୍ ଦେଇ ବନ୍ୟାଜଳ ଚାଷଜମିରେ ପ୍ରବେଶ କରୁଛି। ଧାମନଗର ବ୍ଲକ୍‌ର ଜାହାଙ୍ଗୀର-ଫଳପୁର ରାସ୍ତା ବନ୍ୟାଜଳରେ ବୁଡ଼ି ଯାଇଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଉଭୟ ବ୍ଲକ୍‌ରେ ଧାନଚାଷ ସହ ପନିପରିବା ଚାଷ ସଂପୂର୍ଣ୍ଣ ଉଜୁଡ଼ିଯାଇଛି। ଏଥିସହିତ ଚାନ୍ଦବାଲି ବ୍ଲକ୍‌ ଅନ୍ତର୍ଗତ ଆରଡି, ନାନ୍ଦପୁର, ଓଳଗ, ସୁନ୍ଦରପୁର ଆଦି ପଞ୍ଚାୟତର ବହୁ ଚାଷଜମିରେ ବନ୍ୟାଜଳ ପଶିଥିବା ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe