ବିପଦ ସଂକେତ ତଳକୁ ଖସିଲା ବୈତରଣୀର ବନ୍ୟା ଜଳ  

ବିପଦ ସଂକେତ ତଳକୁ ଖସିଲା ବୈତରଣୀର ବନ୍ୟା ଜଳ  
ଭଦ୍ରକ: ବୈତରଣୀ  ନଦୀର ଜଳ ସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ଆଜି ସକାଳ ଠାରୁ ଜଳ  ସ୍ତର ହ୍ରାସ ପାଇ  ସନ୍ଧ୍ୟା ସୁଦ୍ଧା ୧୭.୪୨ ମିଟର ତଳେ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ବର୍ଷା ନଥିବାରୁ ଜଳ ସ୍ତର କମିଛି। କିନ୍ତୁ ତଳିଆ ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ରାସ୍ତା-ଘାଟ ଓ ଗାଁ ଲୋକଙ୍କ ଘରେ ବନ୍ୟା ଜଳ ପଶିଛି। ଧାନ ଚାଷ ଓ ପନି-ପରିବା ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ଭଣ୍ଡାରିପୋଖରୀ ବ୍ଲକର ୧୨ଟି ପଞ୍ଚାୟତରେ ବ୍ୟାପକ ଧାନ କ୍ଷତି ହୋଇଛି। ମକଦା, ଷୋଳମପୁର, ମନିନାଥପୁର, କଣ୍ଟି, ରଞ୍ଜିତ ଆଦି ଅଞ୍ଚଳର ଲୋକଙ୍କର ବନ୍ୟାରେ କ୍ଷତି ହୋଇଛି।
publive-image
ସେହିପରି ଧାମନଗର ବ୍ଲକର  ୨୨ଟି ପଂଚାୟତର ଧାନ ଚାଷ ଜମି ଉଜୁଡ଼ି ଯାଇଛି। ଗତକାଲି କୋଠାର ରାସ୍ତାରେ ବନ୍ୟା ପାଣି ପଡ଼ିବାରୁ ରାସ୍ତା ବୁଡ଼ି ଯାଇଥିଲା। ଏଇ ଅଞ୍ଚଳର ଲୋକଙ୍କ ଘରେ ଓ ତଳିଆ ଗାଁରେ ବନ୍ୟା ଜଳ ପ୍ରବେଶ କରୁଛି। ତିହିଡି ବ୍ଲକର ବୋଡକ ଅଞ୍ଚଳରେ ବୈତରଣୀ ଜଳ ରାସ୍ତା ବୁଡାଇ ଦେଇଛି। ଏଠାରେ ୧୨ଟି ପଂଚାୟତର ପ୍ରାୟ ୨୦ ହଜାର ହେକ୍ଟର ଚାଷ ଜମିରେ ବନ୍ୟା ପାଣି ପ୍ରବେଶ କରିଛି। ଏଇ ଅଞ୍ଚଳରେ ପନିପରିବା ଚାଷ ଉଜୁଡି ଯାଇଛି। ଅନେକ ଲୋକଙ୍କ ଘରେ ପାଣି ପଡ଼ିଛି।
ଚାନ୍ଦବାଲି ବ୍ଲକର ଆରଡ଼ି-ଯାଜପୁର ରାସ୍ତା ବୁଡ଼ି ଯାଇଥିଲା। ଏଠାରେ ବନ୍ୟା ଜଳ ହ୍ରାସ ପାଇଛି ସିନା ଲୋକଙ୍କ ଦୁର୍ଦ୍ଦଶା କମିନି। ଧୁସୂରି ଅଞ୍ଚଳର ହସନାବାଦ୍ ପଞ୍ଚାୟତର  ଅନଳପୁର ଗାଁରେ ବନ୍ୟା ଜଳ ଆଜକୁ ୩ ଦିନ ହେଲା ପ୍ରବେଶ କରିଛି। ଗାଁ ଦାଣ୍ଡରେ ଆଣ୍ଠେଇ ପାଣିର ସୁଅ ଛୁଟୁଛି। ଲୋକଙ୍କ ଘରେ ପଶିଛି ବନ୍ୟା ପାଣି। ଏଇ ଗାଁର ୭୦ଟି ପରିବାର ପାଣି ଘେରରେ ରହିଛନ୍ତି। ଏମାନଙ୍କର ଅବସ୍ଥା ଖରାପ ହୋଇଥିବା ବେଳେ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି। ଗୃହପାଳିତ ପଶୁ ପକ୍ଷୀ ଉପବାସରେ ଅଛନ୍ତି। ପ୍ରଶାସନ ପକ୍ଷରୁ ସେଭଳି କିଛି ସହାୟତା ଦିଆ ଯାଇନାହିଁ।
ଆଜି ବୈତରଣୀରେ ବନ୍ୟା ଜଳ କମି ଥିବା ବେଳେ ଲୋକେ ସାମାନ୍ୟ ଆଶ୍ୱସ୍ତି ବୋଧ କରୁଛନ୍ତି । ଅନ୍ୟପଟରେ ପୁଣି ଲଘୁ ଚାପ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହା ଲୋକଙ୍କ ଭିତରେ ଭୟ ସୃଷ୍ଠି କରିଛି। ଅଧିକ ବର୍ଷା ହେଲେ ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢିଯିବ। ଚାଷ ଯାଇଛି। ଆଗକୁ ବାସ ଚଳିଗରେ ଲୋକେ ମୁଣ୍ଡ ଗୁଞ୍ଜିବେ କେଉଁଠି ବୋଲି ଭାଳେଣି ପଡିଛି। ବନ୍ୟା ଯୋଗୁଁ ଏଇ ସବୁ ଅଞ୍ଚଳରେ ପିଇବା ପାଣି ଲାଗି ଲୋକେ ଅସୁବିଧାରେ ଅଛନ୍ତି। ନଳକୂପ ସବୁ ପାଣିରେ ବୁଡ଼ିଛି। କିଛି ସ୍ଥାନରେ ନଳକୂପରୁ ମଧ୍ୟ ଲୁଣା ପାଣି ବାହାରୁଛି। ସ୍ବାସ୍ଥ୍ୟ ବିଭାଗ ଏଇ ସବୁ ଅଞ୍ଚଳ ପ୍ରତି ଦୃଷ୍ଟି ଦେବାକୁ ଲୋକେ ଦାବି କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe