୬ ଦିନ ହେଲା ପଛୁଆ ପାଣିରେ ବୁଡ଼ିଛି ମାଳତୀ ପୋଲ, ସମ୍ବଲପୁର-ସୋନପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ

୬ ଦିନ ହେଲା ପଛୁଆ ପାଣିରେ ବୁଡ଼ିଛି ମାଳତୀ ପୋଲ, ସମ୍ବଲପୁର-ସୋନପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ

ସମ୍ବଲପୁର/ଧମା : ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଗୁଣ୍ଡେରପୁରଠାରେ ସମ୍ବଲପୁର-ସୋନପୁର ୧୫ ନମ୍ବର ରାଜ୍ୟ ରାଜପଥରେ ମାଳତୀ ଯୋର ଉପରେ ରହିଛି ସ୍ବଳ୍ପ ଉଚ୍ଚତା ବିଶିଷ୍ଟ ପୋଲ। ଉଭୟ ପାର୍ଶ୍ବରେ ରାସ୍ତା ବେଶ ଉଚ୍ଚ ଥିବାବେଳେ ପ୍ରାୟ ୧୫୦ ମିଟର୍‌ ଲମ୍ବା ପୋଲଟି କିନ୍ତୁ ବେଶ ତଳୁଆ ହୋଇ ରହିଛି। ସେହି କାରଣରୁ ପ୍ରାୟ ପ୍ରତି ବର୍ଷ ବର୍ଷା ଦିନେ ଏହି ପୋଲଟି ଏକାଧିକ ବାର ପାଣିରେ ବୁଡ଼ି ଯାଇଥାଏ। ଏହି ପୋଲ ବୁଡ଼ିବା ମାତ୍ରେ ସମ୍ବଲପୁର-ସୋନପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଏ। ତେବେ ସବୁଠୁ ଅଧିକ ସମସ୍ୟାରେ ପଡ଼ନ୍ତି ମାନେଶ୍ବର ବ୍ଲକ୍‌ର ଧମା ଅଞ୍ଚଳବାସୀ। ଏପରିକି ମହାନଗର ଅଧୀନରେ ଥିବା ମାଳତୀ ଗୁଣ୍ଡେରପୁରବାସୀ ମଧ୍ୟ ମୂଳ ମହାନଗରରୁ ଅଲଗା ହୋଇଯାଆନ୍ତି। ହେଲେ ଏଠାରେ ଏକ ଉଚ୍ଚ ପୋଲ ନିର୍ମାଣ ପାଇଁ ସରକାର କେବେଠୁ ଘୋଷଣା କରିଥିଲେ ବି ସମ୍ବଲପୁରବାସୀଙ୍କୁ ଭଣ୍ଡାଇ ଆସୁଛନ୍ତି।

ହୀରାକୁଦ ବନ୍ଧର ୨୫ଟି ଗେଟ୍‌ ଖୋଲିଲେ ମାଳତୀ ପୋଲ ଉପରେ ପାଣି ଚାଲିଥାଏ। ଗତ ୧୩ ତାରିଖ ମଧ୍ୟାହ୍ନରେ ହୀରାକୁଦର ଅଧିକ ଗେଟ୍‌ ଖୋଲିବା ପରଠାରୁ ଏହି ପୋଲ ପାଣିରେ ବୁଡ଼ି ରହିଛି। ସେଦିନ ଗ୍ରାମାଞ୍ଚଳରୁ ସମ୍ବଲପୁର ସହରକୁ ପାଠପଢ଼ି ଆସିଥିବା ସ୍କୁଲ, କଲେଜ୍‌ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ସରକାରୀ କର୍ମଚାରୀଙ୍କୁ ବି ଘରକୁ ଫେରିବାକୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେମାନେ ମାନେଶ୍ବର ପଟୁ ବୁଲି ବହୁ କଷ୍ଟରେ ଘରକୁ ଫେରିଥିଲେ। ଗୁରୁବାର ହୀରାକୁଦର ୧୨ ଗେଟ୍ ବନ୍ଦ ହେବା ପରେ ବି ଆହୁରି ୨୮ଟି ଖୋଲା ଥିବାରୁ ପୋଲରୁ ପାଣି ଖସି ନାହିଁ। ୬ ଦିନ ହେଲା ଏହି ରାସ୍ତା ଦେଇ ଯାତାୟତ ଠପ୍ ‌ରହିଛି। ଗୁଣ୍ଡେରପୁର, ବତେମୁରା, ସାହାସପୁର, ବରଗାଁ, ହୁମା, ଧମା, ଦେଓଗ‌ାଁ ଅଞ୍ଚଳର ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ସେମାନେ ନିଜ ଦୈନନ୍ଦିନ କାର୍ଯ୍ୟ ପାଇଁ ସହରକୁ ଯାଇଆସି ପାରୁ ନାହାନ୍ତି। ଚାକିରିଆ ଓ ଅନ୍ୟମାନେ ବାଧ୍ୟ ହୋଇ ମାନେଶ୍ବର ଦେଇ ବୁଲି କି ଯାତାୟତ କରୁଛନ୍ତି।

ସମ୍ବଲପୁର-ସୋନପୁର ରାସ୍ତାରେ ମାଳତି ପୋଲ ଉପରେ ଥିବା ଏହି ପୁରୁଣା ସେତୁଟି ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ନିର୍ମିତ ହୋଇଥିଲା। ରେଢ଼ାଖୋଲ ନିର୍ବାଚନମଣ୍ଡଳୀର ତତ୍କାଳୀନ ବିଧାୟକ ଅଭିମନ୍ୟୁ କୁମ୍ଭାରଙ୍କ ଅନୁରୋଧରେ ମୁଖ୍ୟମନ୍ତ୍ରୀ ଆସି ଏହାର ଶୁଭ ଦେଇଥିଲେ। ଏହାର ନିର୍ମାଣକୁ ୩୦ ବର୍ଷରୁ ଅଧିକ ବିତି ସାରିଛି। ହୀରାକୁଦ ଗେଟ୍‌ ଖୋଲିଲେ ମହାନଦୀ ପାଣି ଏହାର ଉପନଦୀ ମାଳତୀରେ ପ୍ରବେଶ କରିଥାଏ ଓ ପଛୁଆ ପାଣିରେ ପୋଲ ବୁଡ଼ି ଯାଇଥାଏ। ପ୍ରାୟ ପ୍ରତି ବର୍ଷ ଏହା ବୁଡ଼ୁ ଥିବାରୁ ଏହା ଉପରେ ଏକ ଉଚ୍ଚ ପୋଲ ନିର୍ମାଣ ପାଇଁ ସରକାରଙ୍କ ତରଫରୁ ଘୋଷଣା କରା ଯାଇଥିଲା। ୨୦୧୯ ଫେବ୍ରୁଆରି ୧ ତାରିଖରେ ସମ୍ବଲପୁର ଗସ୍ତରେ ଆସି‌ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉଚ୍ଚ ସେତୁ ନିର୍ମାଣ ପାଇଁ ଘୋଷଣା କରିଥିଲେ। ଅନେକ ବାହାର ପୂର୍ତ୍ତ ବିଭାଗ ଯନ୍ତ୍ରୀ ଓ କର୍ମଚାରୀ ଯାଇ ଏଠାରେ ନୂଆ ପୋଲ ପାଇଁ ମାପଚୁପ କରିଛନ୍ତି। କିନ୍ତୁ ୩ ବର୍ଷରୁ ଅଧିକ ବିତିଥିଲେ ବି ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ବିଭିନ୍ନ ଯୋଜନାରେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏକ ରାଜ୍ୟ ରାଜପଥ ଉପରେ ଥିବା ଅତି ଜରୁରୀ ପୋଲ ନିର୍ମାଣକୁ ଟାଳି ଆସୁଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe