ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଅତିରିକ୍ତ ସ୍ପିଲୱେ ନିର୍ମାଣକୁ ନେଇ ଅନିଶ୍ଚିତତା ଲାଗି ରହିଛି। ବହୁଦିନର ବ୍ୟବଧାନ ପରେ ଗତ ମାର୍ଚ୍ଚ ମାସରେ ବିଶ୍ବବ୍ୟାଙ୍କ ଓ କେନ୍ଦ୍ର ଜଳ ଆୟୋଗର ପ୍ରତିନିଧି ଦଳ ସମ୍ବଲପୁର ଆସି ହୀରାକୁଦ ଜଳଭଣ୍ଡାରର ବାମ ଓ ଡାହାଣ ଡାଇକ୍, ମୁଖ୍ୟବନ୍ଧ ଅଞ୍ଚଳ ବୁଲିବା ସହିତ ଅତିରିକ୍ତ ସ୍ପିଲୱେ ନିର୍ମାଣସ୍ଥଳ ନିରୀକ୍ଷଣ କରିଥିଲେ। ପ୍ରତିନିଧି ଦଳର ସକାରାତ୍ମକ ଆଭିମୁଖ୍ୟ ସବୁ ମହଲରେ ଅତିରିକ୍ତ ସ୍ପିଲୱେ ନିର୍ମାଣ ନେଇ ଆଶା ସଂଚାର କରିଥିଲ। ତେବେ ୭ ମାସ ଅତିକ୍ରାନ୍ତ ହେବା ପରେ ବି ଏଦିଗରେ ସାମାନ୍ୟତମ ଅଗ୍ରଗତି ଘଟିନାହିଁ।
୧୯୯୭ ମସିହାରେ କେନ୍ଦ୍ର ଜଳ ଆୟୋଗ ଓ ରାଜ୍ୟ ସରାକର ମିଳିତ ଭାବେ ମହାନଦୀରେ ସମ୍ଭାବ୍ୟ ସର୍ବାଧିକ ବନ୍ୟା (ପିଏମ୍ଏଫ୍) ସଂପର୍କରେ ଆକଳନ କରିଥିଲେ। ହୀରାକୁଦ ଜଳଭଣ୍ଡାରରକୁ ଏକ ସଙ୍ଗରେ ୨୪.୫୦ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବେଶ ଆଶଙ୍କା ଥିବା ଏହି ଆକଳନରୁ ଜଣାପଡ଼ିଥିଲା। ବର୍ତ୍ତମାନର ବ୍ୟବସ୍ଥାରେ ଏକସଙ୍ଗରେ ହୀରାକୁଦ ଜଳଭଣ୍ଡାରରୁ ସର୍ବାଧିକ ୧୫ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥା ଥିବାବେଳେ ତାକୁ ୨୫ ଲକ୍ଷ କୁସେକ ପର୍ଯ୍ୟନ୍ତ ବଢ଼ାଇବା ପାଇଁ ଅତିରିକ୍ତ ସ୍ପିଲୱେ ନିର୍ମାଣ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା। ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ସରକାରଙ୍କ ଅନେକ ବ୍ୟାରେଜ୍ ନିର୍ମାଣ ଓ ନିଜ ରାଜ୍ୟର ସୁରକ୍ଷା ପାଇଁ ମନଇଚ୍ଛା ବର୍ଷାଜଳ ନିଷ୍କାସନ ଦୃଷ୍ଟିରୁ ହୀରାକୁଦ ଜଳଭଣ୍ଡାର ପାଇଁ ବିପଦ ବଢ଼ିଛି। ଏଣୁ, କେନ୍ଦ୍ର ଜଳ ଆୟୋଗ ଓ ବିଶ୍ବବ୍ୟାଙ୍କ ସହଯୋଗରେ ରାଜ୍ୟ ସରକାରଙ୍କ ଦ୍ବାରା ଅତିରିକ୍ତ ସ୍ପିଲୱେ ନିର୍ମାଣ ପାଇଁ ରାଜ୍ୟ ସରକାର ୨୦୧୮ ମସିହାରେ ନୂଆ କରି ସ୍ପିଲ୍ୱେ ଡିଭିଜନ୍ ଖୋଲିଥିଲେ। ପ୍ରାଥମିକତା ଭିତ୍ତିରେ ଟେଣ୍ଡର ଆହ୍ବାନ ବି କରାଯାଇଥିଲା।
୩୬୯.୫୩ କୋଟି ଟଙ୍କାରେ ଟେଣ୍ଡର ହାତେଇଥିବା ଟାଟା ଇନ୍ଫ୍ରା ପ୍ରୋଜେକ୍ଟ ଲିମିଟେଡ୍ କିନ୍ତୁ ମାତ୍ର ୧୨ କୋଟି ଟଙ୍କାର କାମ କରିବା ପରେ ଜମି ହସ୍ତାନ୍ତର ପ୍ରକ୍ରିୟା ବିଳମ୍ବ ହେବାର ଆଳ ଦେଖାଇ ୨୦୨୦ ମସିହାରେ ଏହି ପ୍ରକଳ୍ପରୁ ଓହରି ଯାଇଥିଲା। ଏହାପରେ ଜଳସଂପଦ ବିଭାଗ ସିଧାସଳଖ ଟେଣ୍ଡର ନଡାକି ନଭେମ୍ବର ୨୦୨୧ରେ ଓଡ଼ିଶା ନିର୍ମାଣ ନିଗମ (ଓସିସି)କୁ ଅତିରିକ୍ତ ସ୍ପିଲୱେ ନିର୍ମାଣ ଦାୟିତ୍ବ ନ୍ୟସ୍ତ କରିଥିଲା। ପ୍ରକଳ୍ପ କାମ ବିଳମ୍ବ ହେବା ଓ ନିର୍ମାଣ ଖର୍ଚ୍ଚ ବଢ଼ୁଥିବାରୁ ବ୍ୟୟ ଅଟକଳ ୩୬୯.୫୩ କୋଟି ଟଙ୍କାରୁ ବଢ଼ି ୬୨୪.୩୮ କୋଟି ଟଙ୍କାରେ ପହଞ୍ଚି ଥିଲା। ମାଟି କେନାଲ ଜାଗାରେ ସିମେଣ୍ଟ କଂକ୍ରିଟ କେନାଲ ନିର୍ମାଣ ପ୍ରସ୍ତାବ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ବ୍ୟୟ ଅଟକଳ ୭୮୬ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ତେବେ, ବିଶ୍ବବ୍ୟାଙ୍କ ଓ କେନ୍ଦ୍ର ଜଳ ଆୟୋଗ ଟିମ୍ର ଗସ୍ତ ସମୟରେ ଏହି ବ୍ୟୟ ଅଟକଳ ୮୮୪ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଇତିମଧ୍ୟରେ ଏହି ପ୍ରକଳ୍ପ ନିର୍ମାଣ କାମ ବନ୍ଦ ହେବାକୁ ପ୍ରାୟ ୫ ବର୍ଷ ହୋଇଯିବ। ଟାଟା ଇନ୍ଫ୍ରା ପ୍ରୋଜେକ୍ଟ ଲିମିଟେଡ୍ ଯେତିକି କାମ କରିଥିଲା, ସେତିକିରେ ହିଁ ପଡ଼ି ରହିଛି। ଇତିମଧ୍ୟରେ ଅତିରିକ୍ତ ସ୍ପିଲୱେ ନିର୍ମାଣ ପାଇଁ ହୀରାକୁଦ ସହରର ଫାଷ୍ଟ ଗ୍ୟାପ୍, ରିରୋଲିଂ ମିଲ୍ ଏରିଆ, କେବୁଲ୍ କଲୋନି, ପ୍ରେମନଗର, ଗାନ୍ଧୀନଗର, ଲକ୍ଷ୍ମୀନଗର, ଗୁଜାତଳ ଆଦି ଅଞ୍ଚଳର ୧୪୧୫ ପରିବାର ବିସ୍ଥାପିତ ହେବାକୁ ଥିବାବେଳେ ଜମି ଅଧିଗ୍ରହଣ ପ୍ରକ୍ରିୟା ପ୍ରାୟତଃ ଶେଷ ପର୍ଯ୍ୟାୟରେ ରହିଛି। ଏ ସଂକ୍ରାନ୍ତରେ ଅତିରିକ୍ତ ସ୍ପିଲୱେ ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀ ତଥା ହୀରାକୁଦ ବନ୍ଧର ଭାରପ୍ରାପ୍ତ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ବେହେରାଙ୍କୁ ପଚାରିବାରୁ ସେ କହିଲେ, ଏହି ପ୍ରକଳ୍ପ ପାଇଁ ବିଶ୍ବ ବ୍ୟାଙ୍କ ସହିତ ଏକ ଚୁକ୍ତି ହେବାକୁ ଯାଉଛି। ଏଥି ସହିତ କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ଅତିରିକ୍ତ ସ୍ପିଲୱେର ନୂଆ ଡିଜାଇନ୍କୁ ଅନୁମୋଦନ ମିଳିବା ବାକି ରହିଛି। ଅନୁମୋଦନ ମିଳିବା ପରେ ଟେଣ୍ଡର ଆହ୍ବାନ କରାଯିବ ବୋଲି ଇଂ. ବେହେରା କହିଛନ୍ତି।
Follow Us