ବାଲିପାଟଣା/ବାଲିଅନ୍ତା : କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ ନଦୀରେ ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ଗତ ରାତିରୁ ଏହି ତିନି ନଦୀ ବିପଦ ସଂକେତ ତଳେ ବହୁଛି। ତେଣୁ ବନ୍ୟା ଭୟ ହ୍ରାସ ପାଇଛି। ମାତ୍ର ଧନୁଆ ନଈର ବନ୍ୟା ପ୍ରକୋପ ଥମିବା ନାଁ ଧରୁନାହିଁ। ଧନୁଆ ନଈରେ ବନ୍ୟା ପାଇଁ ଏବେ ବି ବାଲିପାଟଣା ବ୍ଲକର ୬ ପଞ୍ଚାୟତ ବନ୍ୟାଜଳ ଘେରରେ ରହିଛି। ପ୍ରାୟ ୧୦ ହଜାରରୁ ଅଧିକ ଲୋକ ବଡ଼ କଲବଲ ଅବସ୍ଥାରେ ଅଛନ୍ତି। ପ୍ରଶାସନ ଓ ବିଭିନ୍ନ ସଂଗଠନ ପକ୍ଷରୁ ମିଳୁଥିବା ଖାଦ୍ୟ ଲୋକଙ୍କ ଜୀବନ ରଖିଛି। ଆଗକୁ ପୁଣି ଲଘୁଚାପ ଆସୁଥିବାରୁ ଏସବୁ ଅଞ୍ଚଳରେ ଲୋକଙ୍କ ଭିତରେ ପୁଣି ଭୟର ବାତାବରଣ ସୃଷ୍ଟି ହୋଇଛି।
ଜଳସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ ଏବେ କୁଶଭଦ୍ରା ନଦୀରେ ଜଳପତ୍ତନ ୧୭.୬୦ ମିଟର ରହିଛି। ଏହାର ବିପଦସଂକେତ ୧୮.୨୫ ମିଟର। ସେହିଭଳି ଭାର୍ଗବୀ ଓ ଦୟା ନଦୀରେ ମଧ୍ୟ ଜଳସ୍ତର ପ୍ରାୟ ୨ଫୁଟ୍ ପର୍ଯ୍ୟନ୍ତ ହ୍ରାସ ପାଇଛି। କିନ୍ତୁ କୁଶଭଦ୍ରା ଓ ଭାର୍ଗବୀରୁ ବନ୍ୟା ଜଳ ଧନୁଆ ନଈକୁ ବହିବା ବନ୍ଦ ହୋଇନାହିଁ। ବଇଁଚୁଆ କାଜ ଓ ଅଚ୍ୟୁତପୁର କାଜ ଦେଇ ବନ୍ୟା ଜଳ ଧନୁଆ ନଈରେ ପଶୁଛି। ଫଳରେ ବାଲିପାଟଣା ବ୍ଲକ୍ର ରାଜସ, ପମ୍ପାଲୋ, ଆଳିସି, କୁରୁଞ୍ଜିପୁର, ତୁରିନ୍ତିରା ଓ ସୋମଣାଶାସନ ପଞ୍ଚାୟତରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଗାଁ ଦାଣ୍ଡରେ ଏବେ ବି ବନ୍ୟା ସୁଅ ପଡ଼ିଛି। ଲୋକଙ୍କ ଘରେ ପାଣି ଜମି ରହିଛି। କଚାଘର କାନ୍ଥ ଭୁଶୁଡ଼ିବାକୁ ବସିଲାଣି। ତେଣୁ ଲୋକେ ଗାଈବଳଦଙ୍କୁ ଗୁହାଳକୁ ଫେରାଇପାରୁନାହାନ୍ତି। ଘରେ ଚୁଲି ଜଳୁନଥିବାରୁ ପ୍ରଶାସନ ଓ ବିଭିନ୍ନ ସଂଗଠନର ହାତଟେକାକୁ ଲୋକେ ଚାହିଁବସୁଛନ୍ତି। ଆଜି ୧୮ ଗାଁରେ ପ୍ରାୟ ହଜାରେ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା। ତେବେ ଗୋସମ୍ପଦଙ୍କ ପାଇଁ କିଛି ମିଳୁନଥିବାରୁ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।
Follow Us