ସୁନାବେଡ଼ା ଅଭୟାରଣ୍ୟରେ ଜଳାଭାବ: ଗାଁମୁହାଁ ତୃଷାର୍ତ୍ତ ବନ୍ୟପ୍ରାଣୀ

ସୁନାବେଡ଼ା ଅଭୟାରଣ୍ୟରେ ଜଳାଭାବ: ଗାଁମୁହାଁ ତୃଷାର୍ତ୍ତ ବନ୍ୟପ୍ରାଣୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ଏବେ ପାନୀୟଜଳର ଘୋର ଅଭାବ ଦେଖାଦେଇଛି। ଝରଣା, ନଦୀ ନାଳ ସବୁ ଶୁଖି ଯାଇଥିବାରୁ ଅଭୟାରଣ୍ୟ ଭିତରେ ପାଣି ମୁନ୍ଦାଏ ପାଇଁ ବନ୍ୟପ୍ରାଣୀମାନେ ଡହଳବିକଳ ହେଉଛନ୍ତି। ଶେଷରେ ତୃଷାର୍ତ୍ତ ବନ୍ୟପ୍ରାଣୀମାନେ ଗାଁମୁହାଁ ହେଉଥିବା ଦେଖିବାକୁ ମିଳୁଛି। ବନ୍ୟପ୍ରାଣୀମାନେ ପାଣି ‌ଅନ୍ବେଷଣରେ ଜଂଗଲର ତଳି ଅଂଚଳକୁ ଆସୁଥିବାରୁ ଶିକାରୀ ହାବୁଡ଼ରେ ପଡୁଛନ୍ତି। ସେହିପରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ବନ୍ୟପ୍ରାଣୀମାନେ ଅଂଶୁଘାତର ଶିକାର ହେଉଛନ୍ତି। ପ୍ରତିବର୍ଷ ସମ୍ବର, ହରିଣ, ବାର୍‌ହା, କୁଟୁରା ଭଳି ଶତାଧିକ ବନ୍ୟପ୍ରାଣୀ ପ୍ରାଣ ହରାଉଥିବା ମଧ୍ୟ ଜଣାପଡ଼ିଛି।

ଗତ ବର୍ଷ ନୂଆପଡ଼ା ବ୍ଲକ୍‌ ଧରମବନ୍ଧା ସିଲିଆରିବାହାର ଗାଁ ଜଙ୍ଗଲରେ ଏକ କଲାରାପତିଆ ଅଂଶୁଘାତର ଶିକାର ହୋଇଥିବା ନୂଆପଡ଼ା ଏସିଏଫ୍‌ ସୂଚନା ଦେଇଥିଲେ। ଛତିଶଗଡ଼ ସୀମାରେ ଥିବା ଏହି ଅଭୟାରଣ୍ୟ ଓଡ଼ିଶା ଓ ଛତିଶଗଡ଼କୁ ୨ ଭାଗରେ ବିଭକ୍ତ କରୁଛି। କୋମନା ବ୍ଲକ୍‌ ସୁନାବେଡ଼ା ଓ ସୋସେଙ୍ଗ ପାଞ୍ଚୟତ ସମେତ ନୂଆପଡ଼ା, କୋମନା, ବୋଡ଼େନ ଓ ସିନାପାଲି ବ୍ଲକ୍‌ର ୫୨ଟି ଛୋଟ ବଡ଼ ଗାଁକୁ ନେଇ ସୁନାବେଡ଼ା ଅଭୟାରଣ୍ୟ ଗଠିତ ହୋଇଛି। ଏହି ଅଭୟାରଣ୍ୟରେ କଲରାପତରିଆ, ଗୟଳ, ଭାଲୁ, ସମ୍ବର, ହିରଣ, ବାର୍‌ହା, କୁଟୁରା ଭଳି ଅନେକ ବନ୍ୟପ୍ରାଣୀ ସହିତ ବିଭିନ୍ନ ପ୍ରଜାତିର ପକ୍ଷୀ ମଧ୍ୟ ରହନ୍ତି। ଅଭୟାରଣ୍ୟରେ ନିଆଁ ଲାଗିବା ଓ କାଠ ମାଫିଆ ସକ୍ରିୟ ଥିବାରୁ ଜଙ୍ଗଲ ଧ୍ବଂସ ହେବାରେ ଲାଗିଛି। ସେହିପରି ଶିକାରୀମାନେ ମଧ୍ୟ ଅବାଧରେ ବନ୍ୟପ୍ରାଣୀ ଶିକାର କରୁଛନ୍ତି। ପୁଣି ଖାଦ୍ୟ ଓ ପାନୀୟ ଜଳ ସମସ୍ୟା ଚରମ ସୀମାରେ ପହ‌ଞ୍ଚିଛି। ଗ୍ରୀଷ୍ମ ଋତୁ ଆରମ୍ଭ ନହେଉଣୁ ଅଭୟାରଣ୍ୟର ସମସ୍ତ ନଦୀ, ନାଳ, ପୋଖରୀ ଶୁଖିଗଲାଣି। ଏଭଳି ସ୍ଥିତିରେ ପିଇବା ପାଣି ଟୋପାଏ ପାଇଁ ବନ୍ୟପ୍ରାଣୀମାନେ ଆଉଟୁ ପାଉଟୁ ହେଉଛନ୍ତି।

ଦୁର୍ବୃତ୍ତମାନେ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବାରୁ ଶତାଧିକ ଏକର ଜଙ୍ଗଲ ପୋଡ଼ି ନଷ୍ଟ ହୋଇଯାଉଛି। ଭୟଭୀତ ହୋଇ ବନ୍ୟପ୍ରାଣୀମାନେ ଗାଁମୁହାଁ ହେଉଛନ୍ତି। କିଛିଦିନ ହେଲା ଭାଲୁମାନେ ଜନବସତି ଅଞ୍ଚଳକୁ ଚାଲିଆସୁଥିବା ଲକ୍ଷ୍ୟ କରାଯାଇଛି। ଶୁକ୍ରବାର ଧରମବନ୍ଧା ଥାନା ଚୁଲାଭାଟ ଗାଁର କଥାବାଈ ରାଉତ ନାମ୍ନୀ ଜଣେ ମହିଳା ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ସରକାର ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଯୋଜନାରେ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଉଛନ୍ତି। ହେଲେ ସେସବୁରେ ଅନିୟମିତତା କରାଯାଉଥିବାରୁ ଏଭଳି ସ୍ଥିତି ହେଉଥିବା ସାଧାରଣରେ ଅଭିଯୋଗ ହେଉଛି। ଗ୍ରୀଷ୍ମ ପ୍ରବାହକୁ ନେଇ ଜିଲ୍ଲାସ୍ତରୀୟ ବୈଠକରେ ଜିଲ୍ଲାପାଳ ଜଙ୍ଗଲ ଅଞ୍ଚଳରେ ଥିବା ଗାଁଗୁଡ଼ିକରେ ବନ୍ୟପ୍ରାଣୀଙ୍କ ପାଇଁ ଏକ କୁଣ୍ତ କରି ସେଥିରେ ପାଣି ରଖିବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ବନ୍ୟପ୍ରାଣୀ ବଭାଗ ଏହାକୁ କାର୍ଯ୍ୟକାରୀ କରି ନାହିଁ। ଫଳରେ ପ୍ରବଳ ଗ୍ରୀଷ୍ମରେ ବନ୍ୟପ୍ରାଣୀମାନେ ପାଣି ନପାଇ ମୃତ୍ୟୁ ମୁଖରେ ପଡୁଥିବା ପ୍ରକୃତି ପ୍ରେମୀମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe