ବାଲେଶ୍ୱର : ବାତ୍ୟା ‘ୟାସ’ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ବାଲେଶ୍ବର ଦେଇ ପ୍ରବାହିତ ସୁବର୍ଣ୍ଣରେଖା ସମେତ ବୁଢ଼ାବଳଙ୍ଗ ଏବଂ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି। ତେବେ ସୁବର୍ଣ୍ଣରେଖା ନଦୀରେ ଆସନ୍ତାକାଲି ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି। ପୂର୍ବ ପ୍ରସ୍ତୁତ ଅନୁଯାୟୀ ଗୁରୁବାର ସଂଧ୍ୟାରେ ତଳିଆ ଅଞ୍ଚଳବାସୀଙ୍କୁ ପ୍ରଶାସନ ପକ୍ଷରୁ ଡାକବାଜିଯନ୍ତ୍ର ଜରିଆରେ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ଅନ୍ୟ କୌଣସି ନିରାପଦ ସ୍ଥାନକୁ ଚାଲି ଆସିବାକୁ ସୂଚନା ଦିଆଯାଉଛି। ବାତ୍ୟାର ଗୋଟିଏ ଦିନ ପରେ ବନ୍ୟା ଆସିବାକୁ ନେଇ ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି।
ଜିଲ୍ଲା ଜରୁରୀକାଳୀନ ବିଭାଗରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ସୁବର୍ଣ୍ଣରେଖା ନଦୀର ବିପଦସଂକେତ ୧୦.୩୬ ମିଟର ଓ ସତର୍କ ସଂକେତ ୯.୪୫ ମିଟର ହୋଇଥିବା ବେଳେ ଗୁରୁବାର ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହାର ଜଳସ୍ତର ୩.୫୮ ମିଟରରେ ସ୍ଥିର ରହିଛି। ସେହିପରି ବୁଢ଼ାବଳଙ୍ଗରେ ସତର୍କ ସଙ୍କେତ ୭.୨୦ ମିଟର ହୋଇଥିବା ବେଳେ ଗୁରୁବାର ରାତି ୯ଟା ବେଳକୁ ଏହାର ଜଳସ୍ତର ୫.୫୮ ମିଟର ଏବଂ ଜଳକା ନଦୀର ସତର୍କ ସଙ୍କେତ ୩.୫୦ ମିଟର ହୋଇଥିବା ବେଳେ ରାତି ୯ଟା ସୁଦ୍ଧା ଏହାର ଜଳସ୍ତର ୩.୮୧ ମିଟରରେ ପ୍ରବାହିତ ହେଉଥିବା ଜଣାଯାଇଛି।
Follow Us