ମହାନଦୀରେ ଆସୁଥିବା ଚଳିତ ବର୍ଷର ପ୍ରଥମ ବନ୍ୟା କମ୍ କ୍ଷତି କରିବ

Advertisment
ମହାନଦୀରେ ଆସୁଥିବା ଚଳିତ ବର୍ଷର ପ୍ରଥମ ବନ୍ୟା କମ୍ କ୍ଷତି କରିବ

ଭୁବନେଶ୍ବର : ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆସୁଛି। ଶନିବାର ସକାଳୁ ମୁଣ୍ଡଳିରେ ଜଳପତନ ବୃଦ୍ଧି ପାଇବ। କିନ୍ତୁ ମହାନଦୀ ଅବବାହିକାରେ ବଡ଼ ଧରଣର ବନ୍ୟା ହେବ ନାହିଁ। ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ଆସିବ। ଅଧିକ ଜନବସତିକୁ ପାଣି ମାଡ଼ିବାର ଆଶଙ୍କା କମ୍। ବିଶେଷ କ୍ଷୟକ୍ଷତି ବି ହେବ ନାହିଁ। ବର୍ତ୍ତମାନ ବର୍ଷାର ସ୍ଥିତି, ହୀରାକୁଦରୁ ଜଳ ନିଷ୍କାସନର ପରିମାଣ ଦେଖି ଏମିତି ଆକଳନ କରିଛନ୍ତି ଏସ୍‌ଆର୍‌ସି ଓ ଜଳସମ୍ପଦ ବିଭାଗ। ଯେତିକି ଅଞ୍ଚଳକୁ ପାଣି ମାଡ଼ିବ, ସେଠାରେ ଆବଶ୍ୟକ ପ୍ରସ୍ତୁତି କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ମହାନଦୀରେ ଗତକାଲି ୫ ଲକ୍ଷ ୫୦ ହଜାର କ୍ୟୁସେକ୍ ଜଳ ହୀରାକୁଦକୁ ପଶୁଥିଲା। ମହାନଦୀ ଉପରମୁଣ୍ଡରେ ବର୍ଷା କମିଯାଇଥିବାରୁ ହୀରାକୁଦକୁ ଜଳ କମ୍ ପଶୁଛି। ଆଜି ରାତିରେ ୪ ଲକ୍ଷ ୧୪ ହଜାର କ୍ୟୁସେକ୍ ଜଳ ପଶୁଥିଲା ବେଳେ ୨୮ ଗେଟ୍‌ ଦେଇ ୪ ଲକ୍ଷ ୮୪ ହଜାର କ୍ୟୁସେକ୍ ଜଳ ନଦୀକୁ ଛଡ଼ାଯାଉଛି। ଶନିବାର ସକାଳ ବେଳକୁ ମୁଣ୍ଡଳିରେ ଅଧିକ ଜଳ ପ୍ରବେଶ କରିବ। ଏହାର ପରିମାଣ ସାଢ଼େ ସାତ ଲକ୍ଷରୁ ୮ ଲକ୍ଷ କ୍ୟୁସେକ୍ ଭିତରେ ରହିବ। ଏହି ପରିମାଣରେ ଜଳ ମହାନଦୀ ଅବବାହିକାରେ ବିଶେଷ କିଛି ସମସ୍ୟାର ସୃଷ୍ଟି କରିବାର ଆଶଙ୍କା କମ୍ ବୋଲି ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା କହିଛନ୍ତି।

ଏସ୍‌ଆର୍‌ସି ଆହୁରି କହିଛନ୍ତି ଯେ ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ ଓ ଜଳକା ନଦୀ ଜଳସ୍ତର କମିଛି। ସେଠାରେ ବିପଦ ନାହିଁ। ତେବେ ସୁବର୍ଣ୍ଣରେଖାରେ ଜଳପତନ ବୃଦ୍ଧି ପାଉଛି। ରାଜଘାଟରେ ତାହା ୧୦.୫୯ ମିଟର ଅଛି। ଘଣ୍ଟାକୁ ୪ ସେମି ବଢ଼ୁଛି। ଆଜି ରାତି ସୁଦ୍ଧା ତାହା ଅତି ବେଶୀରେ ୧୧.୫ ମିଟର ପର୍ଯ୍ୟନ୍ତ ପହଞ୍ଚିବ। ଏହା ହେଲେ ବିଶେଷ କ୍ଷତିଗ୍ରସ୍ତ ହେବନି। କିଛି ଖାଲୁଆ ଗାଁରେ ପାଣି ପଶିବାର ଆଶଙ୍କା ରହିଛି। ବାଲେଶ୍ବର ଜିଲ୍ଲା ପ୍ରଶାସନ ଓ ଜଳସମ୍ପଦ ବିଭାଗକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌କୁ ପ୍ରସ୍ତୁତ ରଖାଯାଇଛି। ସୁବର୍ଣ୍ଣରେଖାର ବନ୍ୟା ପରିସ୍ଥିତି ଅଧିକ କ୍ଷୟକ୍ଷତି କରିବନି। ୨୪ ଘଣ୍ଟାରେ ରାଜ୍ୟରେ ବର୍ଷା ହୋଇ ନାହିଁ। ଆଗାମୀ ଲଘୁଚାପ ସମ୍ପର୍କରେ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସତର୍କ ସୂଚନା ଆସି ନାହିଁ। ତେବେ ଆମେ ସଜାଗ ରହିଛୁ। ଆଇଏମ୍‌ଡିରୁ ସେମିତି କୌଣସି ସୂଚନା ମିଳିଲେ ଆମେ ଲୋକଙ୍କୁ ସତର୍କ କରାଇବୁ। ଲୋକ ଆତଙ୍କିତ ନ ହେବାକୁ ଏସ୍‌ଆର୍‌ସି ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe