ଛତିଶଗଡ଼ରେ ବ୍ୟାରେଜ୍‌ ପାଇଁ ହୀରାକୁଦକୁ ୬୫% ପର୍ଯ୍ୟନ୍ତ ଜଳପ୍ରବାହ କମିଛି

ଗତବର୍ଷଠୁ ୪ ଫୁଟ୍‌ ତଳେ ହୀରାକୁଦ ଜଳସ୍ତର

Image Courtesy of The Telegraph India

ଭୁବନେଶ୍ବର : ଛତିଶଗଡ଼ ସରକାର ମହାନଦୀ ଉପ‌ର ମୁଣ୍ଡରେ ୮ଟି ବୃହତ୍ତ ଏବଂ ୨୯ଟି ମଧ୍ୟମ ନଦୀ ବନ୍ଧ ପ୍ରକଳ୍ପ ନିର୍ମାଣ କରିଛନ୍ତି। ଏବେ ୪ଟି ବୃହତ୍ତ ଓ ୩ଟି ମଧ୍ୟମ ନଦୀ ବନ୍ଧ ପ୍ରକଳ୍ପ ନିର୍ମାଣଧୀନ ଅଛି। ଯେଉଁଥିପାଇଁ ମହାନଦୀରେ ଅଣମୌସୁମୀ ଋତୁରେ ଜଳପ୍ରବାହ ପ୍ରାୟ କମିଛି। ଏପରିକି ନିକଟ ଅତୀତରେ ଗୋଟିଏ ବର୍ଷରେ ୬୫% ପର୍ଯ୍ୟନ୍ତ ଜଳପ୍ରବାହ କମିଛି।

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ଯେ, ହୀରାକୁଦ ଜଳଭଣ୍ଡାରକୁ ୨ମିଲିୟନ ଏକର ଫୁଟ ଅଣମୌସୁମୀ ଜଳ ପ୍ରବାହ ଆସିବାକୁ ଥିବାବେଳେ ୧୯୯୧-୯୨ରୁ ୨୦୦୪-୦୫ ମଧ୍ୟରେ ହାରାହାରି ୪% ଏବଂ ୨୦୦୫-୦୬ରୁ ୨୦୧୫-୧୬ମଧ୍ୟରେ ୩୭% କମିଛି। ସେହିପରି ଅଣମୌସୁମୀ ସମୟରେ ୨୦୧୬-୧୭ରେ ୬୫%, ୨୦୧୭-୧୮ରେ ୬୧%, ୨୦୧୮-୧୯ରେ ୫୭% ଏବଂ ୨୦୧୯-୨୦ରେ ୩% ଜଳପ୍ରବାହ କମିଛି।

ସେହିପରି ଆଗାମୀ ଦିନରେ ଆଗାମୀ ଦିନରେ ହୀରାକୁଦ ଜଳଭଣ୍ଡାରକୁ ଛତିଶଗଡ଼ ଅବବାହିକାରୁ ଆସୁଥିବା ଜଳର ପରିମାଣ ହ୍ରାସ ପାଇବାର ସମ୍ଭାବନା ଥିବାରୁ ହୀରାକୁଦ ବନ୍ଧ ଯୋଜନାରେ ଜଳସେଚନ, ବିଦ୍ୟୁତ ଉତ୍ପାଦନ, ଶିଳ୍ପଭିତ୍ତିକ ଜଳ ଯୋଗାଣ, ଓ ପାନୀୟ ଜଳ ଯୋଗାଣ ଅସୁବିଧା ହେବ। ମହାନଦୀର ତ୍ରିକୋଣ ଭୂମି ଅଞ୍ଚଳର ଜଳସେଚନ ଓ ପାନୀୟ ଜଳ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହେବ। ଏହାବାଦ୍ ମହାନଦୀର ତଳ ମୁଣ୍ଡରେ ଥିବା ଜୈବ ବିବିଧତାରେ ଭରପୁର ବିଶ୍ବ ସମ୍ବଳ ଭାବରେ ବିବେଚିତ ସାତକୋଶିଆ ଗଣ୍ଡ ଅଭୟାରଣ୍ୟ ଏବଂ ତ୍ରିକୋଣଭୂମିରେ ଥିବା ଚିଲିକା, ଭିତରକନିକା ହେନ୍ତାଳ ବଣ, ଗହୀରମଥା ଇତ୍ୟାଦି ପ୍ରାକୃତିକ ପରିବେଶ ପର୍ଯ୍ୟାବରଣ ସ୍ଥଳୀଗୁଡ଼ିକ ମହାନଦୀର ଜଳପ୍ରବାହ ହ୍ରାସ ପାଇଲେ ଗଭୀର ଭାବେ ପ୍ରଭାବିତ ହେବାର ସମ୍ଭାବନା ଅଛି।

ତେଣୁ ହୀରାକୁଦ ନିମ୍ନ ସ୍ରୋତରେ ମହାନଦୀ ଜଳ ସଂରକ୍ଷଣ ଲାଗି ଦେଗାଁ, କପାଶିରା, ଖଇରମାଳ, ଗୋଧନେଶ୍ବର ଓ ସୁବଳୟା ପ୍ରକଳ୍ପଗୁଡ଼ିକର ଫିଜିବିଲିଟି ରିପୋର୍ଟ ରାଜ୍ୟ ବୈଷୟିକ ଉପଦେଷ୍ଟା କମିଟିର ଅନୁମୋଦନ ଲାଭ କରିଛି। ଏଗୁଡ଼ିକର ଡିପିଆର୍‌ ପାଇଁ ସର୍ଭେ ଓ ଅନୁସନ୍ଧାନ କାର୍ଯ୍ୟ ଚାଲିଛି। ସେହିପରି ତଳଦଣ୍ଡା (ଚୌଧରିଗଡ଼-ଟିଖିରି) ପ୍ରକଳ୍ପର ଡିପିଆର୍‌, ରାଜ୍ୟ ଟିଏସିର ଅନୁମୋଦନ ଲାଭ କରିଛି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe