ଧର୍ମାନୁଷ୍ଠାନରେ ତାଲା, ସବୁ ଉତ୍ସବ ବନ୍ଦ: ସମ୍ବଲପୁରରେ ୪୦ ହେକ୍ଟରର ଫୁଲ ଚାଷ କ୍ଷତିଗ୍ରସ୍ତ

Advertisment
ଧର୍ମାନୁଷ୍ଠାନରେ ତାଲା, ସବୁ ଉତ୍ସବ ବନ୍ଦ: ସମ୍ବଲପୁରରେ ୪୦ ହେକ୍ଟରର ଫୁଲ ଚାଷ କ୍ଷତିଗ୍ରସ୍ତ

ସମ୍ବଲପୁର: କରୋନା ଭୟରେ ଧର୍ମାନୁଷ୍ଠାନରେ ତାଲା ପଡ଼ିଛି। ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ହୋଇଯାଇଛି ବିବାହ ବ୍ରତ ସମେତ ସମସ୍ତ ସମସ୍ତ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ। ଏଥିଯୋଗୁଁ ବରବାଦ୍‌ ହେବାକୁ ବସିଲାଣି ଫୁଲ ଚାଷ। ଫୁଲ ସଂରକ୍ଷଣ ପାଇଁ କିଛି ବି ବ୍ୟବସ୍ଥା ନ ଥିବାରୁ ଏବେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଏଥିଯୋଗୁଁ ସମ୍ବଲପୁର ଜିଲ୍ଲାରେ ପ୍ରାୟ ୪୦ ହେକ୍ଟର ଜମିରେ ଫୁଲ ଚାଷ କରିଥିବା ଚାଷୀ କ୍ଷତିଗ୍ରସ୍ତ ହେବେ ବୋଲି ଆକଳନ କରିଛନ୍ତି ସମ୍ବଲପୁର ଉଦ୍ୟାନ ବିଭାଗ ଉପନିର୍ଦେଶକ ରଞ୍ଜନ ଦାସ ମହାପାତ୍ର। ଫୁଲ ଚାଷୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ଆଜି ଆୟୋଜିତ ଭିଡିଓ କନଫ୍ରେନ୍ସିଂରେ ଆଲୋଚନା ହୋଇଥିଲେ ବି ଏହାକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ସେ ସୂଚନା ଦେଇଛନ୍ତି। ସମ୍ବଲପୁର ଜିଲ୍ଲା ସନାତନପାଲିର ଫୁଲ ଚାଷୀ ମନବୋଧ କହନ୍ତି, କମ୍‌ ଟଙ୍କା ବ୍ୟୟରେ ଫୁଲ ଚାଷ ଏକ ଲାଭଜନକ କାର୍ଯ୍ୟ। ୫ ବର୍ଷ ହେଲା ୧ ଏକର ଲେଖାଏଁ ଜମିରେ ଗେଣ୍ଡୁ ଫୁଲ ଚାଷ କରି ଆସୁଛନ୍ତି। ପ୍ରତିବର୍ଷ ବାର୍ଷିକ ପ୍ରାୟ ୧ ଲକ୍ଷ ଟଙ୍କାର ଫୁଲ ବିକ୍ରି କରନ୍ତି। ମନ୍ଦିର, ନାମଯଜ୍ଞ ସମେତ ବିବାହ ଉତ୍ସବ ଆଦିରେ ଫୁଲ ବିକ୍ରି ତାଙ୍କ ଆୟର ମୁଖ୍ୟ ସ୍ରୋତ। କରୋନା ଲକ୍‌ଡାଉନ୍‌ ଯୋଗୁଁ ଏସବୁ ବନ୍ଦ ପଡ଼ିଥିବାରୁ ଫୁଲ ବିକ୍ରି ଠପ୍‌ ହୋଇ ପଡ଼ିଛି। ବିଶେଷକରି ରାମ ନବମୀ ଏବଂ ହନୁମାନ ଜୟନ୍ତୀ ନହେବା ଜିଲ୍ଲାର ପ୍ରତ୍ୟେକ ଫୁଲ ଚାଷୀଙ୍କ ପାଇଁ ଧକ୍କା ହୋଇଛି। ଏ ସଂକ୍ରାନ୍ତରେ ଡିଡିଏଚ୍‌ଙ୍କୁ ଅଭିଯୋଗ ପରେ କିଛି ଫୁଲ ଚାଷୀଙ୍କ ପାଇଁ ପାସ୍ ବ୍ୟବସ୍ଥା କରାଯାଇଥିଲା। ଆଜି ଠାରୁ ଗୋଲବଜାର ଏବଂ ଦମକଳ ବାହିନୀ କାର୍ଯ୍ୟାଳୟ ସମ୍ମୁଖରେ କିଛି ବ୍ୟକ୍ତି ଫୁଲ ବିକ୍ରି କରୁଛନ୍ତି। ପୂଜା ପାଇଁ ହିଁ କିଛି ବ୍ୟକ୍ତି ଫୁଲ ନେଇଥିଲେ। ଯାହା ଆଶାଜନକ ମଧ୍ୟ ନୁହେଁ।

୧ ଏକର ଜମିରେ ଗୋଲାପ ଚାଷ କରିଥିବା ଧର୍ମନାରାୟଣ ପ୍ରଧାନଙ୍କ ପାଇଁ ରାସ୍ତାରେ ବିକ୍ରି ମଧ୍ୟ ସମ୍ଭବ ହେଉ ନାହିଁ। ଏହି ଗାଁର ନାମନାରାୟଣ ସାହୁ, ନିରାକାର ପ୍ରଧାନ, ଲିଙ୍ଗରାଜ ସାହୁ ଏବଂ ଗୁରୁଚରଣ ପ୍ରଧାନଙ୍କ ମଧ୍ୟ ସେହି ଅବସ୍ଥା। ଅଧା ଏକର ଜମିରେ ଗେଣ୍ଡୁ ଫୁଲ ଚାଷ କରିଥିବା ଜମନକିରା ବ୍ଲକ୍‌ ହଲଦିବାହାଲ ଚାଷ ସୁଦାମ ଖମାରୀ ମଧ୍ୟ ଚିନ୍ତାରେ ଥିବା କହିଛନ୍ତି। ସହର ବଜାର ଭଳି ତାଙ୍କ ଫୁଲ କେବଳ ଘର ପୂଜା ପାଇଁ ବିକ୍ରି ସମ୍ଭବ ନଥିବା କହିଛନ୍ତି। ସାମାଜିକ କାର୍ଯ୍ୟକ୍ରମ ଏବଂ ବିବାହ ବନ୍ଦ ଥିବାରୁ ବ୍ୟବସାୟୀଙ୍କ ଦେଖା ମିଳୁନାହିଁ। ଏଥିସହିତ ଅନେକ ସଂଖ୍ୟାରେ ବଗିଚା କରିଥିବା ଛୋଟ ବିକ୍ରେତାଙ୍କ ବ୍ୟବସାୟ ଠପ୍‌ ହୋଇଯାଇଥିବାରୁ ଆର୍ଥିକ ସ୍ଥିତିକୁ ଧକ୍କା ଲାଗିଛି। ଡିଡିଏଚ ରଂଜନ ଦାସ ମହାପାତ୍ର କହିଛନ୍ତି, ସମ୍ବଲପୁର ଜିଲ୍ଲାରେ ଉଭୟ ରବି ଏବଂ ଖରିଫକୁ ମିଶାଇ ୧୩୫୦ ହେକ୍ଟର ଜମିରେ ଫୁଲ ଚାଷ ହୋଇଥାଏ। ଏଥିରେ ୧୦ ଜଣ ବଡ଼ ଏବଂ ଅନେକ ସଂଖ୍ୟାରେ ଛୋଟ ଚାଷୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe