ଫ୍ଲାଇଂ ସ୍କ୍ବାଡ୍‌ ଜବତ କଲା ୧୬ ଲକ୍ଷ

Advertisment

୨ ବିଜେପି ନେତାଙ୍କ ଗିରଫ ଦାବି କଲା ବିଜେଡି

୨ ବିଜେପି ନେତାଙ୍କ ଗିରଫ ଦାବି କଲା ବିଜେଡି

ଫ୍ଲାଇଂ ସ୍କ୍ବାଡ୍‌ ଜବତ କଲା ୧୬ ଲକ୍ଷ

The Financial Express

ପୁରୀ/ବ୍ରହ୍ମଗିରି/ଭୁବନେଶ୍ବର :ଆଜି ବ୍ରହ୍ମଗିରିର ସୁନାମୁହିଁଠାରେ ଫ୍ଲାଇଂ ସ୍କ୍ବାଡ୍‌ ଏକ ବାଇକ୍‌ରୁ ପ୍ରାୟ ୧୬ ଲକ୍ଷ ଟଙ୍କା ଜବତ କରିଛି। ବାଇକ୍‌ରେ ଥିବା ଦୁଇ ଜଣ ଯୁବକ ଏହା ଚିଙ୍ଗୁଡ଼ି ବ୍ୟବସାୟର ଟଙ୍କା ବୋଲି କହିବାରୁ ଫ୍ଲାଇଂ ସ୍କ୍ବାଡ୍‌ ଏହାକୁ ଆୟକର ବିଭାଗ ଜିମାରେ ଦେଇଛି। ତେବେ, ଦୁଇ ବାଇକ୍‌ ଆରୋହୀଙ୍କୁ ଅଟକ ରଖି ଅଧିକ ତଦନ୍ତ କରାଯାଉଛି ବୋଲି ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାଶ କହିଛନ୍ତି।

ଆଜି ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅଞ୍ଚଳରେ ବୁଲୁଥିବା ଫ୍ଲାଇଂ ସ୍କ୍ବାଡ୍‌ ଟିମ୍ ସୁନାମୁହିଁର ଯଦୁପୁର କେଉଟକୁଦି ଛକ ନିକଟରେ ଏକ ବାଇକ୍‌କୁ ସନ୍ଦେହରେ ଧରିଥିଲେ। ବାଇକ୍‌ରେ ଯାଉଥିବା ବିଜେପି ନେତା ଶରତ ଚନ୍ଦ୍ର ଜେନା ଓ ପ୍ରଦୀପ ତରାଇଙ୍କ ପାଖରେ ଥିବା ଏକ ବ୍ୟାଗରୁ ୧୫,୬୮,୫୦୦ ଟଙ୍କା ମିଳିଥିଲା। ଏହି ଟଙ୍କା କେଉଁଠାରୁ ଆସିଲା ସେ ନେଇ ପଚରାଉଚରା ସମୟରେ ସେମାନେ ଏହି ଟଙ୍କା କୃଷ୍ଣପ୍ରସାଦର ଜଣେ ଚିଙ୍ଗୁଡ଼ି ବ୍ୟବସାୟୀଙ୍କର ବୋଲି କହିଥିଲେ। ତେଣୁ ଏହି ଟିମ୍ ସମସ୍ତ ଟଙ୍କାକୁ ଆୟକର ବିଭାଗୀୟ ଅଧିକାରୀମାନଙ୍କ ଜିମାରେ ଦେବା ସହିତ ଅଟକ ରହିଥିବା ଦୁଇ ଜଣଙ୍କୁ ସ୍ବତନ୍ତ୍ର ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଟଙ୍କା ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ଆସିଥିଲା କି ପ୍ରକୃତରେ କୌଣସି ବ୍ୟବସାୟୀଙ୍କର ସେ ସମ୍ପର୍କରେ ଅନୁସନ୍ଧାନ ଚାଲିଛି ବୋଲି ଜିଲ୍ଲାପାଳ ଶ୍ରୀ ଦାଶ କହିଛନ୍ତି।

ଅନ୍ୟପକ୍ଷରେ, ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଅଭିଯୋଗ କରି କହିଛନ୍ତି, ନିର୍ବାଚନକୁ ଯେଣତେଣ ପ୍ରକାରେ ଜିତିବାକୁ ବିଜେପି କିପରି କଳାଟଙ୍କାର ପ୍ରୟୋଗ କରିବାକୁ ଉଦ୍ୟମ କରୁଛି ତାହା ଆଜିର ଏହି ଘଟଣାରୁ ସ୍ପଷ୍ଟ ହୋଇଛି। ଏହି ଦୁଇ ବିଜେପି ନେତାଙ୍କୁ ତୁରନ୍ତ ଗିରଫ କରିବାକୁ ବିଜେଡି ମୁଖପାତ୍ର ଦାବି କରିଛନ୍ତି। ଏହାସହିତ ଡଃ ପାତ୍ର କହିଛନ୍ତି ଯେ, ଟଙ୍କା ଦେଇ ବିଜେପି ଯେପରି ଗଣତନ୍ତ୍ରର କଣ୍ଠରୋଧ କରିବାକୁ ଉଦ୍ୟମ କରିଛି, ତାର ଜବାବ ଆଗାମୀ ଦିନରେ ବାଲାଟରେ ବ୍ରହ୍ମଗିରିବାସୀ ପ୍ରଦାନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe