ଏଫ୍‌ଏମ୍‌ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ପରଲୋକ

ମସ୍ତିଷ୍କାଘାତ ଯୋଗୁଁ ଚିକିତ୍ସାଧୀନ ଥିଲେ, କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ

ଏଫ୍‌ଏମ୍‌ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ପରଲୋକ

ବାଲେଶ୍ବର : ବାଲେଶ୍ବର ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ପର୍ଶୁରାମ ଜେନା (୫୨)ଙ୍କର ଆଜି ପରଲୋକ ହୋଇଯାଇଛି। ଶ୍ରୀ ଜେନାଙ୍କ ଅପ୍ରତ୍ୟାଶିତ ମୃତ୍ୟୁରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀଙ୍କ ସମେତ ତାଙ୍କ ପୈତୃକ ଘର ନୀଳଗିରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଗତ ୭ ତାରିଖ ଦିନ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟ ପରିସରରେ ଚାଲିଥିବା ଏକ କାର୍ଯ୍ୟକ୍ରମରେ ଶ୍ରୀ ଜେନା ଉପସ୍ଥିତ ଥିଲେ। ଏହି ସମୟରେ ହଠାତ୍‌ ତାଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା। ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯିବା ପରେ ମସ୍ତିଷ୍କାଘାତ ହୋଇଥିବା ଦେଖି ଡାକ୍ତର ତାଙ୍କୁ ତୁରନ୍ତ କଟକ ବଡ଼ ଡାକ୍ତରଖାନାକୁ ନେଇଯିବା ଲାଗି ପରାମର୍ଶ ଦେଇଥିଲେ। ମାତ୍ର ସେଠାରେ ଭର୍ତ୍ତି କରିବା ସମ୍ଭବ ନ ହେବାରୁ ତାଙ୍କୁ ଅଶ୍ବିନୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ଭିତରେ ସେ କରୋନା ପଜିଟିଭ୍‌ ଭାବେ ମଧ୍ୟ ଚିହ୍ନଟ ହୋଇଥିଲେ। ଚିକିତ୍ସାଧୀନ ଥିବାବେଳେ ଆଜି ଦିନ ପ୍ରାୟ ‌ଗୋଟାଏ ସମୟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସ୍ବର୍ଗତ ଜେନା ଜଣେ ଛାତ୍ରବତ୍ସଳ, ମିଷ୍ଟଭାଷୀ ଓ ମେଳାପୀ ଅଧ୍ୟାପକ ଥିଲେ। ଇଂରାଜୀ ବିଭାଗରେ ସେ ଅଧ୍ୟାପନା କରୁଥିଲେ। ଦୀର୍ଘବର୍ଷ ଧରି ଭଦ୍ରକ କଲେଜରେ ସେ ଅଧ୍ୟାପକ ରହିବା ପରେ ଗତବର୍ଷ ନଭେମ୍ବର ମାସ ୧୫ ତାରିଖରେ ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe