କୁହୁଡ଼ି କଲାଣି କଲବଲ : ଓଡ଼ିଶା ପାଇଁ ୟେଲୋ ସତର୍କ

ସାବଧାନ ରହିବାକୁ ୧୨ ଜିଲ୍ଲାକୁ ନିର୍ଦେଶ, ୨୬ରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା

କୁହୁଡ଼ି କଲାଣି କଲବଲ : ଓଡ଼ିଶା ପାଇଁ ୟେଲୋ ସତର୍କ

ଭୁବନେଶ୍ବର : କଲବଲ କଲାଣି କୁହୁଡ଼ି। ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା, ସବୁଠି ଲୋକେ ଭୋଗୁଛନ୍ତି ହିନସ୍ତା। ରାତି ୧୧ଟା ବେଳକୁ ଏଭଳି କୁହୁଡ଼ି ମାଡ଼ି ଆସୁଛି ଯେ ରାସ୍ତା ଜଣାପଡ଼ୁନି। ଲୋ‌କେ କୁଆଡ଼େ ଯିବେ? କେଉଁ ବାଟେ ଯିବେ? ଆଗକୁ ରାସ୍ତା ଅଛି କି ନାହିଁ ଜାଣିପାରୁ ନାହାନ୍ତି। ସକାଳ ୯ଟା ପର୍ଯ୍ୟନ୍ତ ବାଟଘାଟ କିଛି ଦେଖାଯାଉନି। ୪ ଦିନ ‌ହେଲା ଘନ କୁହୁଡ଼ି ପ୍ରଭାବରେ ଏଭଳି କଲବଲ ହେଉଛନ୍ତି ଉପକୂଳ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର ଲୋକେ। ଆଗକୁ ଆହୁରି କଲବଲ କରିବ କୁହୁଡ଼ି। ୨୫ ତାରିଖ ଭୋର ପର୍ଯ୍ୟନ୍ତ ଲୋକଙ୍କୁ ନିସ୍ତାର ମିଳିବ ନାହିଁ।

ଗତକାଲି ୯ଟି ଜିଲ୍ଲା ପାଇଁ କୁହୁଡ଼ିର ସତର୍କ ସୂଚନା ଜାରି ହୋଇଥିଲା। ଆଜି ୧୨ଟି ଜିଲ୍ଲାକୁ ସତର୍କ କରାଯାଇଛି। ଖୋର୍ଧା, ପୁରୀ, ନୟାଗଡ଼, କଟକ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ ଓ କନ୍ଧମାଳ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ୨୬ ଓ ୨୭ ତାରିଖରେ ସାମାନ୍ୟ ପରିବର୍ତନ ହେବ। ପାଗ ଶୁଖିଲା ରହିବ। ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ବି ରହିଛି।

ସେପଟେ ଘନ କୁହୁଡ଼ି ଲାଗିରହିଥିବାରୁ ପରିସ୍ଥିତି ଉପରେ ନଜର ରଖିବାକୁ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ବିଭାଗ ପକ୍ଷରୁ ‌ଆଜି ୟେଲୋ ସତର୍କ ସୂଚନା(ସ୍ଥିତି ଉପରେ ଦୃଷ୍ଟି ରଖିବା) ଜାରି ହୋଇଛି। ୨୨ ଓ ୨୩ ତାରିଖ ଦୁଇ ଦିନ ଓଡ଼ିଶା ପାଇଁ ଏହି ସୂଚନା ଦିଆଯାଇଛି। ୨୪ ତାରିଖରେ ଛତିଶଗଡ଼ରେ କୁହୁଡ଼ିର ମାତ୍ରା ଅଧିକ ରହୁଥିବାରୁ ଏହାର ପ୍ରଭାବ ଓଡ଼ିଶା ଉପରେ ବି ରହିପାରେ। ତେଣୁ ସେଥିପ୍ରତି ମଧ୍ୟ ସଜାଗ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ କହିବା କଥା ହେଉଛି ଯେ ଉତ୍ତର ପଶ୍ଚିମ ଆଡ଼ୁ ପୂର୍ବ ପାର୍ଶ୍ବକୁ ଓଡ଼ିଶାକୁ ପଶ୍ଚିମ ବାୟୁ ପ୍ରବାହ ଜାରି ରହିଛି। ଏଥିସହ ଓଡ଼ିଶା ଉପକୂଳରେ ଗୁରୁଚାପ ସୃଷ୍ଟି ହେବା ଦ୍ବାରା ଅଳ୍ପ ମାତ୍ରାରେ ଜଳୀୟବାଷ୍ପ ସ୍ଥଳ ଭାଗକୁ ଆସୁଛି। ତେଣୁ ବାୟୁ ପ୍ରଦୂଷଣ ହେବା ଯୋଗୁଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ସୃଷ୍ଟି ହେଉଛି। ୨୫ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ। ଘନ କୁହୁଡ଼ି ଯୋଗୁଁ ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ ଓ ଖୋର୍ଧାରେ ୨୦୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେବ। ଆଉ ଅଧିକ ବାଟ ଦୃଶ୍ୟମାନ ହେବ ନାହିଁ। ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ନୟାଗଡ଼ ଓ ଯାଜପୁରରେ ମଧ୍ୟମଧରଣର କୁହୁଡ଼ି ଅନୁଭୂତ ହେବ। ୨୪ ଓ ୨୫ ତାରିଖରେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମଧରଣର ଘନ କୁହୁଡ଼ି ରହିବ। ୨୫ରୁ ୨୮ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ଜାନୁଆରି ୨୮ରେ ବର୍ଷା ହୋଇପା‌ରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe