ଆଉ ଦୁଇଦିନ କୁହୁଡ଼ି ଚାଦର

ଉପକୂଳରେ ତାପମାତ୍ରା ବୃଦ୍ଧି ସତ୍ତ୍ୱେ ଶୀତ କମିନି

ଆଉ ଦୁଇଦିନ କୁହୁଡ଼ି ଚାଦର

Photo by : indianexpress.com

ଭୁବନେଶ୍ୱର : ମାଘରେ ବାଘ ଭଳି ଆସୁଥିବା ଶୀତ ମକର ସଂକ୍ରାନ୍ତିରୁ ସାମାନ୍ୟ କମିବା ଆରମ୍ଭ କରେ। ଓଡ଼ିଶାରେ ପ୍ରଚଳିତ ଏହି ଲୋକକଥା ଏବର୍ଷ ଯେମିତି ସତ ହେବାର ସମ୍ଭାବନା କମ୍‌। ସାରା ରାଜ୍ୟରେ ଏବେ ବି ହାଡ଼ଭଙ୍ଗା ଜାଡ଼ ଲାଗି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶା ଏବେ ବି ଥରୁଛି। ଉପକୂଳରେ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ସପ୍ତାହେ ହେଲା ରାଜ୍ୟର ୧୩ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରି ତଳେ ରହୁଥିଲା। ଆଜି ସେଥିରୁ ୫ଟି ସହରରେ ପାରଦ ୧୦ଡିଗ୍ରି ଉପରକୁ ଉଠିଛି। କିନ୍ତୁ ଫୁଲବାଣୀରେ ପାରଦ ସେହି ୫ଡିଗ୍ରିରେ ଅଟକିଛି। ପ୍ରବଳ ଥଣ୍ଡା ଅନୁଭୂତ ହେଉଛି।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ପରିସ୍ଥିତିରେ ଶୀତ କମିବାର ସମ୍ଭାବନା ନାହିଁ। ଆସନ୍ତା ସପ୍ତାହକ ମଧ୍ୟରେ ଶୀତ ବଢ଼ିବ ପଛେ କମିବନି। ସେହିପରି ଉପକୂଳ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିବ। ରାତି ୯ଟାରୁ ସକାଳ ୮ଟା ମଧ୍ୟରେ ଘନ କୁହୁଡ଼ି ଦେଖିବାକୁ ମିଳିବ। ଏବେ ବାୟୁମଣ୍ଡଳର ମଧ୍ୟଭାଗରେ କିଛି ଜଳୀୟବାଷ୍ପ ଥିବାବେଳେ ତଳ ଭାଗରେ ପ୍ରବଳ ଥଣ୍ଡା ଏବଂ ଉପର ଭାଗରେ ଗରମ ଯୋଗୁଁ ଘନ କୁହୁଡ଼ି ସୃଷ୍ଟି ହେଉଛି। ଆହୁରି ଦୁଇ ଦିନ ଏହିଭଳି ଘନ କୁହୁଡ଼ି ଚାଦର ସୃଷ୍ଟି ହେବ। ଅପରପକ୍ଷେ ଆଜି ଭୁବନେଶ୍ୱରରେ ସବୁଠୁ କମ୍‌ ଭିଜିବିଲିଟି ଥିଲା। ବିଳମ୍ବିତ ରାତିରେ ଏହା ୫୦ମିଟରକୁ ଖସି ଯାଇଥିଲା ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଏବେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୧ରୁ ଦୁଇ ଡିଗ୍ରି ବଢ଼ିଥିବାବେଳେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ କିଛି ପରିବର୍ତ୍ତନ ହୋଇନି। ଆଜି ବି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ଡିଗ୍ରି ରେକର୍ଡ ହୋଇଛି। ଦାରିଙ୍ଗବାଡ଼ିରେ ୮ଡିଗ୍ରି ଥିବାବେଳେ ସୁନ୍ଦରଗଡ଼ରେ ୮.୫, ହୀରାକୁଦରେ ୮.୮, ଝାରସୁଗୁଡ଼ାରେ ୯.୨ଡିଗ୍ରି ରେକର୍ଡ ହୋଇଛି। ବାଲେଶ୍ୱରରେ ୧୨, କଟକରେ ୧୨, ଭୁବନେଶ୍ୱରରେ ୧୪.୯, ଅନୁଗୁଳ ଓ ସମ୍ବଲପୁରରେ ୧୦, ବଲାଙ୍ଗୀରରେ ୧୦.୫, ଭବାନିପାଟଣାରେ ୧୧, ସୋନପୁରରେ ୧୧.୨ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଆକାଶ ସଫା ରହିବ ସହ ଅଧିକ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe