From January 12, winter will decrease, fog will increase
ଭୁବନେଶ୍ବର: ଭୁବନେଶ୍ବର-କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଭୋର ସମୟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା। ୧୦୦ ମିଟର ଦୂର ପର୍ଯ୍ୟନ୍ତ ମୁହଁକୁ ମୁହଁ ଠିକ୍ ଭାବେ ଦୃଶ୍ୟମାନ ହୋଇ ନ ଥିଲା। ପରିଣାମ ସ୍ବରୂପ ସାଧାରଣ ଜୀବନଯାତ୍ରା ବହୁ ପରିମାଣରେ ପ୍ରଭାବିତ ହୋଇଛି। ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି। ଦୃଶ୍ୟମାନ ଦୂରତା କମ୍ ଥିବାରୁ ଲୋକେ ଯିବା ଆସିବା କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିମାନ ଓ ରେଳ ସେବା ମଧ୍ୟ ପ୍ରଭାବିତ ହୋଇଛି। ସକାଳେ ଲୋକେ ଗାଡ଼ି ଲାଇଟ୍ ଜଳାଇ ଯାତାୟତ କରୁଥିବା ଦେଖିବାକୁ ମିଳିଥିଲା। କୁହୁଡ଼ି ଅଧିକ ହେବାରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବାକୁ ଥିବା ପ୍ରାୟ ୫ଟି ବିମାନ ବିଳମ୍ବରେ ଛାଡ଼ିଥିଲା। ଘଣ୍ଟା ଘଣ୍ଟା ଧରି ବିମାନବନ୍ଦରରେ ଅପେକ୍ଷା କରି ରହିଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।
ଅନ୍ୟପକ୍ଷରେ ମାଘ ମାସରେ ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି। ଦୀର୍ଘ ୫୨ ବର୍ଷ ପରେ କୋରାପୁଟରେ ଚଳିତବର୍ଷ ଜାନୁଆରିର ଦିନ ତାପମାତ୍ରା ରେକର୍ଡ ଭାଙ୍ଗିଛି। ୨୨ ତାରିଖ ପରି ଆଜି ମଧ୍ୟ ଏଠାରେ ସର୍ବୋଚ୍ଚ ତାପମାତ୍ରା ୩୩.୨ ଡିଗ୍ରି ରହିଥିଲା। ମାତ୍ର ଦୁଇ ଦିନ ବ୍ୟବଧାନରେ ରାଜ୍ୟରେ ତାପମାତ୍ରାରେ ୪ରୁ ୫ ଡିଗ୍ରି ବୃଦ୍ଧି ଘଟିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଏହାପରେ ପାରଦ ତଳ ମୁହାଁ ହେବାକୁ ଥିଲେ ମଧ୍ୟ ଶୀତ ଅନୁଭବ ହେବନି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଗୁରୁଚାପ ବଳୟର ପ୍ରଭାବ ଜାରି ରହିଥିବାରୁ ଉତ୍ତର ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଜି ଘନକୁହୁଡ଼ି ହୋଇଛି। ପୂର୍ବ-ଉତ୍ତରପୂର୍ବ ଦିଗରେ ପଶ୍ଚିମା ଝଡ଼ ଅଗ୍ରସର ହୋଇଥିବାରୁ ଏହାର ପ୍ରଭାବ କମିବ। ଏଥିସହ ରାଜ୍ୟର ଉତ୍ତର-ପଶ୍ଚିମ ଭାଗରେ ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁର ପ୍ରଭାବ ସାମାନ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି। ପ୍ରଭାବରେ ଧୀରେ ଧୀରେ ଗୁରୁଚାପ ବଳୟ ଦକ୍ଷିଣ ମୁହାଁ ହେବ। ତେଣୁ ଆସନ୍ତାକାଲିଠାରୁ ଦିନ ତାପମାତ୍ରାରେ ସାମାନ୍ୟ ହ୍ରାସ ସହ ଉତ୍ତର ତଥା ଉତ୍ତର ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ରାତି ତାପମାତ୍ରା ତଳ ମୁହାଁ ହେବାର ସମ୍ଭାବନା ରହିଛି। ଘନକୁହୁଡ଼ି ପ୍ରଭାବ ଧୀରେ ଧୀରେ ହ୍ରାସ ପାଇବ।
Follow Us