କୋଭିଡ୍‌ ନିୟମ ମାନ: ମୁଖ୍ୟମନ୍ତ୍ରୀ, ସର୍ଭିଲାନ୍ସ ଓ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ

ନିୟମିତ ସମୀକ୍ଷା କରିବେ ମୁଖ୍ୟ ସଚିବ, ତଦାରଖ କରିବେ ଜିଲ୍ଲାପାଳ, ଏସ୍‌ପି

କୋଭିଡ୍‌ ନିୟମ ମାନ: ମୁଖ୍ୟମନ୍ତ୍ରୀ, ସର୍ଭିଲାନ୍ସ ଓ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଅନେକ ଦେଶରେ କୋଭିଡର ଦ୍ବିତୀୟ ଲହର ପ୍ରଥମ ଲହର ଠାରୁ ଅଧିକ ଭୟଙ୍କର ହେଉଛି। ଏସବୁ ଦେଶ ପୁଣି ଲକ୍‌ଡାଉନ ପରିସ୍ଥିତିକୁ ଫେରୁଛନ୍ତି। ଆମ ପକ୍ଷରେ ପୁଣି ଥରେ ଲକ୍‌ଡାଉନକୁ ଫେରିବା ବହୁତ କ୍ଷତିକାରକ ହେବ।‌ ତେଣୁ ଆମ ସମସ୍ତେ ଆତ୍ମସଂଯମ ହେବା ସହିତ ରାଜ୍ୟର ସବୁସ୍ଥାନରେ କୋଭିଡ ନିୟମାବଳୀର ଅନୁପାଳନକୁ ସୁନିଶ୍ଚିତ କରିବା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‌େକାଭିଡ୍‌ର ଦ୍ବିତୀୟ ପର୍ଯ୍ୟାୟ ମୁକାବିଲାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ରାଜ୍ୟବାସୀଙ୍କୁ ଏମିତି ନିବେଦନ କରିଛନ୍ତି। ଏହା ସହ ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ଓ ଜନସଚେତନତା ଉପରେ ଗୁରୁତ୍ବାରୋପ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ମଧ୍ୟରେ କୋଭିଡ ଯୁଦ୍ଧର ଏକ ବର୍ଷ ପୂରଣ ହୋଇଯାଇଛି। ଆମର ଡାକ୍ତର, ପାରାମେଡିକ୍, ଆଗଧାଡିର ଯୋଦ୍ଧା, ପ୍ରଶାସନ, ପଞ୍ଚାୟତ ପ୍ରତିନିଧି ଓ ପୁଲିସ ଏ ସମସ୍ତଙ୍କର ନିସ୍ବାର୍ଥପର ସେବା ଓ ତ୍ୟାଗ ଯୋଗୁ ଆମେ ଏପର୍ଯ୍ୟନ୍ତ ଭୂତାଣୁର ମୁକାବିଲାରେ ସଫଳ ହୋଇଛୁ। ଏବେ ଯେତେବେଳ ରୋଗ ନିୟନ୍ତ୍ରଣ, ଜୀବିକା ସୃଷ୍ଟି ଓ ଅର୍ଥନୀତି କ୍ଷେତ୍ରରେ ରାଜ୍ୟ ସ୍ବାଭାବିକ ସ୍ଥିତିକୁ ଫେରିଆସୁଛି, ସେତେବେଳେ ଆମ ଦେଶ ସହିତ ବିଶ୍ବର ଅନେକ ଦେଶରେ କୋଭିଡର ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ କରାଯାଉଛି । ଆମ ଦେଶରେ ଦ୍ବିତୀୟ ସଂକ୍ରମଣ ଆରମ୍ଭ ହେବା ପରି ପରିସ୍ଥିତି ଲକ୍ଷ୍ୟ କରାଯାଉଛି। ତେଣୁ ଏଭଳି ପରିସ୍ଥିତିରେ ଦ୍ବିତୀୟ ସଂକ୍ରମଣକୁ ରୋକିବା ପାଇଁ ମାସ୍କ ବ୍ୟବହାର ଓ ହାତଧୁଆ ଉପରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନେବା ଜରୁରୀ। ବିଶେଷ କରି ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାରର ଦୃଢ଼ ଅନୁପାଳନକୁ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସମସ୍ତ ଜିଲ୍ଲା ନିଜ ନିଜ ଅଞ୍ଚଳର ସ୍ଥାନୀୟ ନେତୃବୃନ୍ଦ, ପଞ୍ଚାୟତ ପ୍ରତିନିଧି ଓ ଧାର୍ମିକ ସଂସ୍ଥା ଆଦିମାନଙ୍କ ସହିତ ସଚେତନତା ଓ ସମନ୍ବୟ ବୈଠକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଦ୍ବିତୀୟ ଲହର ନ ହେବା ପାଇଁ ରାଜ୍ୟ ପ୍ରଶାସନ ନୂତନ ଉତ୍ସାହ ସହିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ସମସ୍ତେ ସତର୍କ ରହିବା ଏବଂ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରତିରୋଧମୂଳକ ପଦକ୍ଷେପକୁ କାର୍ଯ୍ୟକାରୀ କରିବା। ପରିସ୍ଥିତି ଉପରେ ସତର୍କ ନଜର ରଖିବା ସହ ନିୟମିତ ସମୀକ୍ଷା କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ଓ ଏସ୍‌ପିମାନେ ନିଜ ନିଜ ଅଞ୍ଚଳରେ ବ୍ୟକ୍ତିଗତ ଭାବେ ଏହି ଅନୁପାଳନକୁ ତଦାରଖ କରିବା ସହ ସର୍ଭେଲାନସ୍‌ ଓ ଟେଷ୍ଟିଂ କାର୍ଯ୍ୟକ୍ରମକୁ କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ସ୍ବାସ୍ଥ୍ୟ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ବ୍ୟାପକ ପ୍ରଚାର ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଗାଁ, ସାପ୍ତାହିକ ହାଟ ଓ ଭିଡ ପରିଲକ୍ଷିତ ହେଉଥିବା ମାର୍କେଟରେ ଡାକବାଜି ଯନ୍ତ୍ର ଜରିଆରେ ସମସ୍ତ ନିୟମାବଳୀ ଓ ଜରୁରୀ ସୂଚନା ସଂପର୍କରେ ତୁରନ୍ତ ଘୋଷଣା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସମଗ୍ର ପ୍ରଶାସନିକ କଳକୁ ପରିସ୍ଥିତିର ଗମ୍ଭୀରତା ଅନୁଭବ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତେ ନିଜ ନିଜକୁ କୋଭିଡ ଯୁଦ୍ଧରେ ପୁଣି ଥରେ ନିଷ୍ଠାର ସହ ସାମିଲ କରିବା ପାଇଁ ନିବେଦନ କରିଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ କୋଭିଡ ନିୟମକୁ ଅଧିକ କଡାକଡି ଭାବରେ ପାଳନ କରାଯିବ। ଛତିଶଗଡ଼ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକ ଅଧିକ ସତର୍କ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ।  ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ବର୍ତ୍ତମାନର ସ୍ଥିତି ସଂପର୍କରେ ବିସ୍ତୃତ ଉପସ୍ଥାପନା ଦେଇଥିଲେ। ଗତ କିଛି ଦିନ ହେଲା କୋଭିଡ ପଜିଟିଭ କେସ୍‌ରେ ସାମାନ୍ୟ ବୃଦ୍ଧି ଆସିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ରାଜ୍ୟର ସୁନ୍ଦରଗଡ, ମୟୁରଭଞ୍ଜ, କଟକ ଓ ଖୋର୍ଦ୍ଧା ଏହି ୪ ଗୋଟି ଜିଲ୍ଲାରେ ରାଜ୍ୟରେ ବାହାରୁଥିବା ପଜିଟିଭ ସଂଖ୍ୟାର ୪୦ ପ୍ରତିଶତ ଥିବାବେଳେ ନୟାଗଡ଼ ଓ ମାଲକାନଗିରିରେ କେହି ଜଣେ ବି ପଜିଟିଭ ନାହାନ୍ତି ବୋଲି ସେ କହିଥିଲେ। ବର୍ତ୍ତମାନ ରାଜ୍ୟରେ ୮୯୮ ଜଣ ସକ୍ରିୟ ରୋଗୀ ଥିବାବେଳେ, ୧୦୬ ଜଣ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ରାଜ୍ୟର କୋଭିଡ ଭିତ୍ତିଭୂମି ସଂପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ସେ କହିଥିଲେ। ଟୀକାକରଣ ସଂପର୍କରେ ଆଲୋକପାତ କରି ସେ କହିଲେ ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୮.୮୧ ଲକ୍ଷ ଲୋକଙ୍କୁ ଟୀକା ଦିଆଯାଇସାରିଛି । ଅଧିକ ୨୫ ଲକ୍ଷ ଡୋଜ୍‌ ଟିକା ପଠାଇବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି ବୋଲି ସେ କହିଥିଲେ। ପୁଲିସ୍‌ ଡିଜି ଅଭୟ କହିଥିଲେ ଯେ କୋଭିଡ ନିୟମର କଡା ଅନୁପାଳନ ପାଇଁ ପୁଲିସ ପ୍ରଶାସନକୁ ଦୃଢ ନିର୍ଦ୍ଦେଶ ଦିଆଯାଇଛି ।

ଷ୍ଟେସନ ଓ ବିମାନବନ୍ଦର ଗୁଡ଼ିକରେ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ କଡ଼ା ନଜର ରଖାଯିବା ସହିତ ସେମାନଙ୍କ ଟେଷ୍ଟିଂ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି. କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ପି. କେ. ଜେନା, କୃଷି ଉତ୍ପାଦନ କମିସନର ଆର୍‌. କେ. ଶର୍ମା, କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ, ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe