ରାଉରକେଲା : କରୋନା କଟକଣା ହଟିବା ପରେ ସ୍ବାଭାବିକ ହୋଇଛି ରାଉରକେଲାସ୍ଥ ଜାତୀୟ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ (ଏନ୍ଆଇଟି)। ଆରମ୍ଭ ହୋଇଛି ଅଫ୍ ଲାଇନ୍ ପାଠପଢ଼ା। ପ୍ରାୟ ସମସ୍ତ ଛାତ୍ରାବାସର ମେସ୍ ଖୋଲିଛି। ମୋଟ୍ ୭ଟି ଛାତ୍ର ଓ ୨ଛାତ୍ରୀ ନିବାସ ପାଇଁ ରହିଛି ୭ଟି ମେସ୍। ଏବେ ପାଖାପାଖି ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏସବୁ ମେସ୍ରେ ଖାଉଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ମେସ୍ଗୁଡ଼ିକରେ ଦୈନିକ ୪ଥର ଖାଦ୍ୟର ବ୍ୟବସ୍ଥା କରାଯାଇଛି। ସକାଳ ୭ଟାରୁ ୯ଟା ମଧ୍ୟରେ ଜଳଖିଆ, ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧.୩୦ ଭିତରେ ମଧ୍ୟାହ୍ନ ଭୋଜନ, ସଂଧ୍ୟା ୫ଟାରୁ ୬.୧୫ ପର୍ଯ୍ୟନ୍ତ ସାନ୍ଧ୍ୟ ଜଳଯୋଗ ଓ ରାତି ୭ଟା ୪୫ରୁ ୯ଟା ୧୫ ପର୍ଯ୍ୟନ୍ତ ରାତ୍ରୀ ଭୋଜନ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି। କ୍ୟାଟରିଂ ସେବା ଯୋଗାଉଥିବା ଠିକା ସଂସ୍ଥାକୁ ମେସ୍ ଚଳାଇବା ପାଇଁ ପ୍ରତିବର୍ଷ ଏନ୍ଆଇଟି ଟେଣ୍ଡର ଜରିଆରେ ମନୋନୀତ କରିବାର ନିୟମ ରହିଛି। କିନ୍ତୁ ବିଡମ୍ବନା ଯେ କିଛି ନିର୍ଦ୍ଦିଷ୍ଟ ଠିକା ସଂସ୍ଥା ବର୍ଷ ବର୍ଷ ଧରି ଏହି ମେସ୍ଗୁଡ଼ିକୁ ଚଳାଉଛନ୍ତି। ଫଳରେ ଅନେକ ଅଭିଯୋଗ ଆସୁଥିଲେ ମଧ୍ୟ ଭିତିରି ସଲାସୁତୁରାରେ ସବୁ କିଛି ଚାଲୁଥିବାରୁ ତଦାରଖ ଦାୟିତ୍ବରେ ଥିବା ଏନ୍ଆଇଟି ଅଧିକାରୀମାନେ ଥରୁଟିଏ ଏସବୁ ଠିକା ସଂସ୍ଥା ବିରୋଧରେ ମୁହଁ ଖୋଲୁ ନାହାନ୍ତି। ତେଣୁ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉନି। ଫଳରେ କିଛି ଠିକା ସଂସ୍ଥା ମନଇଚ୍ଛା ମେସ୍ ଚଳାଉଛନ୍ତି। ଅନେକ ସମୟରେ ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରୁଛନ୍ତି।
/sambad/media/post_attachments/wp-content/uploads/2022/03/c24cc54e-4b69-4d91-bd63-7978dcc82034-300x200.jpg)
କେବଳ ଏତିକି ନୁହେଁ, ଏହି ନିମ୍ନମାନର ଖାଦ୍ୟ ପାଇଁ ବି ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନ୍ରେ ଛିଡା ହେବାକୁ ପଡୁଛି। ଫଳରେ ଅନେକଙ୍କ ପଢ଼ାପଢ଼ି, ଏପରିକି କ୍ଲାସ୍ ଯିବାରେ ମଧ୍ୟ ସମସ୍ୟା ହେଉଛି। ସମସ୍ତେ ଏହା ଜାଣୁଥିଲେ ହେଁ ଏନ୍ଆଇଟି କର୍ତ୍ତୃପକ୍ଷ ସ୍ଥିତି ସୁଧାରିବାଲାଗି କୌଣସି ତରତ୍ପତା ପ୍ରକାଶ କରୁ ନାହାନ୍ତି। ଦେଶର ଅନେକ ରାଜ୍ୟରୁ, ଏପରିକି ବିଦେଶରୁ ଶହ ଶହ ଛାତ୍ର ଛାତ୍ରୀ ରାଉରକେଲା ଏନ୍ଆଇଟିରେ ପଢୁଛନ୍ତି। ଏହାର ସ୍ଥିତି ଉପରେ ଗୋଟିଏ ଦୃଷ୍ଟିରୁ ରାଜ୍ୟର ସୁନାମ ମଧ୍ୟ ନିର୍ଭର କରୁଛି। କିନ୍ତୁ ଏପରି ଏକ ଜାତୀୟ ଅନୁଷ୍ଠାନରେ ଚାଲିଥିବା ଏହି ସ୍ଥିତି ସଂପର୍କରେ କର୍ତ୍ତୃପକ୍ଷ ନିରବ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।
ମିଳିଥିବା ସୂଚନା ଅନୁସାରେ, ଅନେକ ବ୍ୟକ୍ତିବିଶେଷ ପ୍ରାୟ ୫ ବର୍ଷରୁ ଅଧିକ ସମୟ ଧରି ମେସ୍ ଚଳାଉଥିଲେ ହେଁ, ଟେଣ୍ଡର ନକରି ସେମାନଙ୍କୁ ବାରମ୍ବାର ସୁଯୋଗ ଦିଆଯାଉଛି। ଫଳରେ ସେମାନେ ମନଇଚ୍ଛା ମେସ୍ ଚଳାଇ ନିଜ ପକେଟ ଗରମ କରୁଥିବାବେଳେ ଛାତ୍ର ଛାତ୍ରୀ ଭୀଷଣ ହଇରାଣ ହେଉଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ତତ୍କାଳୀନ ବିନା ଟେଣ୍ଡରରେ ଏନ୍ଆଇଟିର ଏହି ମେସ୍ଗୁଡ଼ିକ ଚାଲିଥିଲା। କ୍ୟାଟରିଂ ସଂସ୍ଥାର ମାଲିକମାନେ ବିଭାଗୀୟ ଅଧିକାରୀଙ୍କୁ ମୋଟା ଅଙ୍କର ହାତ ଗୁଞ୍ଜା ଦେଇ ମନଇଚ୍ଛା ବର୍ଷ ବର୍ଷ ଧରି କାମ ଚଳାଉଥିଲେ। ଏସବୁ କାର୍ଯ୍ୟରେ ସ୍ବଚ୍ଛତା ଆଣିବାକୁ ୨୦୧୫ ପରେ ଆରାମ୍ଭ ହେଲେ ଟେଣ୍ଡର ପ୍ରକ୍ରିୟା। କିନ୍ତୁ ମେସ୍ ପରିଚାଳନା ଦାୟିତ୍ବରେ ଥିବା ଏନ୍ଆଇଟିର କିଛି କରିତ୍କର୍ମା ଲାଭଖୋର୍ ଅଧିକାରୀ ନାନା ଚାଲାକି କରି ସ୍ଥିତିକୁ ବଦଳିବାର ସୁଯୋଗ ଦେଉ ନାହାନ୍ତି। ଲୋକ ଦେଖାଣିଆ ଭାବେ ନାଁକୁ ମାତ୍ର ଟେଣ୍ଡର ହେଉଛି, କିନ୍ତୁ ଅଧିକାରୀମାନେ ରାତାରାତି ମନଇଚ୍ଛା ନିଷ୍ପତ୍ତି ନେଉଛନ୍ତି। ବିଭିନ୍ନ ନିୟମର ଆଳରେ ନୂଆ ଆବେଦନକାରୀଙ୍କୁ ଦୂରେଇ ରଖୁଛନ୍ତି। କିନ୍ତୁ ସ୍ଥିତିରେ କିଛି ପରିବର୍ତ୍ତନ ଘଟୁନାହିଁ। ପଢ଼ିବାକୁ ଓ ଉଚ୍ଚତର ଗବେଷଣା କରିବାଲାଗି ଏଠାକୁ ଆସୁଥିବା ଦେଶ ବିଦେଶର ହଜାର ହଜାର ମେଧାବୀ ଛାତ୍ର ଛାତ୍ରୀ ଖାଦ୍ୟ ଭଳି ଏକ ସାଧାରଣ ଓ ମୌଳିକ ଆବଶ୍ୟକତାକୁ ନେଇ ବର୍ଷ ବର୍ଷ ଧରି ଘାଣ୍ଟି ହେଉଛନ୍ତି। ଜାତୀୟ ସ୍ତରର ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନରେ ମେସ୍ ପରିଚାଳନା କ୍ଷେତ୍ରରେ ହେଉଥିବା ବ୍ୟାପକ ହେରଫେରର ପୂର୍ଣ୍ଣଚ୍ଛେଦ କରିବାଲାଗି ରାଜ୍ୟ ସରକାର ହସ୍ତକ୍ଷେପ କରିବା ଉଚିତ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।
Follow Us