କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ବିଭ୍ରାଟ : ମହିଳା ଘେରିଲେ, ଅଧାରୁ ମନ୍ତ୍ରୀ ଚାଲିଗଲେ, ସାଂସଦଙ୍କୁ ସମାଲୋଚନା କଲେ ବିଷ୍ଣୁ

Advertisment
କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ବିଭ୍ରାଟ : ମହିଳା ଘେରିଲେ, ଅଧାରୁ ମନ୍ତ୍ରୀ ଚାଲିଗଲେ, ସାଂସଦଙ୍କୁ ସମାଲୋଚନା କଲେ ବିଷ୍ଣୁ

ଜଗତସିଂହପୁର ଟାଉନ୍ : ଜଗତ୍‌ସିଂହପୁରରେ ‌ବିଜେଡି ନେତାଙ୍କ ଭିତରେ ବିବାଦ ଥମିବାର ନାଁ ନେଉନାହିଁ। ଦଳୀୟ ସୁପ୍ରିମୋଙ୍କ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ବି କେହି ପାଟି ବନ୍ଦ କରିପାରୁନାହାନ୍ତି। ସୁଯୋଗ ମିଳିଲା ମାତ୍ରକେ ପରସ୍ପର ଉପରକୁ କାଦୁଅ ଫିଙ୍ଗି ଚାଲିଛନ୍ତି। ଆଜିର ଘଟଣାରୁ ଏହା ସ୍ପଷ୍ଟ ‌ହୋଇଯାଇଛି। ଖାଦ୍ୟ ସୁରକ୍ଷା କାର୍ଡ ବଣ୍ଟନ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ବଜେଡି ଜିଲ୍ଲା ସଭାପତି ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ ସାଂସଦ କୁଳମଣି ସାମଲଙ୍କୁ ତୀବ୍ର ସମାଲୋଚନା କରିବାକୁ ପଛାଇ ନାହାନ୍ତି। ପରିସ୍ଥିତି ଏମିତି ହୋଇଛି ଯେ, ମନ୍ତ୍ରୀ ପ୍ରତାପ ଜେନାଙ୍କୁ କାର୍ଯ୍ୟକ୍ରମ ଅଧାରୁ ଚାଲିଯିବାକୁ ପଡ଼ିଛି।

ରାଜ୍ୟ ସରକାର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ଆଜି ଜଗତସିଂହପୁର ନିର୍ବାଚନମଣ୍ଡଳୀର ଜଗତସିଂହପୁର ବ୍ଲକ୍ ଓ ନାଉଗାଁ ବ୍ଲକ୍‌ରେ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ବଣ୍ଟାଯିବାକୁ ଯୋଜନା କରାଯାଇଥିଲା। ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ସିଂହାରପୁର କଲ୍ୟାଣ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନ, ସ୍ବାସ୍ଥ୍ୟ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରତାପ ଜେନା, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ, ସାଂସଦ କୁଳମଣି ସାମଲ ପ୍ରମୁଖ ଉପସ୍ଥିିତ ଥିଲେ। ସଭା ଚାଲିଥିବା ସମୟରେ କାର୍ଡରେ ଥିବା ତ୍ରୁଟିକୁ ନେଇ ୧୦ରୁ ଅଧିକ ଲୋକ ଅଭିଯୋଗ କରି ପାଟି ତୁଣ୍ଡ କରିଥିଲେ।

ଅନ୍ୟପଟେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ ସିଧାସଳଖ ସାଂସଦ କୁଳମଣି ସାମଲଙ୍କୁ ଟାର୍ଗେଟ କରିଥିଲେ। ସାଂସଦଙ୍କ ପାଣ୍ଠି ବିନିଯୋଗରେ ଅନିୟମିତତାଠାରୁ ଆରମ୍ଭ କରି ଖାଦ୍ୟ ସୁରକ୍ଷା କାର୍ଡ କାହିଁକି ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଇନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଏହାର ସୁଯୋଗ ନେଇ ବସିଥିବା କେତେଜଣ ମହିଳା ପାଟିତୁଣ୍ଡ କରିଥିଲେ। ‌‌େସମାନଙ୍କୁ ସରକାରୀ ସୁବିଧାରୁ ବଞ୍ଚିତ କରାଯାଇଛି ବୋଲି ଅଭିଯୋଗ କରି ମନ୍ତ୍ରୀଙ୍କୁ ଘେରିଥିଲେ। ପୁଲିସ ଅଧିକାରୀମାନେ ଘଟଣାକୁ ଆୟତ୍ତ କରିବାକୁ ଚେଷ୍ଟା କରି ବିଫଳ ହେବାରୁ ସଭା ପ୍ରାୟ ୩୦ ମିନିଟ୍ ଧରି ବନ୍ଦ ରହିଥିଲା। ଅଭିଯୋଗର ତଦନ୍ତ କରି ବିଡିଓ ସମସ୍ୟାର ସମାଧାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ବି ମହିଳାମାନେ ଶୁଣିନଥିଲେ। ଏଭଳି ସ୍ଥିତିରେ ଅଳ୍ପ କେତୋଟି କାର୍ଡ‌୍ ବାଣ୍ଟି ମନ୍ତ୍ରୀ ସଭାରୁ ଚାଲି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe