କିଶନନଗର/ଗୋପାଳପୁର : କଟକ ଜିଲ୍ଲା କିଶନନଗର ଅଞ୍ଚଳର ଜଣେ ଜାତୀୟସ୍ତରର ଯୁବ ଫୁଟ୍ବଲ୍ ଖେଳାଳି ଆଜି ମହାନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତ ଖେଳାଳିଜଣକ କିଶୋରନଗର ସାମନ୍ତରାପୁର ମୁସ୍ଲିମ୍ ସାହିର ଶେଖ୍ ନାସିର୍ଙ୍କ ଏକମାତ୍ର ପୁଅ ଶେଖ୍ ନୌସାଦ୍ (୧୯) ବୋଲି ଜଣାପଡ଼ିଛି। ଆଜି ପୂର୍ବାହ୍ନରେ ନୌସାଦ୍ କିଶନନଗର ଥାନା ଶିର୍ଲୋ ନିକଟ ମହାନଦୀରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି।
ସୂଚନା ମୁତାବକ, ରମ୍ଜାନ ମାସରେ ଭଉଣୀଙ୍କ ଶାଶୂଘରୁ ଆସିଥିବା ଇଫ୍ତାର୍ ସାମଗ୍ରୀ ବାଣ୍ଟିବା ପାଇଁ ନୌସାଦ ନିଜ ମା’ଙ୍କ ସହ ଆଜି ମାମୁଘର ଶିର୍ଲୋ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ମାମୁ ଜାହାଙ୍ଗୀର ଖାଁଙ୍କ ପୁଅ ଜାହିର ଖାଁଙ୍କ ସହ ନୌସାଦ ଗାଧୋଇବା ପାଇଁ ମହାନଦୀକୁ ଯାଇଥିଲେ। ଏହି ସମୟରେ ଗୋଡ଼ ଖସି ଯିବାରୁ ନୌସାଦ ନଦୀରେ ଥିବା ଗଣ୍ଡ ଭିତରକୁ ଚାଲି ଯାଇଥିଲେ। ସେ ପାଣିରେ ବୁଡ଼ୁଥିବା ଦେଖି ଜାହିର ଲୋକଙ୍କୁ ଡାକ ପକାଇବା ସହିତ ଗଣ୍ଡ ଭିତରୁ ତାଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ କରିଥିଲେ। ମାତ୍ର ଜାହିର ମଧ୍ୟ ପାଣିରେ ବୁଡ଼ିବାକୁ ଲାଗିଥିଲେ। ଇତିମଧ୍ୟରେ ସେଠାରେ ପହଞ୍ଚିଥିବା ଲୋକେ ଉବୁଟୁବୁ ହେଉଥିବା ଜାହିରଙ୍କୁ ଅଚେତ ଅବସ୍ଥାରେ ପାଣିରୁ ବାହାର କରିଥିଲେ ମଧ୍ୟ ନୌସାଦଙ୍କ ପତ୍ତା ମିଳି ନ ଥିଲା। ପ୍ରାୟ ୧୫/୨୦ ମିନିଟ୍ ଖୋଜାଖୋଜି କରିବା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ପରେ ଉଭୟଙ୍କୁ ଚିକିତ୍ସା ପାଇଁ ରଘୁନାଥପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ନୌସାଦଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଅସୁସ୍ଥ ଜାହିରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଖବର ପାଇ କିଶନନଗର ଥାନା ଆଇଆଇସି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଛନ୍ତି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ୍ ତଦନ୍ତ ଚଳାଇଛି।
ସୂଚନାଯୋଗ୍ୟ ଯେ କିଶୋରନଗର କଲେଜର +୩ ଛାତ୍ର ନୌସାଦ କଟକ ସ୍ପୋର୍ଟସ୍ ହଷ୍ଟେଲ୍ରେ ରହି ପାଠ ପଢ଼ୁଥିଲେ। ସେ +୨ କାଉନ୍ସିଲ୍ ପକ୍ଷରୁ ଆୟୋଜିତ ଜାତୀୟସ୍ତରର ଫୁଟ୍ବଲ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିସହ ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘ ପକ୍ଷରୁ ଆୟୋଜିତ ୧୬ବର୍ଷରୁ କମ୍ ଆଇ ଲିଗ୍ରେ ସେ ଫାଓ ପକ୍ଷରୁ ଖେଳିବାର ଗୌରବ ଅର୍ଜନ କରିଥିଲେ। କିଶନନଗର ‘ଆକା’ର ପୂର୍ବତନ ଜୁନିଅର ଖେଳାଳି ନୌସାଦ କଟକ ରୟାଲ୍ କ୍ଲବ୍ ପାଇଁ ମଧ୍ୟ ଖେଳିଛନ୍ତି। ତାଙ୍କର ଅକାଳ ବିୟୋଗରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ‘ଆକା’ର ଅଧ୍ୟକ୍ଷ ଦେବବ୍ରତ ପାତ୍ର, ଉପାଧ୍ୟକ୍ଷ ସୈୟଦ ଇର୍ଫାନ୍ ଅଲ୍ଲୀ, ଅଧିନାୟକ ଜୟନ୍ତ ବେହେରା, ସାଥୀ ଖେଳାଳି ଶତତପ ରଥ, ଅଶ୍ବିନୀ ଜେନା ପ୍ରମୁଖ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି।
  
 Follow Us