ସାମାନ୍ୟ ଭୁଲ୍ ପାଇଁ ପ୍ରଥମ ‌ଶ୍ରେଣୀ ଛାତ୍ରଙ୍କୁ ନିର୍ଘାତ ବେତ ମାଡ଼

Advertisment

ଛାତ୍ରଙ୍କ ମାନସିକ ସ୍ଥିତି ଦୋହଲିଛି, ଆଜି ତଦନ୍ତ ହେବ: ବିଇଓ

ଛାତ୍ରଙ୍କ ମାନସିକ ସ୍ଥିତି ଦୋହଲିଛି, ଆଜି ତଦନ୍ତ ହେବ: ବିଇଓ

ସାମାନ୍ୟ ଭୁଲ୍ ପାଇଁ ପ୍ରଥମ ‌ଶ୍ରେଣୀ ଛାତ୍ରଙ୍କୁ ନିର୍ଘାତ ବେତ ମାଡ଼

କବିସୂର୍ଯ୍ୟନଗର : ପାଠରେ ସାମାନ୍ୟ ଛୋଟିଆ ଭୁଲ୍ ପାଇଁ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷକ ବେତରେ ନିର୍ଘାତିଆ ମାଡ଼ ମାରି ଲହୁଲୁହାଣ କରିପକାଇଛନ୍ତି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ଏ.ବରିଡ଼ା ଗ୍ରାମ ଶ୍ରୀଦଧିବାମନ ନୋଡାଲ୍ ହାଇସ୍କୁଲ୍‌ରୁ ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଛାତ୍ରଜଣକ ହେଉଛି, ଗୋପାଳ ମହାରଣା (୫)।  ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଛାତ୍ରର ମାଆ ଉର୍ମିଳା ଓ ଅନ୍ୟ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ଆସନ୍ତକାଲି ଘଟଣାର ତଦନ୍ତ ହେବ ବୋଲି ବ୍ଲକ୍ ଶିକ୍ଷାଧିକାରୀ ଆରତିବାଳା ପଟ୍ଟନାୟକ ସୂଚନା ଦେଇଛନ୍ତି।

ଗତକାଲି ଗୋପାଳ ସ୍କୁଲ୍‌କୁ ଯାଇଥିଲେ। ଶିକ୍ଷକ ଚିଚନ୍ ପ୍ରଧାନ ‌ଶ୍ରେଣୀକକ୍ଷରେ ପଢ଼ାଉଥିବା ବେଳେ ପିଲାମାନଙ୍କୁ ବିଭିନ୍ନ ଚିତ୍ର ସହ ମେଳ ଖାଉଥିବା ସ୍ତମ୍ଭକୁ ଯୋଡ଼ିବାକୁ କହିଥିଲେ। କିନ୍ତୁ ଗୋପାଳ ଏଥିରେ ଭୁଲ୍ କରିଦେବା ସହ ଦୁଇଥର ଗାର ଟାଣିଦେଇଥିଲା। ଫଳରେ ଶିକ୍ଷକ ଚିଚନ୍ ହଠାତ୍ ରାଗିଯିବା ସହ ସମସ୍ତଙ୍କ ସାମ୍ନାରେ ତା’ର ପିଠିକୁ ଅମାନୁଷିକ ଭାବେ ବେତରେ ମାଡ଼ ମାରିବାରୁ ନାଲି ଦାଗ ବସିଯାଇଥିଲା। କେବଳ ଏତିକି ନୁହେଁ, ଗୋପାଳର ଖାତାର ପ୍ରଥମ ପୃଷ୍ଠା‌ରେ ନିଜ ମୋବାଇଲ୍ ନମ୍ବର ଲେଖି ‘ମାଆଙ୍କୁ ଯୋଗା‌ଯୋଗ କରିବାକୁ କହିଦେବୁ’ ବୋଲି କହିଥିଲେ। ଗୋପାଳ ଘରକୁ ଆସି ସବୁ ଘଟଣା କହିଥିଲା। ପିଠିରେ ନାଲିଦାଗ ଦେଖି ମାଆ ଉର୍ମିଳା ତାଜୁବ୍ ହୋଇଯାଇଥିଲେ। ଶିକ୍ଷକଙ୍କ ମାଡ଼ରେ ଗୋପାଳର ମାନସିକ ସ୍ଥିତି ବି ଦୋହଲିଯାଇଥିବା ସହ ସେ ରାତିସାରା ଭୟରେ ଶୋଇ ପାରି ନଥିଲା। ଆଜି ତାକୁ ଆସିକା ଡାକ୍ତରଖାନାକୁ ମାଆ ଉର୍ମିଳା ଚିକିତ୍ସା କରାଇଥିଲେ।

publive-image

ଏହି ଘଟଣାକୁ ଗ୍ରାମବାସୀ ତୀବ୍ର ନିନ୍ଦା କରିଛନ୍ତି। ରାଜ୍ୟ ସରକାର ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିବା ବେଳେ ଶିକ୍ଷକଙ୍କ ଏଭଳି ବର୍ବର କାଣ୍ଡ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରିଛନ୍ତି। ସେହିପରି ଗୋପାଳର ସ୍ବାସ୍ଥ୍ୟାବସ୍ଥା ପଚାରିବା ଲାଗି ଶିକ୍ଷକ ଏଯାଏ ଯୋଗାଯୋଗ ବି କରି ନଥିବା ଅଭିଯୋଗ ହୋଇଛି। ଶିକ୍ଷକଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମାଆ ଉର୍ମିଳା ଦାବି କରିଛନ୍ତି। ଅନ୍ୟପକ୍ଷରେ ଦୁବାଇରେ ରହୁଥିବା ଗୋପାଳର ବାପା ଘଟଣା ବିଷୟରେ ଜାଣିବା ପରେ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ଆସନ୍ତାକାଲି ବ୍ଲକ୍ ଶିକ୍ଷା ବିଭାଗ ପକ୍ଷରୁ ଏହାର ତଦନ୍ତ ହେବାକୁ ଥିବା ବେଳ‌େ ଶିକ୍ଷକଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଦେଖିବାକୁ ବାକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe