Hindustan
ଭୁବନେଶ୍ବର: ଟ୍ରେନ୍ ଯାତ୍ରା ସମୟରେ ଅଯଥାରେ ଚେନ୍ ପୁଲିଙ୍ଗ୍ କଲେ କାର୍ଯ୍ୟାନୁଷ୍ଠାନ ହେବ। ଜେଲ୍ ଦଣ୍ଡ ବି ହୋଇପାରେ। ଲୋକଙ୍କୁ ସଚେତନ କରିବା ସହ ଏଭଳି କଡ଼ା ଚେତାବନୀ ଦେଇଛି ପୂର୍ବତଟ ରେଳପଥ। ରେଳପଥ ପକ୍ଷରୁ କୁହାଯାଇଛି ଯେ ଚେନ୍ ପୁଲିଙ୍ଗ୍ ଦ୍ବାରା ଟ୍ରେନ୍ ପରିଚାଳନା ଓ ସମୟାନୁବର୍ତ୍ତିତା ଉପରେ ପ୍ରଭାବ ପକାଇଥାଏ। ଟ୍ରେନ ଚଳାଚଳ ବିଳମ୍ବିତ ହୁଏ। ଏକ ବୈଧ, ଯୁକ୍ତିଯୁକ୍ତ ଓ ପର୍ଯ୍ୟାପ୍ତ କାରଣ ବିନା ଆଲାର୍ମ ଚେନ୍ ଟାଣିବା ରେଳ ନିୟମ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ। ଏପରି କରୁଥିବା ବ୍ୟକ୍ତିଙ୍କୁ ତିନି ମାସ ଜେଲ ଦଣ୍ଡ କିମ୍ବା ଏକ ହଜାର ପର୍ଯ୍ୟନ୍ତ ଜରିମାନା କରାଯିବ। ବାରମ୍ବାର ସଚେତନତା ଓ ଜରିମାନା ଲାଗୁ ପରେ ମଧ୍ୟ ଯାତ୍ରୀମାନେ ଏଥିସହ ଜଡ଼ିତ ନିୟମ ବିଷୟରେ ପ୍ରାୟତଃ ସଚେତନ ନୁହନ୍ତି। ବେଆଇନ ଭେଣ୍ଡିଂ ଓ ସୁରକ୍ଷା କର୍ମୀ, ଟିକେଟ୍ ଯାଞ୍ଚ କର୍ମଚାରୀଙ୍କ ନିକଟରୁ ବଞ୍ଚିବା ଲାଗି ରେଳ ସେକ୍ସନ ମଧ୍ୟରେ ଟ୍ରେନର ଶୃଙ୍ଖଳା ଟାଣିବା ରେଳବାଇ ନଜରକୁ ଆସୁଛି। ଏହାଦ୍ବାରା ରେଳପଥ ମଧ୍ୟ ବହୁ ରାଜସ୍ୱ ହରାଉଛି। ମାନବ ଜୀବନ ଓ ସମ୍ପତ୍ତି ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି। ଟ୍ରେନ୍ ଯାତ୍ରା ସମୟରେ ବୈଧ କାରଣ ବିନା ଶୃଙ୍ଖଳା ଟାଣିବା ସମ୍ପୂର୍ଣ୍ଣ ନିଷେଧ।
ଯାତ୍ରୀଙ୍କ ସୁରକ୍ଷା ପାଇଁ ଟ୍ରେନରେ ଚେନ୍ ଟାଣିବା ଉପରେ କଡ଼ା ନଜର ରଖିବା ପାଇଁ ପୂର୍ବତଟ ରେଳପଥ ଏହାର ତିନୋଟି ରେଳ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଓ ୱାଲଟିୟରକୁ ଏକ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ ଆରମ୍ଭ କରିବାକୁ ପରାମର୍ଶ ଦେଇଛି। ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ରେଳ ସୁରକ୍ଷା ବଳ(ଆରପିଏଫ), ସିଭିଲ ଡିଫେନ୍ସ ୱିଙ୍ଗ ଓ ପୂର୍ବତଟ ରେଳବାଇର ଅନ୍ୟ ରେଳ ଅଧିକାରୀ ଯାତ୍ରୀଙ୍କୁ ସଚେତନ କରିବା ପାଇଁ ଏହି ଅଭିଯାନରେ ଅଂଶଗ୍ରହଣ କରିଛନ୍ତି। ଏକ ବିଶାଳ ସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ଯାତ୍ରୀଙ୍କୁ କୌଣସି ବୈଧ କାରଣ ବିନା ଚେନ୍ ନ ଟାଣିବାକୁ ଚେତାବନୀ ଦିଆଯାଇଛି। ସହ-ଯାତ୍ରୀଙ୍କୁ ବୈଧ କାରଣ ବିନା ଚେନ୍ ଟାଣୁଥିବା ଲୋକଙ୍କୁ ବିରୋଧ କରିବାକୁ ଅନୁରୋଧ କରାଯାଇଛି। ଟ୍ରେନ ଯାତ୍ରା ସମୟରେ ଅଯଥାରେ ଚେନ୍ ଟାଣିବାକୁ ବିରୋଧ କରିବାକୁ ପୂର୍ବତଟ ରେଳପଥ ଯାତ୍ରୀଙ୍କୁ ଉପଦେଶ ଦେଇ କହିଛି ଯେ ସାମାନ୍ୟ ଜରୁରୀ ପାଇଁ ସେମାନେ ଟ୍ରେନ କଣ୍ଡକ୍ଟର, ଟିଟିଇ, ଆରପିଏଫ୍ ଟ୍ରେନ୍ ଏସକର୍ଟ ଦଳ, କୋଚ୍ ଆଟେଣ୍ଡାଣ୍ଟ ଏବଂ ଅନ୍ୟ କୌଣସି ଡ୍ୟୁଟିରେ ଥିବା ରେଳ କର୍ମଚାରୀଙ୍କୁ ସୂଚିତ କରିପାରିବେ।
Follow Us