ଆରମ୍ଭ ହେଲା ବଳ କଷାକଷି: ଗୋଟିଏ ଦିନରେ ଆନ୍ଧ୍ର ଓ କୋଟିଆରେ ନିର୍ବାଚନ

Advertisment
ଭୋଟ୍‌ ପୂର୍ବରୁ କୋଟିଆରେ ମାତିଲା ଆନ୍ଧ୍ର: ବିଭିନ୍ନ ଘରେ ବିଦ୍ୟୁତ୍‌ ମିଟର ଲଗାଇଲା

Tathya

କୋରାପୁଟ: ତାରିଖ ଘୋଷଣା ସହ ମତଦାନ ଦିବସ ପାଇଁ ଆରମ୍ଭ ହୋଇଯାଇଛି ଓଲଟା ଗଣନା। ଏହାସହିତ ଦୁଇ ପଡ଼ୋଶୀ ରାଜ୍ୟ ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ କୋଟିଆ ପାଇଁ ଛକାପଞ୍ଝା ଦେଖିବାକୁ ମିଳିଛି। ଗୋଟିଏ ଦିନରେ ହିଁ (ମେ’ ୧୩ତାରିଖ) ଆନ୍ଧ୍ର ସହ କୋରାପୁଟ ଜିଲ୍ଲାର କୋଟିଆରେ ମତଦାନ ହେଉଥିବାରୁ ଭୋଟ ହାରକୁ କେନ୍ଦ୍ରକରି ଦୁଇ ରାଜ୍ୟର ପ୍ରଶାସକଙ୍କ ମଧ୍ୟରେ ରୋଚକ ଲଢ଼େଇ ହେବ ବୋଲି ପୂର୍ବାନୁମାନ କରାଯାଉଛି। ଯାହାର କିଛି କିଛି ଆଭାସ ଏବେଠାରୁ ମିଳିଲାଣି।
ସୀମା ବିବାଦ ପ୍ରାୟ ୬୦ବର୍ଷ ପୁରୁଣା ହୋଇଥିଲେ ସୁଦ୍ଧା ଗତ ୧୦ବର୍ଷ ହେଲା ଟକରାଟକରି ସହ କଡ଼ା ବୟାନବାଜି କୋଟିଆରେ ବଡ଼ ପରିବର୍ତ୍ତନ ଆଣିଛି। ୨୦୧୯ ପରେ ପରିସ୍ଥିତି ଅଧିକ ଜଟିଳ ଏବଂ ସମ୍ବେଦନଶୀଳ ହୋଇଛି। ଗତ ନିର୍ବାଚନରେ କୌଣସି ପ୍ରକାର ଅଙ୍କୁଶ ନଥିବାରୁ କୋଟିଆବାସୀ ଉଭୟ ରାଜ୍ୟ ପାଇଁ ମତଦାନ କରିଥିଲେ। ତେବେ ସିଂହଭାଗ ଲୋକ ଓଡ଼ିଶାରେ ହିଁ ମତଦାନ କରିଥିଲେ। କିନ୍ତୁ ଏଥର ଯେଉଁ ପରିସ୍ଥିତି ଉତ୍ପନ୍ନ ହୋଇଛି, ସେଥିରୁ କୋଟିଆବାସୀଙ୍କ ଗୋଟିଏ ଗୋଟିଏ ଭୋଟ ପାଇଁ ବି ସଂଘର୍ଷ ଦେଖିବାକୁ ମିଳିବ ବୋଲି କୁହାଯାଉଛି। କାରଣ ୬ମାସ ହେଲା କୋଟିଆବାସୀଙ୍କ ସବୁ ଭୋଟ କେମିତି ଆନ୍ଧ୍ର ବୁଥ୍‌ରେ ପଡ଼ିବ ସେଥିପାଇଁ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଜୋର ଲଗାଇଛନ୍ତି। ବାରମ୍ବାର ଆନ୍ଧ୍ର ଅଧିକାରୀ ସଚେତନତା ଆଳରେ କୋଟିଆବାସୀଙ୍କୁ ଆନ୍ଧ୍ର ପାଇଁ ଭୋଟ ଦେବାକୁ ପ୍ରବର୍ତ୍ତାଉଛନ୍ତି। ଏପରିକି ମତଦାନ ହାର ଅତିକମ୍‌ରେ ୮୦ପ୍ରତିଶତ କରିବା ପାଇଁ ଆନ୍ଧ୍ର ଅଧିକାରୀ ଲକ୍ଷ୍ୟ ରଖିଛନ୍ତି। ପାର୍ବତୀପୁର ମାନ୍ୟମ ଜିଲ୍ଲା ନିର୍ବାଚନ ଅଧିକାରୀ ଏ. ରାଜଶେଖର ରେଡ୍ଡି ଗଣତନ୍ତ୍ରର ଏହି ମହାପର୍ବରେ କୋଟିଆବାସୀ ପ୍ରତିଥର ପରି ଏଥର ମଧ୍ୟ ସାମିଲ ହେବେ ବୋଲି କହିଛନ୍ତି।

ଅନ୍ୟପଟେ ଗୋଟିଏ ବି ‌ଭୋଟ ଯେମିତି ଏପଟ ସେପଟ ନହୁଏ ସେଥିପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ମଧ୍ୟ ରଣନୀତି କରିଛି। ଯଦିଓ ଏହି ରଣନୀତିର ଖୁଲାସା ଏପର୍ଯ୍ୟନ୍ତ ହୋଇନାହିଁ, କିନ୍ତୁ ଆଜି ଜିଲ୍ଲାପାଳ ଏବଂ ଏସ୍‌ପି ସାମ୍ବାଦିକ ସମ୍ମିଳନୀ କରି ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି। କୋଟିଆରେ ସ୍ବଚ୍ଛ ଏବଂ ନିରପେକ୍ଷ ନିର୍ବାଚନ କରିବାକୁ ପ୍ରଶାସନ ପ୍ରସ୍ତୁତ ବୋଲି ରୋକଠୋକ୍‌ କହିବା ସହ ପରୋକ୍ଷରେ ଆନ୍ଧ୍ରକୁ ସତର୍କ କରାଇଛନ୍ତି। ଓଡ଼ିଶାର ସମସ୍ତ ଭୋଟର ଓଡ଼ିଶା ପାଇଁ ହିଁ ଭୋଟ ଦେବେ। ଗ୍ରାମାଞ୍ଚଳରେ ଶତ ପ୍ରତିଶତ ମତଦାନ ପାଇଁ ପ୍ରସ୍ତୁତି ହୋଇଥିବା ଜଣାଇଛନ୍ତି। ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କହିଛନ୍ତି, ଏନେଇ ପାର୍ବତୀପୁରମ ମାନ୍ୟମ ଜିଲ୍ଲାପାଳଙ୍କ ସହ ପ୍ରଥମ ପର୍ଯ୍ୟାୟ ଆଲୋଚନା କରିଛୁ, ଆଗାମୀ ଦିନରେ ଆବଶ୍ୟକ ପଡିଲେ ଆହୁରି ଆଲୋଚନା ହେବ। ଦୁଇ ରାଜ୍ୟ ମଧ୍ୟରେ ଏମତି ବଳ କଷାକଷି ମଧ୍ୟରେ କୋଟିଆବାସୀଙ୍କ ମନରେ କ’ଣ ଚାଲିଛି ତାହା ବଡ଼ ପ୍ରଶ୍ନ। ଗତଥର ଭଳି ଦୁଇ ରାଜ୍ୟ ପାଇଁ ନା କେବଳ ଗୋଟିଏ ରାଜ୍ୟ ପାଇଁ ମତଦାନ କରିବେ ତାହା ଉତ୍କଣ୍ଠାକୁ ବଢ଼ାଇଛି। ଗତ ୫ବର୍ଷରେ କେଉଁ ରାଜ୍ୟ ଅଞ୍ଚଳବାସୀଙ୍କ ପାଇଁ କ’ଣ କରିଛନ୍ତି ତାହା ଏଥର ମତଦାନର ପ୍ରମୁଖ ମୁଦ୍ଦା ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe