ରାୟଗଡ଼ା: ଓଡ଼ିଶାର ରାୟଗଡ଼ା ଜିଲ୍ଲାର ଏକ ଲଜ୍ଜାଜନକ ଘଟଣା ଘଟିଛି। ଏକ ଆଦିବାସୀ ପରିବାରର ପ୍ରାୟ ୪୦ ଜଣ ସଦସ୍ୟଙ୍କୁ ସେମାନଙ୍କ ଘରର ଜଣେ ଝିଅ ଭିନ୍ନ ଜାତିର ପୁରୁଷଙ୍କୁ ବିବାହ କରିବା ପରେ ଲଣ୍ଡା ହେବା ସହିତ ଜାତିରେ ମିଶିବା ପାଇଁ'ଶୁଦ୍ଧିକରଣ' କରିବାକୁ ବାଧ୍ୟ କରାଯାଇଛି।
ସମ୍ପୃକ୍ତ ପରିବାର ସଦସ୍ୟଙ୍କ ମୁଣ୍ଡ ଲଣ୍ଡା କରାଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ସୋସିଆଲ ମିଡିଆରେ ୟୁଜରଙ୍କ ପକ୍ଷରୁ ନିନ୍ଦା କରାଯାଇଛି। ଏହି ଘଟଣା ଆଧୁନିକ ଭାରତରେ ଜାତି ପରମ୍ପରା ଉପରେ ବିତର୍କକୁ ପୁନର୍ଜୀବିତ କରିଛି।
ରାୟଗଡ଼ାର କାଶୀପୁର ବ୍ଲକର ଗରକପୁର ପଞ୍ଚାୟତ ଅନ୍ତର୍ଗତ ବାଇଗଣଗୁଡ଼ା ଗାଁରେ ଏହି ଘଟଣା ଘଟିଛି। ଅନୁସୂଚିତ ଜନଜାତି (ଏସଟି) ସମ୍ପ୍ରଦାୟର ଏହି ଯୁବତୀ ଜଣକ ସମ୍ପ୍ରତି ଅନୁସୂଚିତ ଜାତି (ଏସସି) ପୃଷ୍ଠଭୂମିର ଜଣେ ପୁରୁଷଙ୍କୁ ବିବାହ କରିଥିଲେ। ପରିବାରର ବିରୋଧ ସତ୍ତ୍ୱେ, ଦମ୍ପତି ପାରସ୍ପରିକ ପ୍ରେମ ଏବଂ ସମ୍ମତିରେ ସେମାନଙ୍କର ଆନ୍ତଃଜାତି ବିବାହ କରିଥିଲେ।
ବିବାହ ପରେ, ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିଲା, ପାରମ୍ପରିକ ଜାତି ନିୟମ ଉଲ୍ଲଂଘନ ଉପରେ ବାସିନ୍ଦାମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏକ ଗ୍ରାମ ବୈଠକ ଡକାଯାଇଥିଲା, ଯେଉଁଠାରେ ନିଷ୍ପତ୍ତି ନିଆଯାଇଥିଲା ଯେ, ଅନ୍ୟଜାତିରେ ବିବାହ କରିଥିବା ଯୁବତୀଙ୍କ ପରିବାର ସାମାଜିକ ନିୟମ ଉଲ୍ଲଂଘନ ଭାବରେ ସମ୍ପ୍ରଦାୟର ପରମ୍ପରା ଅନୁସାରେ 'ପ୍ରାୟଶ୍ଚିତ' କରିବା ପାଇଁ ଏକ ଶୁଦ୍ଧିକ୍ରିୟା କରିବାକୁ ପଡିବ।
ଏହି ପୂଜାର ଏକ ଅଂଶ ଭାବରେ, ମହିଳାଙ୍କ ପରିବାରର ୪୦ ଜଣ ସଦସ୍ୟଙ୍କୁ ଛେଳି ମାଂସ ଏବଂ କୁକୁଡ଼ା ମାଂସରେ ଭୋଜି ଦେବା ସହିତ ପ୍ରାୟଶ୍ଚିତ ଭାବରେ ଲଣ୍ଡା ହବାକୁ ବାଧ୍ୟ କରାଯାଇଥିଲା। ସ୍ଥାନୀୟ ରିପୋର୍ଟ ଅନୁସାରେ, ପରିବାର ସମସ୍ୟଙ୍କୁ ଚେତାବନୀ ଦିଆଯାଇଥିଲା ଯେ, ଯଦି ସେମାନେ ଏହି ସମ୍ପ୍ରଦାୟ ଦ୍ୱାରା ପ୍ରଦତ୍ତ ସର୍ତ୍ତାବଳୀ ପାଳନ ନ କରନ୍ତି, ତେବେ ସେମାନଙ୍କୁ ଗ୍ରାମରୁ ବାସନ୍ଦ କରାଯିବ। ଏନେଇ ପରିବାର ସଦସ୍ୟଙ୍କ ପକ୍ଷରୁ ଅଭିଯୋଗ ହୋଇଛି।
ଅଧକ ପଢ଼ନ୍ତୁ: ସ୍କୁଲ ପାଠ୍ୟକ୍ରମ-ସାର୍ବଜନୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଯୋଗକୁ ସାମିଲ କରାଯିବ: ମୁଖ୍ୟମନ୍ତ୍ରୀ
ସାମାଜିକ ବାସନ୍ଦ ଭୟରେ, ପରିବାର ଏହି ପରମ୍ପରା ପାଳନ କରିବାକୁ ରାଜି ହୋଇଥିଲେ। ମୁଣ୍ଡ ଲଣ୍ଡା କରାଯାଉଥିବାର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରୁ ସାମାଜିକ କର୍ମୀ, ଏବଂ ନାଗରିକ ସମାଜ ଗୋଷ୍ଠୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା।ସେମାନେ ଏହି କାର୍ଯ୍ୟକୁ ବ୍ୟକ୍ତିଗତ ଅଧିକାରର ଉଲ୍ଲଂଘନ ଏବଂ ସାମାଜିକ ନ୍ୟାୟର ଅପମାନ ବୋଲି କହି ନିନ୍ଦା କରିଥିଲେ।
ତେବେ ଏପର୍ଯ୍ୟନ୍ତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ।
ଅଧକ ପଢ଼ନ୍ତୁ: ହେଡିଙ୍ଗଲେ ଟେଷ୍ଟ : ଜୟସ୍ବାଲ, ଗିଲଙ୍କ ପରେ ଋଷଭ ପନ୍ତ ବି ମାରିଲେ ଶତକ
Rayagada | Crime