ଅଥୟ କଲା ୬୯ବର୍ଷ ତଳର ସ୍ମୃତି : ମାଛକୁଣ୍ଡ ବୁଲିଲେ ବିଦେଶୀ ଦମ୍ପତି

ଅଥୟ କଲା ୬୯ବର୍ଷ ତଳର ସ୍ମୃତି : ମାଛକୁଣ୍ଡ ବୁଲିଲେ ବିଦେଶୀ ଦମ୍ପତି

ଲମତାପୁଟ : ୬୯ବର୍ଷ ପରେ ମଧ୍ୟ ଭୁଲି ପାରିନାହାନ୍ତି ପିଲା ଦିନର ଚପଳତା। ଭାବବିହ୍ବଳ କଲା ଭଳି ଅନେକ ସ୍ମୃତି ଓ ଅନୁଭୂତି, ମାଟିର ମହକ, ନିଷ୍କପଟ ପବନ ଏମିତି ଟାଣିଲା ଯେ ସାତ ସମୁଦ୍ର ତେର ନଈ ପାର ହୋଇ ସୁଦୂର ଲଣ୍ଡନରୁ କୋରାପୁଟ ଚାଲି ଆସିଛନ୍ତି ଗୋଲ୍‌ଡ ଦମ୍ପତି। ସରଳ ଲୋକଙ୍କ ସ୍ବାଗତ ସେମାନଙ୍କୁ ଯେତିକି ଆକର୍ଷିତ କରିଥିଲା, ପିଲା ଦିନ ବିତାଇଥିବା ପ୍ରତ୍ୟେକ ସ୍ଥାନ ସେତିକି ରୋମାଞ୍ଚିତ କରିଥିଲା।

ସ୍ବାଧୀନତା ପୂର୍ବରୁ ଆରମ୍ଭ ହୋଇଥିଲା କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ। ଏହି ମେଗା ପ୍ରକଳ୍ପକୁ ସଂପୂର୍ଣ୍ଣ ରୂପ ଦେବାକୁ ସେହି ସମୟର ଦକ୍ଷ ଇଂଜିନିୟର ଇଂଲଣ୍ଡ ଏବଂ ଜର୍ମାନୀରୁ ଆସିଥିଲେ। ୧୯୫୦ ମସିହାରେ ଲଣ୍ଡନର ମୁଖ୍ୟଯନ୍ତ୍ରୀ ଜର୍ଜ ଏ. ଗୋଲ୍‌ଡ ଓ ସହକାରୀ ଯନ୍ତ୍ରୀ ରବର ନ୍ୟୁଗୋଲଡ ମଧ୍ୟ ଏହି ପ୍ରକଳ୍ପ ପାଇଁ ମାଛକୁଣ୍ଡରେ ପହଞ୍ଚିଥିଲେ। ସାଥିରେ ‌ଆସିଥିଲେ ସେମାନଙ୍କ ପରିବାର। ଜର୍ଜଙ୍କ ପୁଅ ରିଚାର୍ଡ ଏବଂ ରବରଙ୍କ ଝିଅ ଜେନିଫର ସେତେବେଳେ ମାତ୍ର ୪ରୁ ୫ବର୍ଷ ବୟସର ହୋଇଥିଲେ। କିଛି ବର୍ଷ ଏଠାରେ ବିତାଇବା ପରେ ପୁଣି ପରିବାର ସହ ଲଣ୍ଡନ ଚାଲି ଯାଇଥିଲେ ରିଚାର୍ଜ ଏବଂ ଜେନିଫର। କିନ୍ତୁ ଘରକୁ ଫେରିବା ପରେ ମଧ୍ୟ ବାପା, ମାଙ୍କ ଠାରୁ ମାଛକୁଣ୍ଡ ଏବଂ କୋରାପୁଟ ଜିଲ୍ଲା ସଂପର୍କରେ ଅନେକ କଥା ଶୁଣିଥିଲେ। ପିଲା ଦିନ ସେମାନେ କେମିତି ଏଠାରେ ବିତାଇଥିଲେ ତାହାର ଅନେକ ଫଟୋ ବି ଦେଖିଥିଲେ। ସମୟକ୍ରମେ ରିଚାର୍ଡଙ୍କ ହାତ ଧରିଥିଲେ ଜେନିଫର। ବାପା, ମା ଶୁଣାଇଥିବା କାହାଣୀ ସେମାନଙ୍କ ସ୍ମୃତିକୁ ଅଧିକ ତାଜା କରି ଦେଇଥିଲା। ଅନେକ ଥର କୋରାପୁଟ ଏବଂ ମାଛକୁଣ୍ଡ ଯିବା ପାଇଁ ଯୋଜନା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ନଥିଲା।

ଦୀର୍ଘ ୬୯ବର୍ଷର ବ୍ୟବଧାନ ପରେ ଆଜି ମାଛକୁଣ୍ଡରେ ପହଞ୍ଚିଥିଲେ ଗୋଲ୍‌ଡ ଦମ୍ପତି। ଜଳବିଦ୍ୟୁତ ପ୍ରକଳ୍ପ ବୁଲି ଦେଖିବା ସହ ପିଲାଦିନେ କେଉଁଠି ରହୁଥିଲେ, କେଉଁଠି ଖେଳୁଥିଲେ ତାହା ଦେଖିବାକୁ ଅଧିକ ଉତ୍କଣ୍ଠା ଦେଖାଇଥିଲେ। ଏବେ ବି ସେହି ପ୍ରାକୃତିକ ସୌନ୍ଦର୍ଯ୍ୟ ଅତୁଟ ରହିଥିବାରୁ ମନ୍ତ୍ରମୁଗ୍ଧ ହୋଇ ଯାଇଥିଲେ। ଆଖପାଖ ଗାଁକୁ ଯାଇ ସ୍ଥାନୀୟ ଲୋକଙ୍କୁ ଭେଟି ପିଲା ଦିନର କଥା କହିବାକୁ ଭୁଲି ନଥିଲେ। ବିଦେଶରୁ ଏହି ଦଂପତି ଆସୁଥିବା ଖବର ପୂର୍ବରୁ ମିଳିଥିବାରୁ ଜଳ ବିଦ୍ୟୁତ ପ୍ରକଳ୍ପର କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀ ଓ ସ୍ଥାନୀୟ ଯୁବଗୋଷ୍ଠୀ ଭବ୍ୟ ସ୍ବାଗତ ଜଣାଇଥିଲେ। ପ୍ରାୟ ୭ଦଶନ୍ଧି ମଧ୍ୟରେ ହୋଇଥିବା ପରିବର୍ତ୍ତନ ସଂପର୍କରେ ଜଣାଇଥିଲେ। କିଛି ବୟସ୍କ ଲୋକଙ୍କୁ ଭେଟିବା ମଧ୍ୟରେ ପୁରୁଣା ଦିନର ସବୁ ସ୍ମୃତି ପୁଣି ତାଜା ହୋଇଯାଇଥିଲା। ସାଥିରେ ଆଣିଥିବା କିଛି ଭିଡିଓ ଏବଂ ଫଟୋ ଅନ୍ୟମାନଙ୍କୁ ଦେଖାଇଥିଲେ। ସେହିପରି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଦୃଶ୍ୟକୁ ଏହି ଦମ୍ପତି ନିଜ ‌କ୍ୟାମେରାରେ ରେକର୍ଡ କରିଥିଲେ। ଲଣ୍ଡନରେ ଏହାକୁ ସେମାନେ ସମସ୍ତଙ୍କୁ ଦେଖାଇବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe