worth point and ISS africa
ନୂଆପଡ଼ା: ନୂଆପଡା ଜିଲ୍ଲା ସିନାପାଲି ବନ କର୍ମଚାରୀଙ୍କ ପଞ୍ଝାରେ ଶୁକ୍ରବାର ୪ ଆନ୍ତଃଜିଲ୍ଲା ବାଘନଖ ଓ ହାତୀଦାନ୍ତ ବେପାରୀ ପଡ଼ିଛନ୍ତି। ସେମାନଙ୍କ ପାଖରୁ ୪ କୋଟି ଟଙ୍କାର ହାତୀଦାନ୍ତ ସହ ବାଘନଖ ଜବତ କରାଯାଇଛି। ଏହି କାରବାର ଆନ୍ତର୍ଜାତିକ ବଜାରରେ ବହୁଳ ଚାଲିଥିବାରୁ ଏମାନଙ୍କ କାହା ସହିତ ଲିଙ୍କ୍ ରହିଛି ଓ ଏହି କାରବାରର ଚେର କେଉଁ ଯାଏଁ ଲମ୍ବିଛି ତାହାକୁ ନେଇ ବନ ବିଭାଗ ଖୋଳତାଡ଼ ଆରମ୍ଭ କରିଛି। ଛତିଶଗଡ଼ ବେପାରୀଙ୍କ ସହ ଏମାନଙ୍କ ଲିଙ୍କ୍ ଥିବା ସନ୍ଦେହ କରାଯାଉଥିବାରୁ ଅଧିକ ତଦନ୍ତ ଜାରି ରହିଛି। ଗିରଫ ହୋଇଥିବା ସିନାପାଲି ବ୍ଲକ ସଦର ଗ୍ରାମ କାପସିର ଧନେଶ୍ଵର ମେହେର (୪୫) ଗଣ୍ତାବାହାଲି ଗ୍ରାମର ମନୋଜ ମେହେର (୪୨) ଏବଂ କଳାହାଣ୍ଡି ଜିଲ୍ଲା ଏମ.ରାମପୁର ବ୍ଲକ ଟୁରଚିର ନୂଆଖାଉ ବାଗ (୬୦) ଓ ଚିତ୍ରସେନ ବାଗ (୩୨) ପ୍ରମୁଖ ଚାରିଜଣଙ୍କୁ ଶନିବାର କୋର୍ଟଚାଲାଣ କରାଯିବ ବୋଲି ଖଡିଆଳ ଡିଏଫ୍ଓ କହିଛନ୍ତି।
ସିନାପାଲି ବ୍ଲକ ସଦର ପଞ୍ଚାୟତ କାପସି ଗ୍ରାମ ପଦରଭଟା ଆମ୍ୱ ଗଛଠାରେ ଗୁରୁବାର ମନୋଜ ଓ ଧନେଶ୍ଵର ବାଘନଖ ଧରି ଗ୍ରାହକଙ୍କୁ ଅପେକ୍ଷା କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ସିନାପାଲି ବନାଞ୍ଚଳ ଅଧିକାରୀ ବିମଲ ପ୍ରକାଶ ଟୋକ୍ନୋଙ୍କ ନେତୃତ୍ବରେ ଏକ ଟିମ ଚଢଉ କରିଥିଲା। ଉଭୟଙ୍କୁ ଯାଞ୍ଚ କରିବା ପରେ ତାଙ୍କଠାରେ ଚିତା ବାଘ ନଖ ଥିବା ଜାଣିବାକୁ ପାଇଥିଲା। ପରେ ସେମାନଙ୍କୁ ସିନାପାଲି ବନ ବିଭାଗ କାର୍ଯ୍ୟାଳୟକୁ ଆଣି ସେମାନଙ୍କ କାହା କାହା ସହିତ ଲିଙ୍କ୍ ଅଛି ବୋଲି ପଚରାଯିବାରୁ କୌଣସି ଉତ୍ତର ମିଳିନଥିଲା। ମନୋଜଙ୍କ ମୋବାଇଲ ଯାଞ୍ଚ କରିବାରୁ ହାତୀଦାନ୍ତ ଫଟୋ ଥିବା ଦେଖିବାକୁ ମିଳିଥିଲା। ମନୋଜଙ୍କୁ ପଚାରିବାରୁ ସବୁ ସତକଥା ଓଗାଳିଥିଲା। ସେମାନଙ୍କ କାରବାରର ଖିଅ କଳାହାଣ୍ଡି ଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡ଼ିଥିଲା। କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର ବ୍ଲକ ଟୁରଚି ଗ୍ରାମର ଦୁଇ ଜଣଙ୍କ ପାଖରେ ହାତୀଦାନ୍ତ ଥିବା ଖବରପାଇ ବନବିଭାଗ ତତ୍ପର ହୋଇପଡିଥିଲା। ପରେ ଶ୍ରୀ ଟୋକ୍ନୋ ଖଡିଆଳ ଡିଏଫଓ ବିବେକ କୁମାରଙ୍କୁ ଜଣାଇଥିଲେ। ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ଶିବ ପ୍ରସାଦ ରଥଙ୍କ ନେତୃତ୍ବରେ ସିନାପାଲି ବନବିଭାଗ ସହ ଏକ ଟିମ ଗଠନ କରାଯାଇଥିଲା। ଏମ୍ ରାମପୁର ବନ ବିଭାଗ ସାହାଯ୍ୟରେ ଟୁରଚି ଗ୍ରାମରେ ଚଢଉ କରି ନୂଆଖାଉ ବାଗ ଓ ଚିତ୍ରସେନ ବାଗଙ୍କୁ ଗିରଫ କରି ତାଙ୍କଠାରୁ ଦୁଇ ଖଣ୍ତ ହାତୀଦାନ୍ତ ଜବତ କରାଯାଇଥିଲା ।
ଏହି ଚୋରା କାରବାର ଦିର୍ଘଦିନରୁ ଚାଲି ଆସୁଥିବା ବେଳେ ସିନାପାଲି ବନ ବିଭାଗ ଏହା ଉପରେ ନଜର ରଖିଥିଲା। ଶୁକ୍ରବାର ୪ଜଣ ଧରାପଡିବା ପରେ ଛତିଶଗଡ଼କୁ ଏହି ଚେର ଲମ୍ବିଥିବା ସନ୍ଦେହ କରାଯାଉଛି। ଅଧିକ ତଦନ୍ତ ଜାରି ରହିଛି ବୋଲି ଡିଏଫଓ ଖଡ଼ିଆଳ ବନ ନିବାସରେ ପ୍ରକାଶ କରିଛନ୍ତି । ଏହି ଦୁଇ ଖଣ୍ଡ ହାତୀଦାନ୍ତର ଓଜନ ୫ କେଜି ୨୦୦ ଗ୍ରାମ ଥିବାବେଳେ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୪ କୋଟି ଟଙ୍କା ହେବ ବୋଲି ବନବିଭାଗ ଅନୁମାନ କରିଛି। ବନ ବିଭାଗ ପକ୍ଷରୁ ନଂ ୧୬୩/୨୧ରେ ଏକ ମାମଲା ରୁଜୁ କରାଯାଇଛି। ଚଢ଼ଉବେଳେ ଖଡିଆଳ ବନଖଣ୍ଡ ଫରେଷ୍ଟର ଖଗେଶ୍ବର ମାଝୀ ଓ ସିନାପାଲି ବନ କର୍ମଚାରୀ ସହଯୋଗ କରିଥିଲେ ।
Follow Us