କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଲମ୍ବସରୀ ପଞ୍ଚାୟତ ପିଣ୍ଡାପଦର ଗାଁରେ ବୁଧବାର ରାତିରୁ ଉପଦ୍ରବ କରୁଥିବା ଏକ ଦନ୍ତାହାତୀକୁ ବନ ବିଭାଗ କାବୁ କରିଛି। ଗୁରୁବାର ରାତି ୮ଟା ସମୟରେ ସ୍ଥାନୀୟ ବନ ବିଭାଗ କର୍ମଚାରୀମାନେ ବରଗାଁ ପଞ୍ଚାୟତ ଲୁଇସିଂ ଗାଁରେ ହାତୀକୁ ଟ୍ରାଙ୍କୁଲାଇଜର ଦେଇ ଲୁହାଚେନ୍ରେ ବାନ୍ଧିବାରେ ସଫଳ ହୋଇଛନ୍ତି। ଶୁକ୍ରବାର ଏକ ସ୍ବତନ୍ତ୍ର ଗାଡ଼ି ସାହାଯ୍ୟରେ ହାତୀକୁ ନନ୍ଦନକାନନ ନିଆଯିବ ବୋଲି ନାରାୟଣପ୍ରସାଦ ସେକ୍ସନ ଫରେଷ୍ଟର ଚିତ୍ତରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଦନ୍ତାହାତୀଟି ବୁଧବାର ରାତି ପ୍ରାୟ ଗୋଟାଏ ବେଳେ ପିଣ୍ଡାପଦର ଗାଁକୁ ପଶି ଆସିଥିଲା। ଗ୍ରାମବାସୀ ତାକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ହାତୀ ସକାଳ ୫ଟା ପର୍ଯ୍ୟନ୍ତ ଗ୍ରାମରେ ଉପଦ୍ରବ କରିଥିଲା। କିଛି ଲୋକଙ୍କ ଘର ଭାଙ୍ଗିବା ସହ ଚାଷୀମାନଙ୍କ ବଗିଚାରେ ପଶି କଦଳୀ, ନଡ଼ିଆ ଗଛ, ଆମ୍ବ ବଗିଚା ଓ ଖଳାରେ ଥିବା ଧାନଖରି ସବୁ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ହାତୀଟି ଗ୍ରାମର ବୀର ନାଏକ, କବି ନାଏକ, ଶଙ୍କର ବାଘ, ସୂର୍ଯ୍ୟ ଥନାପତି, ଆନନ୍ଦ କହଁର ଓ ସୁପ୍ତେଶ୍ୱର ପ୍ରଧାନ ପ୍ରମୁଖଙ୍କ ବ୍ୟାପକ କ୍ଷୟକ୍ଷତି କରିଥିବା ସୂଚନା ମିଳିଛି।
ଦନ୍ତାକୁ ବାନ୍ଧିଲା ବନ ବିଭାଗ: ନନ୍ଦକାନନ ନିଆଯିବ
Advertisment
Follow Us