ହାତୀବଂଶ ବୁଡ଼ାଇଦେବେ: ୨୦୨ ହାତୀ କାହିଁକି ମଲେ ଜଙ୍ଗଲ ବିଭାଗକୁ ମାଲୁମ୍ ନାହିଁ

Advertisment

ଅଢ଼େଇ ମାସରେ ୧୨ ମଲେଣି, ୧୨ବର୍ଷରେ ୯୪୭, ଜଙ୍ଗଲ ବିଭାଗ ବେଫିକର, ଡିଏଫ୍‌ଓ ଗେହ୍ଲାପୁଅ

ଅଢ଼େଇ ମାସରେ ୧୨ ମଲେଣି, ୧୨ବର୍ଷରେ ୯୪୭, ଜଙ୍ଗଲ ବିଭାଗ ବେଫିକର, ଡିଏଫ୍‌ଓ ଗେହ୍ଲାପୁଅ

ବଣୁଆ ହାତୀ ଗ୍ରାମାଭିମୁଖୀ, ଲୋକେ ଆତଙ୍କିତ

firstpost.com

ଭୁବନେଶ୍ବର: ହାତୀ ମୃତ୍ୟୁକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଜିଲ୍ଲାରୁ ହାତୀ ମୃତ୍ୟୁର ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସୁଛି। କେନ୍ଦୁଝର ଜିଲ୍ଲାରେ ଟ୍ରେନ୍‌ ଧକ୍କାରେ ହାତୀ ମୃତ୍ୟୁର ଲୋମଟାଙ୍କୁରା ଦୃଶ୍ୟ ମନରୁ ଲିଭି ନ ଥିଲା। ଆଠଗଡ଼ ବନଖଣ୍ଡରେ ହାତୀଙ୍କୁ ଗୁଳି ମାଡ଼ ଘଟଣା ନୃଶଂସତାର ଆଉ ଏକ ଉଦାହରଣ ଭାବେ ରାଜ୍ୟ ଦେଖିଲା। କେବଳ ଏତିକି ନୁହେଁ। କେଉଁଠି ମାଟି ତଳୁ ହାତୀର କଙ୍କାଳ ଉଦ୍ଧାର ହେଉଛି ତ ଆଉ କେଉଁଠି ଖାଲ ଭିତରେ ପଡ଼ି ଛଟପଟ ହୋଇ ହାତୀର ଜୀବନ ଯାଉଛି। ଏତେସବୁ ପରେ ବି ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିଦ ଭାଙ୍ଗିନି। କର୍ତ୍ତୃପକ୍ଷ ନିଧଡ଼କ ଓ ବେଫିକର। ଘଟଣାରେ ତମ୍ବିତୋଫାନ ପରେ ଜଙ୍ଗଲ ବିଭାଗ ଦୁଇ ତିନି ଜଣ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ କରି ନିଜ ମୁଣ୍ଡରୁ ଦୋଷ ଝା଼ଡ଼ି ଦେଉଛନ୍ତି। କୌଣସି ଘଟଣାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାର ନଜିର ନାହିଁ। ସରକାରୀ ବଡ଼ପଣ୍ଡାମାନଙ୍କର ଏତେ ପ୍ରୀତି ଯେ କୌଣସି ଗୋଟିଏ ବି ଘଟଣାରେ ଡିଏଫ୍ଓଙ୍କୁ ଉତ୍ତରଦାୟୀ କରିବା ଲାଗି ହାତ ଯାଉନି। ଜଙ୍ଗଲ ହାନିରେ ସେମାନେ ଦାୟୀ ନୁହନ୍ତି କି ବନ୍ୟପ୍ରାଣୀଙ୍କର ମୃତ୍ୟରେ ବି। ସରକାରଙ୍କର ସେମାନେ ଗେହ୍ଲାପୁଅ।

କେବଳ ହାତୀ କଥା ବିଚାରକୁ ନେଲେ, ସାମ୍ନାକୁ ଆସୁଥିବା ପରିସଂଖ୍ୟାନ ଯେ କୌଣସି ବ୍ୟକ୍ତିଙ୍କୁ ବିଚଳିତ କରିପକାଇବ। ୨୦୨୧-୨୨ ବର୍ଷରେ ଓଡ଼ିଶାରେ ୭୪ଟି ହାତୀଙ୍କ ଜୀବନ ଯାଇଥିଲା। ମାତ୍ର ଚଳିତ ଆର୍ଥିକ ବର୍ଷ(୨୦୨୨-୨୩) ଅର୍ଥାତ୍‌ ଏପ୍ରିଲରୁ ଆଜି ପର୍ଯ୍ୟନ୍ତ ମୋଟ ୭୪ ଦିନ ମଧ୍ୟରେ ୧୨ଟି ହାତୀଙ୍କ ଜୀବନ ଯାଇଛି। ଦୁର୍ଘଟଣା, ବିଷକ୍ରିୟା, ବିଦ୍ୟୁତ୍‌ ଆଘାତ, ଟ୍ରେନ୍‌ ଧକ୍କା, ଶିକାରୀଙ୍କ କବଳରେ ପଡ଼ି ହାତୀଗୁଡ଼ିକ ଛଟପଟ ହୋଇ ପ୍ରାଣ ହରାଇଛନ୍ତି। ୨୦୨୧‌ରେ ମୁଣ୍ଡଳୀ ବ୍ୟାରେଜ୍‌ରେ ହାତୀ ମରିବା ଘଟଣା ପରେ କୌଣସିପ୍ରକାର ବିହିତ ପଦ‌କ୍ଷେପ ନିଆଗଲା ନାହିଁ। ଯେଉଁଥିପାଇଁ ଦୁଇଦିନ ତଳେ ପୁଣିଥରେ ମହାନଦୀରେ ଦୁଇଟି ହାତୀ ଫଶିବା ସହ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଛନ୍ତି। ଭୁବନେଶ୍ବର ନିକଟରେ ଥିବା ସବୁଠାରୁ ସମ୍ବେଦନଶୀଳ ଆଠଗଡ଼ ବନଖଣ୍ଡରେ ଯେଉଁଭଳି ଭାବେ ହାତୀଙ୍କ ଉପରେ ଅତ୍ୟାଚାର ଚାଲିଛି ତାହାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଏବେ ଚିନ୍ତିତ। ଥରୁଟିଏ ବି ଜଙ୍ଗଲର ବଡ ବାବୁମାନେ ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠ ଛାଡି ଏ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ଚାହୁଁନାହାନ୍ତି କି ତାଗିଦ୍ କରୁନାହାନ୍ତି। ଅନ୍ୟ ବନାଞ୍ଚଳ କଥା ନ କହିବା ଭଲ।

ପରିସଂଖ୍ୟାନ ଅନୁସାରେ, ୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ପ୍ରତିବର୍ଷ ଓଡ଼ିଶାରେ ହାରାହାରି ୩୩ଟି ହାତୀଙ୍କ ମୃତ୍ୟୁ ହେଉଥିଲା। ୨୦୦୧ରୁ ୨୦୧୦ ମଧ୍ୟରେ ଏହି ସଂଖ୍ୟା ୪୬କୁ ବୃଦ୍ଧି ପାଇଲା। ଗତ ୧୨ ବର୍ଷ ହେଲା ପ୍ରତିବର୍ଷ ହାରାହାରି ୭୬ଟି ହାତୀ ମୃତ୍ୟୁମୁଖରେ ପଡ଼ିଛନ୍ତି। ଗତ ପାଞ୍ଚବର୍ଷରେ ଅର୍ଥାତ୍ ୨୦୧୭ରୁ ୨୦୨୨ ମଧ୍ୟରେ ହାରାହାରି ୩୮୦ ହାତୀ ମଲେଣି। ଆହୁରି ଉଦ୍‌ବେଗର ବିଷୟ ହେଲା, ୨୦୧୦ ଏପ୍ରିଲ ମାସରୁ ଏପର୍ଯ୍ୟନ୍ତ ଓଡ଼ିଶାରେ ଯେଉଁ ୯୪୭ଟି ହାତୀଙ୍କର ମୃତ୍ୟୁ ହୋଇଛି ସେଥିମଧ୍ୟରୁ ୪୨୬ଟି ହାତୀ ଅର୍ଥାତ୍‌ ୪୫% ହାତୀଙ୍କର ମୃତ୍ୟୁ ପ୍ରାକୃତିକ କାରଣ ଭାବେ ହୋଇଥିବା ବନ ବିଭାଗ ଦର୍ଶାଇଛି। ହେଲେ ୨୦୨ଟି ହାତୀ ମୃତ୍ୟୁ କେଉଁ କାରଣ ପାଇଁ ହୋଇଛି ତାହା ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଜାଣିପାରିଲେନି। ଏହି ସମୟରେ ୧୩୩ଟି ହାତୀଙ୍କୁ ଶିକାର କରାଯାଇଛି; ବିଦ୍ୟୁତ୍ ଆଘାତରେ ୧୪୪ଟି ହାତୀଙ୍କର ମୃତ୍ୟୁ ହୋଇଛି। ଟ୍ରେନ୍ ଦୁର୍ଘଟଣାରେ ୩୬ଟି ଏବଂ ସଡ଼କ ଦୁର୍ଘଟଣାରେ ୬ଟି ହାତୀଙ୍କର ଜୀବନ ଯାଇଛି।

ଏବେ ଆଉ ଗୋଟିଏ ଘଟଣା ବନ୍ୟ ପ୍ରାଣୀ ବିଶେଷଜ୍ଞଙ୍କ ଚିନ୍ତା ଦ୍ବିଗୁଣିତ କରିଛି। ତାହା ହେଲା ଗତ ୮ ମାସ ହେଲା ହେଲା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହାତୀ କଙ୍କାଳ ଉଦ୍ଧାର ହେଉଛି। ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ, ସମ୍ବଲପୁର ଡିଭିଜନ୍‌ର ସଦର ରେଞ୍ଜରେ ହାତୀଙ୍କ କଙ୍କାଳ ଠାବ ହୋଇଥିଲା। ଏହାର କିଛି ମାସ ମଧ୍ୟରେ ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ବଡ଼ମ୍ବା ଓ ନରସିଂହପୁର ରେଞ୍ଜରେ ବି ହାତୀର ମୃତ ଦେହ ଜବତ ହେବା ଘଟଣା ବନ ବିଭାଗକୁ ସନ୍ଦେହ ଭିତରକୁ ଟାଣିଆଣିଛି। ଗତ ଆର୍ଥିକ ବର୍ଷରେ ୩ଟି ହାତୀ କଙ୍କାଳକୁ ଲୋକେ ଠାବ କରି ବନ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ। ଗତ ଅଢ଼େଇ ମାସରେ ଦୁଇଟି କଙ୍କାଳକୁ ଏସ୍‌ଟିଏଫ୍‌ ଜବତ କରିଛି। ପ୍ରଶ୍ନ ଉଠୁଛି, ହାତୀଙ୍କ ପ୍ରତି ବିପଦ ବଢ଼ୁଥିବା ସଂପର୍କରେ ସତରେ ବନ ବିଭାଗ ଅଧିକାରୀ ଜାଣିପାରୁ ନାହାନ୍ତି ନା ସବୁ ଜାଣି ଘଟଣାକୁ ଚାପିବାକୁ ଉଦ୍ୟମ କରୁଛନ୍ତି। ଏହା ପଛରେ ବଡ଼ ରୢାକେଟ୍‌ କାମ କରୁ ନାହିଁ ତ? ଏମିତି ଅନେକ ପ୍ରଶ୍ନ ଏବେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଆନ୍ଦୋଳିତ କରୁଛି। ଏସବୁର ଖୋଳତାଡ଼ ହେବା ଆବଶ୍ୟକ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ତଥା ୱାଇଲ୍ଡଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶାର ସମ୍ପାଦକ ବିଶ୍ବଜିତ୍‌ ମହାନ୍ତି କହିଛନ୍ତି। ଏଠାରେ ଉଲ୍ଲେଖଥାଉକି, ରାଜ୍ୟରେ ଏତେ ସଂଖ୍ୟାରେ ହାତୀ ମୃତ୍ୟୁ ହେଉଥିଲେ ହେଁ, ସେହି ଅନୁପାତରେ ହାତୀ ଜନ୍ମ ହେଉଛନ୍ତି କି ନାହିଁ, ସେ ଖବର କେହି ଜାଣନ୍ତି ନାହିଁ। କାରଣ ଗତ ୫ବର୍ଷ ହେଲା, ରାଜ୍ୟ ସରକାର ହାତୀ ଗଣନା ବି କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe