ବନ ବିଭାଗ ଚଢ଼ଉ, ଲକ୍ଷେ ଟଙ୍କାର କାଠ ଜବତ

ବନ ବିଭାଗ ଚଢ଼ଉ, ଲକ୍ଷେ ଟଙ୍କାର କାଠ ଜବତ

କାଳିଆପାଣି : ସୁକିନ୍ଦା ଫରେଷ୍ଟ ରେଞ୍ଜ ରାଁସୋଳ ସେକ୍ସନ ପକ୍ଷରୁ ଗତକାଲି ରାତିରେ ଚିଙ୍ଗୁଡ଼ିପାଳ ପଞ୍ଚାୟତର ଏକାଧିକ ସ୍ଥାନରେ ଚଢ଼ଉ କରାଯାଇ ୪ ଖଣ୍ଡ ସାଇଜ୍ ଶାଳକାଠ, ୪ଟି ବଡ଼ ଶାଳଗଣ୍ଡି ସହ ୨ଟି ସାଇକଲ୍‌ ଜବତ କରାଯାଇଛି। ହେଲେ ଅନ୍ଧାର ସୁଯୋଗରେ ମାଫିଆମାନେ କାଠ ଓ ସାଇକଲ୍ ଛାଡ଼ି ଫେରାର୍ ହୋଇଯାଇଥିଲେ। ରାତି ୧୦ଟା ବେଳକୁ ବାଘୁଆସାହିରୁ ସାଇକଲରେ କାଠ ବାନ୍ଧି ୨ ଜଣ କାଠ ମାଫିଆ ଢେଙ୍କାନାଳ ସୀମାନ୍ତ ଆଡ଼କୁ ଯାଉଥିବା ବେଳେ ବନ ବିଭାଗ ନଜରରେ ପଡ଼ିଥିଲେ। ଏଠାରୁ ୭ ଘନଫୁଟର ସାଇଜ୍ କାଠ ଜବତ ହୋଇଥିଲା।

ସେହିପରି ବିଳମ୍ବିତ ରାତି ଗୋଟାଏ ବେଳେ ମଇଁଷି ଗୋହଳରେ କାଠ ଚାଲାଣ ହେଉଥିବା ସୂଚନା ଆଧାରରେ ନା‌ତୋର ଗାଁ ପାଖରେ ଚଢ଼ଉ କରାଯାଇଥିଲା। ହେଲେ ଚଢ଼ଉର ପ୍ରାକ୍‌ ସୂଚନାପାଇ ମାଫିଆମାନେ ଗୋହଳ ଫିଟାଇ ଜଙ୍ଗଲରେ ଆତ୍ମଗୋପନ କରିବା ସହ ‌ଘଟଣାସ୍ଥଳରୁ ଚମ୍ପଟ୍‌ ମାରିବାରେ ସଫଳ ହୋଇଥିଲେ। ଏଠାରୁ ୪୫ ଘନଫୁଟ ଆୟତନ ବିଶିଷ୍ଟ ୪ଟି ଶାଳଗଣ୍ଡି ଉଦ୍ଧାର ହୋଇଥିଲା। ଏସବୁ କାଠର ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି।

ରେଞ୍ଜର ବିପିନ ବିହାରୀ ରାଉତରାୟ ଓ ରାଁସୋଳ ଫରେଷ୍ଟର ନରେଶ କୁମାର ଟୁଡ଼ୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହୋଇଥିବା ଏହି ଚଢ଼ଉରେ ଫରେଷ୍ଟଗାର୍ଡ ଗଙ୍ଗାଧର ମୁର୍ମୁ ଓ ସ୍କ୍ବାଡ୍‌ ଟିମ୍‌ ପକ୍ଷରୁ ଗୁରୁବା ମାଝି, ମହେନ୍ଦ୍ର ନାଏକ, ରବି ମହାନ୍ତ, କାଳନ୍ଦୀ ରଣା, ସଦାନନ୍ଦ ଦେହୁରୀ ପ୍ରମୁଖ ସାମିଲ ହୋଇଥିଲେ। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଫରେଷ୍ଟର ଶ୍ରୀ ଟୁଡ଼ୁ ଦୃଢ଼ୋକ୍ତି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe