The New Indian Express
ବୌଦ୍ଧ: ଚଳିତ ବର୍ଷ ମେ’ ମାସରେ ବୌଦ୍ଧ ବନଖଣ୍ଡରେ ତିନି ଦିନରେ ଦୁଇଟି ଦନ୍ତା ହାତୀର ଦାନ୍ତ ବିହୀନ ଗଳିତ ଶବ ଉଦ୍ଧାର ହୋଇଥିଲା। ଶିକାରୀଙ୍କୁ ଧରିବା ପାଇଁ ତଦନ୍ତ କରିବା ବେଳେ ବନ ବିଭାଗ ବିରିଗଡ଼ ଗ୍ରାମର ସୁଦର୍ଶନ ମାଝୀ ଓ ତାଙ୍କ ପରିବାରକୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଘଟଣା ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। କଳାହାଣ୍ଡି ଜିଲ୍ଲା ଭାବନୀପାଟଣା ସହର ବାହାଦୁରବଗିଚାପଡ଼ାର ଦିଲ୍ଲୀପ ଦାସ ଏହା ବିରୋଧରେ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ। କମିସନ ୨୪୭୫/୧୮/୧୯/୨୦୨୨ରେ ମାମଲା ରୁଜୁ କରିଥିଲେ।
ଘଟଣାର ତଦନ୍ତ ରିପୋର୍ଟ ୭ ଦିନ ମଧ୍ୟରେ ଦାଖଲ କରିବାକୁ ଜୁଲାଇ ମାସରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ବୌଦ୍ଧ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ କୌଣସି ଜବାବ ନମିଳିବାରୁ ୧୬.୯.୨୨ରେ ଦ୍ବିତୀୟ ନୋଟିସ ପଠାଇଛନ୍ତି। ୨୪ ତାରିଖ ସୁଦ୍ଧା ରିପୋର୍ଟ ପଠାଇବାକୁ ଇ-ମେଲ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ୨୪ ତାରିଖ ସୁଦ୍ଧା ରିପୋର୍ଟ ନପହଞ୍ଚିଲେ ପିଏଚଆର ଆକ୍ଟ ୧୯୯୩ର ୟୁ/ଏସ ୧୩ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ, ହାତୀ ଶିକାର ହେବା ପରେ ତଦନ୍ତ ଆଳରେ ବନ ବିଭାଗ ୪ ଜଣ ସ୍ଥାନୀୟ ଲୋକଙ୍କୁ ଘରୁ ଟେକି ଆଣି ଜେରା କରିଥିଲା। ପ୍ରଥମ ପର୍ଯ୍ୟାୟରେ ୩ ଜଣଙ୍କୁ ଓ ଦ୍ବିତୀୟ ପର୍ଯ୍ୟାୟରେ ବିରିଗଡ଼ ଗ୍ରାମର ସୁଦର୍ଶନ ମାଝୀଙ୍କୁ ଜେରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ସୁଦର୍ଶନ ଓ ତାଙ୍କ ପରିବାର ପ୍ରତି ବିଭାଗୀୟ ଅଧିକାରୀଙ୍କ ନିର୍ଯାତନା ସମସ୍ତ ସୀମା ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ସୁଦର୍ଶନଙ୍କୁ ଘରୁ ଉଠାଇ ଆଣିବା ବେଳେ ତାଙ୍କ ପତ୍ନୀ ସୁଜାତା ମଧ୍ୟ ଚାରି ଛୁଆଙ୍କୁ ଧରି ଗାଡ଼ିରେ ବସିଥିଲେ।
ରାତିରେ ସଂଜ୍ଞାହୀନ ଅବସ୍ଥାରେ ବିଭାଗୀୟ କର୍ମଚାରୀ ତାଙ୍କୁ ଘର ବାରଣ୍ଡାରେ ଗଡ଼ାଇ ଦେଇ ଚାଲି ଯାଇଥିଲେ। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ପରଦିନ ଗ୍ରାମର ଶତାଧିକ ପୁରୁଷ ମହିଳା ଏହାର ପ୍ରତିବାଦରେ ବୌଦ୍ଧ ଡିଏଫ୍ଓ ଅଫିସ ଘେରିଥିଲେ। ସେପଟେ ଜେରା କରିବା ବେଳେ ସୁଦର୍ଶନଙ୍କୁ ଅକଥନୀୟ ଅତ୍ୟାଚାର କରାଯାଇଥିବା ଅଭିଯୋଗ ହୋଇଥିଲା।
Follow Us