ପୁଣି ବଢ଼ୁଛି ବନାଗ୍ନି: ୯୯୪ ସ୍ଥାନରେ ଜଙ୍ଗଲ ଜଳୁଛି

Advertisment

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଭୟଙ୍କର ପରିସ୍ଥିତି

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଭୟଙ୍କର ପରିସ୍ଥିତି

ପୁଣି ବଢ଼ୁଛି ବନାଗ୍ନି: ୯୯୪ ସ୍ଥାନରେ ଜଙ୍ଗଲ ଜଳୁଛି

ଭୁବନେଶ୍ବର : ପ୍ରଥମେ ପଶ୍ଚିମା ଝଡ଼। ପରେ ପରେ କାଳବୈଶାଖୀ ପ୍ରଭାବରେ ପାଖାପାଖି ୨୦ ଦିନ ହେଲା ରାଜ୍ୟରେ କୋହଲା ପାଗ ଲାଗି ରହିଥିଲା। ତାପମାତ୍ରା କମିବା ସହ ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବାରୁ ରାଜ୍ୟରେ ଜଙ୍ଗଲ ନିଆଁ ହ୍ରାସ ପାଇଥିଲା। ମାତ୍ର ଗତ ସପ୍ତାହ ହେଲା ସାରା ଓଡ଼ିଶା ତତଲା ତାୱାରେ ଭାଜି ହେଉଛି। ୩ ଦିନ ହେଲା ସର୍ବୋ‌ଚ୍ଚ ତାପମାତ୍ରା ୪୦ ଡିଗ୍ରି ଉପରେ ରହୁଛି। ଝାରସୁଗୁଡ଼ା, ବାରିପଦା ସହରର ତାପମାତ୍ରା ୪୩ ଡିଗ୍ରି ଡେଇଁଛି। ଗୋଟିଏ ପଟେ ତାପମାତ୍ରା ହୁ’ ହୁ’ ହୋଇ ବଢ଼ୁ୍‌ଥିବା ବେଳେ ତା’ ସହ ତାଳ ଦେଇ ବଢ଼ି ଚାଲିଛି ବନାଗ୍ନି।

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବନାଗ୍ନି ଏବେ ଶୀର୍ଷରେ। କୋରାପୁଟ, କଳାହାଣ୍ଡି, ସମ୍ବଲପୁର, ବୌଦ୍ଧ, ଗଞ୍ଜାମ, କନ୍ଧମାଳର ଅଧିକାଂଶ ଜଙ୍ଗଲରେ ବଡ଼ଧରଣର ନିଆଁ ଲାଗିଛି। ଏଥିସହ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଜପତି, ବଲାଙ୍ଗୀର, ବାଲେଶ୍ବର, ନୟାଗଡ଼, ଅନୁଗୁଳ ଜିଲ୍ଲାରେ ମଧ୍ୟ ବନାଗ୍ନି ଚିହ୍ନଟ ହୋଇଛି। ବୁଧବାର ରାଜ୍ୟର ୭୭୦ଟି ସ୍ଥାନରେ ବନାଗ୍ନି ଚିହ୍ନଟ ହୋଇଥିଲା, ଯାହାକି ଆଜି ୯୯୪ରେ ପହଞ୍ଚିଛି। ହଜାରେମୁହାଁ ଧରିଥିବା ବନାଗ୍ନିକୁ ରୋକିବା ଲାଗି କର୍ମଚାରୀମାନେ ଲାଗି ପଡ଼ିଥିବା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

publive-image

ଚିନ୍ତାର ବିଷୟ ହେଉଛି ଯେ ଗତ ମାସରେ ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର ପ୍ରୟାସ ସତ୍ତ୍ବେ ଜଙ୍ଗଲ ନିଆଁରେ କୌଣସି ପ୍ରକାର ରୋକ ଆସିପାରିନାହିଁ, ବରଂ ଆଜି ମଧ୍ୟାହ୍ନରେ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ) ଦ୍ବାରା ଜାରି ତଥ୍ୟ ଅନୁଯାୟୀ, ଦେଶର ୬୨୫ଟି ସ୍ଥାନରେ ବଡ଼ଧରଣର ବନାଗ୍ନି ସୃଷ୍ଟି ହୋଇଛି। ସେଥିମଧ୍ୟରୁ କେବଳ ଓଡ଼ିଶାରେ ୮୫ଟି ରହିଛି, ଯାହାକି ଦେଶରେ ସର୍ବାଧିକ। ଏହା ତଳକୁ ତ୍ରିପୁରାରେ ୭୦, ଛତିଶଗଡ଼ରେ ୬୬, ଆସାମରେ ୬୫, ମଣିପୁରରେ ୫୫, ଝାଡ଼ଖଣ୍ଡରେ ୫୨, ଆନ୍ଧ୍ରପ୍ରଦେଶରେ ୪୨, ମଧ୍ୟପ୍ରଦେଶରେ ୩୪, ତେଲେଙ୍ଗାନାରେ ୩୦ଟି ବଡ଼ଧରଣର ବନାଗ୍ନି ସାମ୍ନାକୁ ଆସିଛି। ଓଡ଼ିଶାର କର୍ଲାପଟ ଅଭୟାରଣ୍ୟର ୪ଟି ସ୍ଥାନରେ ଜଙ୍ଗଲ ଜଳୁଛି। ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼, କଳାହାଣ୍ଡିର ମଦନପୁର ରାମପୁର, ସୁନ୍ଦରଗଡ଼ର ରାଜଗାଙ୍ଗପୁର, ହେମଗିର, ଉଜଲପୁର, ଝାରସୁଗୁଡ଼ାର ବେଲପାହାଡ଼, ବ୍ରଜରାଜନଗର, ବୌଦ୍ଧର କଣ୍ଟାମାଳ, କନ୍ଧମାଳର ସିମନ୍‌ବାଡ଼ି, ଫୁଲବାଣୀ, କେ ନୂଆଗାଁ, କୋଟାଗଡ଼, ବାଲିଗୁଡ଼ା, ସମ୍ବଲପୁରର ରାମପୁର, ନାକଟିଦେଉଳ, ରେଙ୍ଗାଲି, ମୋଚ୍ଚିବାହାଲ, ଗଜପତିର ବ୍ରହ୍ମଣୀଗାଁ, ରାମଗିରି, ଗଞ୍ଜାମର ସୋରଡ଼ା, ଦେବଗଡ଼ର ରିଆମାଳ, ଅନୁଗୁଳର ଆଠମଲ୍ଲିକ, ଛେଣ୍ତିପଦା, କେନ୍ଦୁଝରର ବିଜେପି ରେଞ୍ଜ, ତେଲକୋଇ, କେନ୍ଦୁଝର, ମୟୂରଭଞ୍ଜର ମାଣଦା, ନୱାନ, କୋରାପୁଟର ବୋରିଗୁମ୍ମା ରେଞ୍ଜରେ ବଡ଼ଧରଣର ବନାଗ୍ନି ସୃଷ୍ଟି ହୋଇଛି।

publive-image

ନଭେମ୍ବରରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୨୩ ହଜାର ୭୧୬ଟି ବନାଗ୍ନି ହୋଇଛି। ସେଥିମଧ୍ୟରୁ ସର୍ବାଧିକ କୋରାପୁଟ ସର୍କଲରେ ସୃଷ୍ଟି ହୋଇଥିବା ବେଳେ ଏହା ତଳକୁ ବ୍ରହ୍ମପୁର, ଭବାନୀପାଟଣା, ବାରିପଦା ଓ ରାଉରକେଲା ସର୍କଲ ରହିଛି। ଭୁବନେଶ୍ବର ଓ ଅନୁଗୁଳ ସର୍କଲରେ ସେତେ ବେଶି ଜଙ୍ଗଲ ନିଆଁ ଲାଗି ନାହିଁ। ଓଡ଼ିଶା ତଳକୁ ଆନ୍ଧ୍ରପ୍ରଦେଶରେ ୧୬ ହଜାର ୪୩, କର୍ଣ୍ଣାଟକରେ ୧୪ହଜାର ୪୮, ମହାରାଷ୍ଟ୍ରରେ ୧୧ ହଜାର ୩୩୦, ତେଲେଙ୍ଗାନାରେ ୧୦ ହଜାର ୭୪୨ ବନାଗ୍ନି ସୃଷ୍ଟି ହୋଇଛି। ଯଦି ଗତ ୭ ଦିନ କଥା ଦେଖିବା, ‌‌ତ୍ରିପୁରାରେ ସର୍ବାଧିକ ୩୬୪୪ଟି ଚିହ୍ନଟ କରାଯାଇଛି। ଏହା ତଳକୁ ଓଡ଼ିଶା‌ ୨୯୩୮ ବନାଗ୍ନି ସହ ଦ୍ବିତୀୟ ସ୍ଥାନରେ ରହିଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏବେ କିଭଳି ଭାବେ ଓଡ଼ିଶାରେ ବନାଗ୍ନି ବଢ଼ୁଛି। ଆସନ୍ତା ଦୁଇ ଦିନ ଓଡ଼ିଶାରେ ଆଦୌ ବର୍ଷା ନ ଥିବାରୁ ଜଙ୍ଗଲ ନିଆଁ ଭୟଙ୍କର ରୂପ ଧାରଣ କରିବ ବୋଲି ପରିବେଶବିତ୍‌ମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe