ଜଙ୍ଗଲ ନିଆଁ ମନୁଷ୍ୟକୃତ: ପିସିସିଏଫ୍‌

Advertisment

୧୪୩ ସ୍ଥାନରେ ବଡ଼ଧରଣର ବନାଗ୍ନି, ଆନ୍ଧ୍ରକୁ ଡେଇଁଯିବ ଓଡ଼ିଶା

୧୪୩ ସ୍ଥାନରେ ବଡ଼ଧରଣର ବନାଗ୍ନି, ଆନ୍ଧ୍ରକୁ ଡେଇଁଯିବ ଓଡ଼ିଶା

ବନାଗ୍ନି: ୧୨୩୭ ସ୍ଥାନ ଜଳୁଛି

ଭୁବନେଶ୍ବର : ଥମୁନି ଜଙ୍ଗଲ ନିଆଁ। ବରଂ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ବି ଦେଶର ସର୍ବାଧିକ ବଡ଼ ଧରଣର ନିଆଁ ଓଡ଼ିଶା ଜଙ୍ଗଲରେ ହିଁ ଲାଗିଛି। କେଉଁଠି ହୁତୁ ହୁତୁ ହୋଇ ଜଳୁଛି, ତ ଆଉ କେଉଁଠି କୁହୁଳି କୁହୁଳି ବ୍ୟାପୁଛି। ମୟୂରଭଞ୍ଜର ଶିମିଳିପାଳରେ ତିନି ଦିନ ହେଲା ନିଆଁ ଲିଭୁନାହିଁ। ଗଜପତି ଜିଲ୍ଲା ମୋହନାର ନାରଙ୍ଗୀ, ଖୋର୍ଦ୍ଧାର ବରୁଣେଇ, ବାଲେଶ୍ୱରର ସୋର, କୁଲଡିହା ପାହାଡ଼ରେ ଲାଗିଛି ନିଆଁ। ସମସ୍ତ ସର୍କଲରେ ନିଆଁ ଲାଗିବା ଏବେ ବନ ବିଭାଗ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଗ୍ରୀଷ୍ମ ଆରମ୍ଭରୁ ସ୍ଥିତି ଅଣାୟତଃ ହୋଇଥିବାରୁ ୨୦୨୧ ପରି ଏଥର ମଧ୍ୟ ଜଙ୍ଗଲ ନିଆଁ ଦେଶରେ ଶୀର୍ଷରେ ପହଞ୍ଚିବ ବୋଲି ପରିବେଶବିତ୍‌ମାନେ ଆକଳନ କରିଛନ୍ତି।

ସେପଟେ ନିଆଁ ବଢ଼ୁଥିବା ବେଳେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍‌) ଦେବୀଦତ୍ତ ବିଶ୍ବାଳ କହିଛନ୍ତି ଯେ ଜଙ୍ଗଲ ନିଆଁ ସମ୍ପୂର୍ଣ୍ଣ ମନୁଷ୍ୟକୃତ। ଜାଣିଶୁଣି ହେଉ କିମ୍ବା ଲୋକଙ୍କ ଅସାବଧାନତା ଯୋଗୁଁ ଜଙ୍ଗଲ ନିଆଁ ବ୍ୟାପୁଛି। ନିଆଁ ସମ୍ପର୍କରେ ଖବର ମିଳିବା କ୍ଷଣି ବନ ବିଭାଗର ରେସ୍ପନ୍ସ ଟିମ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରାଯାଉଛି। ଅକ୍ଟୋବରରୁ ଆଜି ଯାଏ ରାଜ୍ୟରେ ବର୍ଷା ହୋଇ ନାହିଁ। ଏବେ ଗ୍ରୀଷ୍ମ ପ୍ରବାହ ବଢୁଥିବାରୁ ଜଙ୍ଗଲ ନିଆଁ ଆହୁରି ଉଗ୍ର ରୂପ ନେଉଛି। ମୁକାବିଲା କରିବା ପାଇଁ ଆମେ ସମସ୍ତ ପ୍ରକାର ଉଦ୍ୟମ କରୁଛୁ।

publive-image

ଉଲ୍ଲେଖଥାଉକି, ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ(ଏଫ୍‌ଏସ୍‌ଆଇ) ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ଣ ସୁଦ୍ଧା ଦେଶର ବିଭିନ୍ନ ଜଙ୍ଗଲରେ ୬୦୭ଟି ସ୍ଥାନରେ ବଡ଼ଧରଣର ନିଆଁ ଲାଗିଛି। ସେଥିମଧ୍ୟରୁ ଓଡ଼ିଶାର ଜଙ୍ଗଲରେ ସର୍ବାଧିକ ୧୪୩ ସ୍ଥାନରେ ନିଆଁ ଲାଗିଥିବା ବେଳେ ଆନ୍ଧ୍ରପ୍ରଦେଶର ୧୦୬, କର୍ଣ୍ଣାଟକର ୮୬, ତେଲେଙ୍ଗାନାର ୫୧, ମଣିପୁରରେ ୩୩, ଛତିଶଗଡ଼ର ୩୧ଟି ସ୍ଥାନରେ ଭୟାବହ ବନାଗ୍ନି ସାମ୍ନାକୁ ଆସିଛି। ଏହାବ୍ୟତୀତ ଛୋଟ ନିଆଁକୁ ମିଶାଇ ଆଜିର ଦିନରେ ଓଡ଼ିଶାର ୯୫୩ଟି ସ୍ଥାନରେ ଜଙ୍ଗଲ ଜଳୁଥିବା ଏଫ୍‌ଏସ୍‌ଆଇ ରିପୋର୍ଟରେ ଦର୍ଶାଯାଇଛି। ଗତ ସପ୍ତାହକ ମଧ୍ୟରେ ଓଡ଼ିଶା ଜଙ୍ଗଲରେ ୩୪୧ଟି ସ୍ଥାନରେ ବଡ଼ଧରଣର ନିଆଁ ଲାଗିଛି, ଯାହାକି ଦେଶରେ ଦ୍ବିତୀୟ। ଆନ୍ଧ୍ରପ୍ରଦେଶଠା‌ରୁ ମାତ୍ର ଅଳ୍ପ ବ୍ୟବଧାନରେ ଓଡ଼ିଶା ରହିଛି। କାରଣ ଆନ୍ଧ୍ରପ୍ରଦେଶରେ ୩୬୨ଟି ନିଆଁ ସପ୍ତାହକ ମଧ୍ୟରେ ଚିହ୍ନଟ ହୋଇଛି। ନଭେମ୍ବର ମାସରୁ ଏପର୍ଯ୍ୟନ୍ତ ତଥ୍ୟକୁ ଦେଖିଲେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି।

ଆନ୍ଧ୍ରପ୍ରଦେଶରେ ୬୩୧, କର୍ଣ୍ଣାଟକରେ ୫୧୧, ଓଡ଼ିଶାରେ ୪୭୮ଟି ସ୍ଥାନରେ ବଡ଼ଧରଣର ନିଆଁ ଚିହ୍ନଟ ହୋଇଛି। ୨୦୨୨-୨୩ ବର୍ଷରେ ଓଡ଼ିଶାର ଜଙ୍ଗଲ ନିଆଁ ଦେଶରେ ଦ୍ବିତୀୟ। ଆନ୍ଧ୍ରପ୍ରଦେଶ ୮୫୪୯ ନିଆଁ ସହ ପ୍ରଥମ ସ୍ଥାନରେ ଥିବା ବେଳେ ଓଡ଼ିଶା ୭୩୫୮ ସହ ଦ୍ବିତୀୟରେ ରହିଛି। ଗତ ୭ଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶର ୪୭୩୪ଟି ସ୍ଥାନରେ ନିଆଁ ଥିବା ବେଳେ ଓଡ଼ିଶାରେ ୩୯୧୩ ଜଙ୍ଗଲ ନିଆଁ ଚିହ୍ନଟ ହୋଇଛି।

ବନ ବିଶେଷଜ୍ଞ ଏସ୍‌ କେ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ଯେ ବନାଗ୍ନି ରୋକିବାକୁ ହେଲେ ପ୍ରଥମେ ସାଧାରଣ ଲୋକ ସଚେନତ ହେବା ଆବଶ୍ୟକ। ମଧ୍ୟପ୍ରଦେଶରେ ଅଧିକ ଜଙ୍ଗଲ ରହିଥିଲେ ମଧ୍ୟ ଏତେ ଜଳୁ ନାହିଁ। ଓଡ଼ିଶାରେ କାହିଁକି ଜଳୁଛି ତାହା ପ୍ରଥମେ ଅନୁଧ୍ୟାନ କରିବାକୁ ପଡ଼ିବ। ବନ ସଂରକ୍ଷଣ ସମିତିକୁ ସାମିଲ କରି ଅଧିକରୁ ଅଧିକ‌ ଲୋକଙ୍କୁ ସଚେତନ କରିବାକୁ ପଡ଼ିବ। ଯେଉଁମାନେ ନିଆଁ ଲଗାଉଛନ୍ତି ସେମାନଙ୍କ ବିରୋଧ‌ରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe