ଜଙ୍ଗଲଜାତ ଫଳ ଚାରକୋଳି: ବନବାସୀଙ୍କୁ ଠକୁଛନ୍ତି ଦଲାଲ, ମଞ୍ଜି ସଂଗ୍ରହକାରୀଙ୍କୁ ମିଳୁନି ଉଚିତ ମୂଲ୍ୟ

Advertisment
ଜଙ୍ଗଲଜାତ ଫଳ ଚାରକୋଳି: ବନବାସୀଙ୍କୁ ଠକୁଛନ୍ତି ଦଲାଲ, ମଞ୍ଜି ସଂଗ୍ରହକାରୀଙ୍କୁ ମିଳୁନି ଉଚିତ ମୂଲ୍ୟ

କରଞ୍ଜିଆ ଗୋଲେଇ: ଚାରକୋଳି ଏକ ଜଙ୍ଗଲ ଜାତୀୟ ଫଳ। ଏହି ଫଳର ମଞ୍ଜିରୁ ବାହାରୁଥିବା ଦାନାର ଦେଶ ବିଦେଶରେ ଚାହିଦା ଅଧିକ। ହେଲେ ଜଙ୍ଗଲରୁ ସଂଗ୍ରହ କରୁଥିବା ବନବାସୀ ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ସଚେତନତା ଅଭାବରୁ ବନବାସୀ ଏହାର ମୂଲ୍ୟ ଜାଣି ନଥିବାରୁ ଅତି କମ୍‌ ମୂଲ୍ୟରେ ବିକ୍ରି କରୁଛନ୍ତି। ମୂଲ୍ୟ ତ ନୁହେଁ ସେମାନେ ମଞ୍ଜି ବଦଳରେ ଲୁଣ ଅନ୍ୟ ଜିନିଷ ବଦଳରେ ମଧ୍ୟ ବିକିଥାନ୍ତି।

ଗ୍ରୀଷ୍ମ ଋତୁରେ ଚାର ଗଛରେ କୋଳି, ପେନ୍ଥା ପେନ୍ଥା ହୋଇ ଫଳିଥାଏ। କୋଳିର ମଞ୍ଜି ଭିତରେ ଥିବା ବାଦାମୀ ରଙ୍ଗର ଛୋଟ ଛୋଟ ଗଜାର ମୂଲ୍ୟ କିଲୋ ପ୍ରତି ଏକ ହଜାର ଟଙ୍କାରୁ ଅଧିକ। ଏବର୍ଷ ପ୍ରଚୁର ମାତ୍ରାରେ ଚାରକୋଳି ଜଙ୍ଗଲରେ ଫଳିଛି। ଖଟା ମିଠା ଲାଗୁଥିବା ଏହି କୋଳି ଏବେ ଗାଁ ଗଣ୍ଡାରେ ମିଳୁଛି। ବଜାରକୁ ଆସିବା ପୂର୍ବରୁ ବେପାରୀମାନେ ଗାଁକୁ ଯାଇ ଶସ୍ତା ଦରରେ କିଣି ବେଶ ଲାଭବାନ ହେଉଛନ୍ତି। ଏହି ମଞ୍ଜିକୁ ହିନ୍ଦୀ ଭାଷାରେ ଚିରଞ୍ଜି ଦାନା କୁହାଯାଏ। ଚାରମଞ୍ଜି ଗୁଡ଼ିକୁ କିଣିବା ପରେ ମହାଜନ ମେସିନ ଦ୍ୱାରା  ପ୍ରୋସେସିଂ କରି ଦେଶ, ବିଦେଶକୁ ପଠାଇ ଲାଭବାନ ହେଉଛନ୍ତି। ବିଦେଶରେ ଚାର ମଞ୍ଜିର ମୂଲ୍ୟ କାଜୁର ଦାମଠୁ ଅଧିକା ରହିଛି। ଚାର ମଞ୍ଜି ସହ ବାଦାମ ଖାଇଲେ ଦେହକୁ ଗରମ କରିଥାଏ। ତେଣୁ ଥଣ୍ଡା ଦେଶ ମାନଙ୍କରେ ଚାହିଦା ବେଶ ରହିଛି।

ବନବାସୀ ଚାର ଗଛରୁ ସଂଗ୍ରହ କରିବା ପରେ ବସ୍ତାରେ ରଖି ନଦୀ, ନାଳରେ ବେଶ ଭଲ  ଭାବେ ଧୋଇ ମଞ୍ଜିକୁ ସଫା କରିବା ପରେ ବିକ୍ରି କରିଥାନ୍ତି। ଏବେ ବେପାରୀମାନେ ଘର ଘର ବୁଲି ମଞ୍ଜି ସଂଗ୍ରହ କରି ବାହାରକୁ ପଠାଉଛନ୍ତି। ତେବେ ଏହି ଖଟା ମିଠା ସୁଆଦିଆ ଫଳ ଗାଁ, ହାଟ, ବଜାର‌ରେ ଠେଲାରେ ବିକ୍ରି ହେଉଥିବା ଆଉ ଦେଖିବାକୁ ମିଳୁନି। ସରକାର ଲଘୁ ବନଜାତ ଦ୍ରବ୍ୟ ବନବାସୀଙ୍କ ଠାରୁ ଡିଡିସି ମାଧ୍ୟମରେ କ୍ରୟ କରିଥାନ୍ତି। ଏଥିପାଇଁ ଦର ନିର୍ଦ୍ଧାରଣ ମଧ୍ୟ ହୋଇଥାଏ। ଜଙ୍ଗଲ ବିଭାଗ ପକ୍ଷରୁ ବନାଞ୍ଚଳ ଅଧିବାସୀଙ୍କୁ ବିଭିନ୍ନ ପ୍ରକାର ସଚେତନତା ରଥ ମାଧ୍ୟମରେ ପ୍ରଚାର ମଧ୍ୟ କରାଯାଉଛି। ତେବେ ଚାର ମଞ୍ଜିର ଚାହିଦା ସଂପର୍କରେ ବନବାସୀଙ୍କୁ ପ୍ରଚାର ପ୍ରସାର କଲେ ସେମାନେ ଲୁଣ କିମ୍ବା ଶାମମାଛ ଦରରେ ବେପାରୀଙ୍କୁ ନ ଦେଇ ସରକାରଙ୍କୁ ଉଚିତ ଦରରେ ବିକ୍ରି କରି ପାରିବେ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe