ଠିକା କାମରେ ଜଙ୍ଗଲ ଜମି ପଥର : ଚେଇଁ ଶୋଇଛି ବନ ବିଭାଗ, ତଦାରଖ କରୁନି ଜଳସେଚନ ବିଭାଗ

Advertisment
ଠିକା କାମରେ ଜଙ୍ଗଲ ଜମି ପଥର : ଚେଇଁ ଶୋଇଛି ବନ ବିଭାଗ, ତଦାରଖ କରୁନି ଜଳସେଚନ ବିଭାଗ

ବୌଦ୍ଧ/ବାଉଁଶୁଣି : ଜଙ୍ଗଲ ଜଗିଛି ବନ ବିଭାଗ। ବନ ବିଭାଗର ଛତ୍ରଛାୟାରେ ଠିକାଦାର ଲୁଟୁଛି ଜଙ୍ଗଲଜମିରୁ ପଥର। ପୋକ୍‌ଲିନ ମେସିନ ଲଗାଇ ଠିକାଦାର ରାତିଅଧିଆ ଜଙ୍ଗଲରୁ ପଥର ଲୁଟ୍ କରୁଛି। ପ୍ରଥମେ ଜଙ୍ଗଲର ଗଛ ଉପାଡ଼ି ମେସିନରେ ପଥର ଖୋଳାଯାଉଛି। ସାରାରାତି ଚୋରାଚାଲାଣ ହେବାପରେ ସକାଳେ ସବୁ ଚୁପଚାପ୍। କାର୍ଯ୍ୟସ୍ଥଳରେ ଶହ ଶହ ଗାଡ଼ି ପଥର ଜମାକରି କୃତ୍ରିମ ପାହାଡ଼ ସୃଷ୍ଟି ହେଲାଣି। ହେଲେ ବନ ବିଭାଗ ଚୁପ୍। ଠିକାଦାର ଓ ବନ ବିଭାଗର ସଲାସୁତୁରାରେ ଚାଲିଛି ଜଙ୍ଗଲ ଲୁଟ୍। ଏଭଳି ଦୃଶ୍ୟ ମନମୁଣ୍ଡା ରେଞ୍ଜ ଘୁଗୁରୁମୁଣ୍ଡା ଓ ପଉକା ଗାଁ’ ମଝିରେ ଥିବା ଜଙ୍ଗଲ ଜମିରେ ଦେଖାଯାଇଛି।

publive-image

ଅଭିଯୋଗ ଅନୁସାରେ, ବାଉଁଶୁଣି ନିକଟରେ ମହାନଦୀ ଓ ବାଘନଦୀ ମୁହାଣ ରହିଛି। ବନ୍ୟା ସମୟରେ ମହାନଦୀ ଜଳ ଫୁଲି ବାଘନଦୀ ଭିତରକୁ ପଶିଆସେ। ଫଳରେ ପ୍ରତି ବର୍ଷ ବାଉଁଶୁଣି ପଟ କୂଳ ନଦୀରେ ମିଶି ଚାଲିଛି। ଏହାକୁ ରୋକିବା ପାଇଁ ଜଳସେଚନ ବିଭାଜିକା ପକ୍ଷରୁ ବାଘନଦୀ କୂଳରେ ପଥର ଡମ୍ପିଂ ନିର୍ମାଣ କରାଯାଉଛି। ଟେଣ୍ଡର ପାଇ ଏକ ଠିକା କମ୍ପାନୀ କାମ ଆରମ୍ଭ କରିଛି। ସମସ୍ତ ସରକାରୀ କାମରେ କ୍ରସର ପଥର ବ୍ୟବହାର ହେବା ନିୟମ ରହିଛି। ହେଲେ ଏଠାରେ ସରକାରୀ ନିୟମ ଉଲ୍ଲଂଘନ କରାଯାଉଛି। ଏଠାରେ ଜମା ହୋଇଥିବା ପଥରକୁ ଦେଖିଲେ ଜଙ୍ଗଲ ଖୋଳି ବାହାର କରାଯାଇଥିବା ସ୍ପଷ୍ଟ ଜଣାପଡୁଛି। ଏହାର ସତ୍ୟତା ଜାଣିବା ପାଇଁ ସମ୍ବାଦ ଟିମ୍ ପଥର ଖୋଳା ଯାଇଥିବା ଜଙ୍ଗଲରେ ପହଞ୍ଚିଥିଲା। ଘୁଗୁରୁମୁଣ୍ଡା ଗାଁ’ ନିକଟରୁ ଜଙ୍ଗଲ ମଧ୍ୟଦେଇ ପକା ଯାଇଥିବା ରାସ୍ତା ପାର୍ଶ୍ବର ଜଙ୍ଗଲ ଜମିରୁ କିଭଳି ପଥର ଲୁଟ୍ ହୋଇଛି ତା’ର ଚିତ୍ର ଜଳଜଳ ହୋଇ ଦିଶୁଛି।

publive-image

ଜଙ୍ଗଲରେ ଥିବା ଗଛପତ୍ର ଉପାଡ଼ି ନଷ୍ଟକରି ବଡ଼ ବଡ଼ ପଥର ଖୋଳି ନିଆଯାଇଛି। ପ୍ରୋକ୍‌ଲିନ ମେସିନ ଚେନ୍‌ ଚାଲି ଜଙ୍ଗଲ ସମତଳ ଭୂମିର ରୂପ ନେଇଛି। ସ୍ଥାନୀୟ ଲୋକଙ୍କୁ ପଚାରିବାରେ ରାତିରେ ମେସିନ ସାହାଯ୍ୟରେ ପଥର ଖୋଳି ବାଘନଦୀ କୂଳକୁ ନେଉଥିବା ପ୍ରକାଶ କରିଛନ୍ତି। ନିକଟରେ ବନ ବିଭାଗର ଗୁଡ଼ଭଙ୍ଗା ବନ ସୁରକ୍ଷା ସମିତି ମଧ୍ୟ ରହିଛି। ତାରବାଡ଼ ଦେଇ ବିଭିନ୍ନ ଗଛ ଲଗା ହୋଇଛି। ଏହି ସ୍ଥାନକୁ ମଧ୍ୟ ଲୁଟେରା ଛାଡ଼ି ନାହାନ୍ତି। ବିସ୍ତୀର୍ଣ୍ଣ ଅଞ୍ଚଳର ଜଙ୍ଗଲ ଧ୍ବଂସ କରି ପଥର ଚୋରାଚାଲାଣ ହୋଇଛି। ଜଳସେଚନ ବିଭାଗ ମଧ୍ୟ ଠିକାଦାରକୁ ଉଚ୍ଚ ଆସନ ଦେଇଛି। ଠିକାଦାରର ଚାପରେ ବିଭାଗୀୟ ଯନ୍ତ୍ରୀ ପାଖ ମାଡୁନାହାନ୍ତି। ଏବେ ଉଭୟ ବିଭାଗର କାର୍ଯ୍ୟଦକ୍ଷତା ଓ ସ୍ବଚ୍ଛତା ବାଜିରେ ଲାଗିଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଚଢ଼ଉ କରି ଠିକାସଂସ୍ଥା ଓ ଉଭୟ ବିଭାଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe