ଜଙ୍ଗଲ ଲୁଟ୍‌ ଉପରେ ବନ ବିଭାଗର ଅଙ୍କୁଶ ନାହିଁ : ବେଆଇନ୍ ଭାବେ ଜଙ୍ଗଲରୁ କାଠ କଟା ସହ ଚାଲିଛି ଅବାଧ ବନ୍ୟଜନ୍ତୁ ଶିକାର

Advertisment
ଜଙ୍ଗଲ ଲୁଟ୍‌ ଉପରେ ବନ ବିଭାଗର ଅଙ୍କୁଶ ନାହିଁ : ବେଆଇନ୍ ଭାବେ ଜଙ୍ଗଲରୁ କାଠ କଟା ସହ ଚାଲିଛି ଅବାଧ ବନ୍ୟଜନ୍ତୁ ଶିକାର

ନୂଆଗାଁ : ନୟାଗଡ଼ରେ ଏକ ବଡ଼ ଧରଣର ଜଙ୍ଗଲ ଲୁଟ୍ ହୋଇଥିବା ନଜରକୁ ଆସିଛି। ପ୍ରତିଦିନ କାଠ ମାଫିଆମାନେ ଜଙ୍ଗଲରେ ପଶି ନିର୍ଦ୍ବନ୍ଦ୍ବରେ ବେଆଇନ୍ ଭାବେ କାଠ କାଟି ନେଉଛନ୍ତି। ଏମିତି ପ୍ରତିଦିନ ଜଙ୍ଗଲ ଲୁଟ୍ ହେଉଥିଲେ ମଧ୍ୟ ବନ ବିଭାଗ ପାଖରେ ଏହାର ଟିକେ ବି ସୁରାକ୍ ନାହିଁ। ଏହା ଏଠି ସେଠି ନୁହେଁ, ବନ ବିଭାଗର ନାକ ତଳେ ଜଙ୍ଗଲ ଲୁଟ୍ ଚାଲିଥିବା କୁହାଯାଉଛି। ବନ କର୍ମଚାରୀମାନେ ସବୁ ଜାଣି ଅଜଣା ରହିବା ସମସ୍ତଙ୍କୁ ପରିହାସ କରୁଛି। ନୟାଗଡ଼ ସଦର ବନାଂଚଳ ଅଧୀନରେ ଥିବା ଖେଡ଼ପଡା ଫରେଷ୍ଟ ଧୋଡ଼ାପଲ୍ଲୀ ନିକଟରେ ଥିବା ହାତୀମୁଣ୍ତା ଜଙ୍ଗଲରୁ ବେଆଇନ୍ କାଠ କଟା ହେଉଥିବା ଦେଖିବାକୁ ମିଳିଛି। ଏହି ଘଟଣା ଜଣାପଡ଼ିବା ପରେ ସଦର ବନାଞ୍ଚଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କାଠକୁ ଜବତ କରିବା ସହିତ କାର୍ଯ୍ୟାଳୟକୁ ଆଣିଛନ୍ତି। ତେବେ ଏଥିପାଇଁ ବନାଞ୍ଚଳ ଅଧିକାରୀ ଫରେଷ୍ଟଗାର୍ଡକୁ ସଂପୂର୍ଣ୍ଣ ଭାବେ ଦାୟୀ କରିଛନ୍ତି।

publive-image

ଘଟଣାରୁ ପ୍ରକାଶ, ନୟାଗଡ଼ ଜିଲ୍ଲାରେ ରହିଛି ଅଝାଡ଼ ଝାଡ଼ ଜଙ୍ଗଲ। ଜିଲ୍ଲାକୁ ଚାରିପଟୁ ଘେରି ରହିଥିବା ଜଙ୍ଗଲରେ ମୂଲ୍ୟବାନ୍ ଗଛ ଏବଂ ବନ୍ୟଜନ୍ତୁମାନେ ଏବେ ଅସୁରକ୍ଷିତ ହୋଇ ପଡ଼ିଛନ୍ତି। ଗୋଟିଏ ପଟେ କାଠ ମାଫିଆମାନେ ଜଙ୍ଗଲ ଧ୍ବଂସ କରି ଚାଲିଥିଲା ବେଳେ ଆଉ ଗୋଟିଏ ପଟେ ଶିକାରୀମାନେ ଜଙ୍ଗଲରେ ପଶି ବନ୍ୟଜନ୍ତୁଙ୍କୁ ଅବାଧ ଶିକାର କରି ଚାଲିଛନ୍ତି। ଏମିତି ବର୍ଷସାରା ବେଆଇନ୍ କାର୍ଯ୍ୟ ଚାଲିଥିଲେ ମଧ୍ୟ ବନ ବିଭାଗର ନିଘା ନାହିଁ। ଆଜି ପର୍ଯ୍ୟନ୍ତ ନା କାଠମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଛି ନା ଶିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଆଉ କେତେକ ସ୍ଥାନରେ ବନ କର୍ମଚାରୀମାନେ କାଠମାଫିଆଙ୍କ ସହିତ ସାଲିସ୍‌ ହୋଇ କାଠ ଚୋରା ଚାଲାଣ କରି ଚାଲିଛନ୍ତି। କିଛିଦିନ ଧରି ଖେଡ଼ପଡା ଫରେଷ୍ଟ ଧୋଡ଼ାପଲ୍ଲୀ ନିକଟରେ ଥିବା ହାତୀମୁଣ୍ତା ଜଙ୍ଗଲକୁ କାଠମାଫିଆମାନେ ଟାଗେର୍ଟ କରି କାଠ ଲୁଟ୍ କରୁଛନ୍ତି। ପ୍ରତିଦିନ ବିରାଟକାୟ ଗଛକୁ କାଟି ହଳ, ଶଗଡ଼ ଏବଂ ପିକ୍ଅପ୍ ଭ୍ୟାନ୍ ଦ୍ବାରା ବୋହି ନେଉଛନ୍ତି। ହାତୀମୁଣ୍ତା ଜଙ୍ଗଲରେ ଆଜି ଅନେକ ବିରାଟକାୟ ଶାଳଗଛ କଟା ହୋଇ ପଡ଼ିଥିବାର ଦେଖିବାକୁ ମିଳିଥିଲା।

ଖବର ଜଣାପଡ଼ିବା ପରେ ବନାଚଳ ଅଧିକାରୀ ସୁଶାନ୍ତ କୁମାର ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ଗଛ କଟା ହୋଇଥିବା ଜାଣିବାକୁ ପାଇଥିଲେ ଏବଂ କାଠକୁ ଜବତ କରି ନୟାଗଡ଼ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଛନ୍ତି। ତେବେ ବନାଞ୍ଚଳ ଅଧିକାରୀ ଫରେଷ୍ଟଗାର୍ଡ ମୁରଲୀଧର ରାଉତଙ୍କୁ ସଂପୂର୍ଣ୍ଣ ଭାବେ ଦାୟୀ କରିଛନ୍ତି। ସେହି ସ୍ଥାନ ଦେଇ ଫରେଷ୍ଟଗାର୍ଡ ପ୍ରତିଦିନ ଯିବା ଆସିବା କରୁଥିଲା ବେଳେ ଏହା କିପରି ନଜରକୁ ନ ଆସିଲା ବୋଲି ବନାଂଚଳ ଅଧିକାରୀ ଶ୍ରୀ ସ୍ବାଇଁ କହିଛନ୍ତି। ତେବେ ସେ ଖେଡ଼ପଡା ଫରେଷ୍ଟର ସୁମନ୍ତ କୁମାର ପରିଡ଼ାଙ୍କୁ ଗଛ କିପରି କଟିଲା, କିଏ କାଟିଲା ସେ ସମ୍ବଦ୍ଧରେ ଜଣାଇବାକୁ ଗାର୍ଡ ଶ୍ରୀ ରାଉତଙ୍କୁ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ଏହି କାଠ ଲୁଟ୍‌ରେ ବନ କର୍ମଚାରୀମାନେ ସାମିଲ୍ ନାହାନ୍ତି ତ? ଘଟଣା ଜଣାପଡ଼ିବା ପରେ ଫରେଷ୍ଟଗାର୍ଡ ମୁଣ୍ତରେ ଅଠା ବୋଳି ବଡବଡିଆମାନେ ଖସିଯିବାକୁ ଉଦ୍ୟମ କରି ନାହାନ୍ତି ତ। ଏହିସବୁ ଘଟଣାର ଏକ ବଡ଼ ଧରଣର ତଦନ୍ତ କରାଗଲେ ଦୁର୍ନୀତିରେ କିଏ କିଏ ସାମିଲ୍ ଅଛନ୍ତି ତାହା ଜଣାପଡ଼ିବ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe