Advertisment

ଅଙ୍ଗାର କାରବାର ଆଳରେ ଜଙ୍ଗଲ ଲୁଟ୍‌: ସଂଗଠିତ ରାକେଟ୍‌ ସକ୍ରିୟ

Advertisment
ଅଙ୍ଗାର କାରବାର ଆଳରେ ଜଙ୍ଗଲ ଲୁଟ୍‌: ସଂଗଠିତ ରାକେଟ୍‌ ସକ୍ରିୟ

Climatelinks

ଫୁଲବାଣୀ: ଅଙ୍ଗାର ପ୍ରସ୍ତୁତି ପାଇଁ କନ୍ଧମାଳର ବିଭିନ୍ନ ଜଙ୍ଗଲରୁ ଅବାଧ ଓ ବ୍ୟାପକ କାଠ କଟାଯାଉଛି। ଜଙ୍ଗଲରେ ବଡ଼ବଡ଼ ଗଛ ଯୋଜନାବଦ୍ଧ ଭାବେ କାଟି ପକାଇ ରଖାଯାଉଛି। ପରବର୍ତ୍ତୀ ସମୟରେ ଏହାକୁ ପୋଡ଼ି ସେଥିରୁ ଅଙ୍ଗାର ପ୍ରସ୍ତୁତ କରି ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି। । ଫୁଲବାଣୀ ଓ ବାଲିଗୁଡ଼ା ବନଖଣ୍ଡ ଅଞ୍ଚଳରେ ବିଭିନ୍ନ ରାସ୍ତାରେ ପ୍ରତିଦିନ ସକାଳୁ ସକାଳୁ ସ୍ଥାନୀୟ ଆଦିବାସୀ ଅଖା ବସ୍ତାରେ କାଠଅଙ୍ଗାର ଭର୍ତ୍ତି କରି କାନ୍ଧରେ କିମ୍ବା ବଳଦଗାଡ଼ିରେ ବୋହି ନେଉଥିବା ଦେଖିବାକୁ ମିଳୁଛି। ପ୍ରତିଦିନ ପ୍ରାୟ ଭୋର୍‌ ୪ଟାରୁ ୬ଟା ମଧ୍ୟରେ ବିଭିନ୍ନ ରାସ୍ତାମାନଙ୍କରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି। ଉଭୟ ମହିଳା ଓ ପୁରୁଷ ଏହି କାମରେ ନିୟୋଜିତ ଅଛନ୍ତି। ସ୍ଥାନୀୟ ଆଦିବାସୀଙ୍କୁ ବ୍ୟବହାର କରି କାଠ ଅଙ୍ଗାର ଚାଲାଣ ହେଉଛି। ଏଥିରେ ସଂଗଠିତ ଉପାୟରେ ଏକ ରାକେଟ୍‌ କାମ କରୁଥିବା ଜଣାପଡ଼ିଛି।

ଜିଲ୍ଲାର ବିଭିନ୍ନ ଜଙ୍ଗଲମାନଙ୍କରେ କାଠମାଫିଆ ସ୍ଥାନୀୟ ଲୋକଙ୍କ ସହାୟତାରେ ବଡ଼ବଡ଼ ଗଛ କାଟି ସେଥିରୁ ସାଇଜ କାଠଗଣ୍ଡିମାନ ପ୍ରସ୍ତୁତ କରୁଛନ୍ତି। ଘଞ୍ଚ ଜଙ୍ଗଲ ମଧ୍ୟରେ ଜନଶୂନ୍ୟ ଅଞ୍ଚଳରେ ଏସବୁ କାଠଗଣ୍ଡିକୁ ଏକତ୍ର ଭ‌ାବେ ପୋଡ଼ାଯାଉଛି। ଗୋଟିଏ ଭାଟିରେ ଆନୁମାନିକ ୮୦ରୁ ୧୦୦ କାଠଗଣ୍ଡିକୁ ରଖି ସେଥିରେ ନିଆଁ ଲଗାଯାଉଛି। ଏହି କାଠଗଣ୍ଡିଗୁଡ଼ିକ ଜଳିଗଲା ପରେ ସ୍ଥାନୀୟ ଲୋକଙ୍କୁ ଲଗାଇ ସେଥିରୁ ଅଙ୍ଗାର ପ୍ରସ୍ତୁତ କରାଯାଉଛି ଏବଂ ବସ୍ତାରେ ପ୍ୟାକିଂ କରାଯାଇ ବିଭିନ୍ନ ଅଞ୍ଚଳକୁ ପଠାଯାଉଛି। ତଥ୍ୟ ସଂଗ୍ରହ କରିବାରୁ ଜଣାପଡ଼ିଛି ଯେ, ଜଙ୍ଗଲ ମଧ୍ୟରେ ଗୋଟିଏ ଗୋଟିଏ କାଠ ଅଙ୍ଗାର ଭାଟିରୁ ଶହ ଶହ ଟନ୍‌ କାଠ ଅଙ୍ଗାର ଉତ୍ପାଦିତ ହୋଇଥାଏ। ସ୍ଥାନୀୟ ଆଦିବାସୀମାନେ ସାଇକେଲରେ କିମ୍ବା କାନ୍ଧରେ ବୋହି ଏହି କାଠ ଅଙ୍ଗାରକୁ ଫୁଲବାଣୀ, ଫିରିଙ୍ଗିଆ, ଖଜୁରୀପଡ଼ା, ବାଲିଗୁଡ଼ା ବଜାରରେ ପହଞ୍ଚାନ୍ତି। ଫୁଲବାଣୀରୁ ଏହି କାଠ ଅଙ୍ଗାର ବ୍ରହ୍ମପୁର, ଭୁବନେଶ୍ବର, କଟକ, କେନ୍ଦ୍ରାପଡ଼ା, ପାରାଦୀପ, ଖୋର୍ଦ୍ଧା ଆଦି ସ୍ଥାନକୁ ପଠାଯାଉଛି। ବିଶେଷକରି ସହରମାନଙ୍କରେ କପଡ଼ା ଇସ୍ତ୍ରୀ ଦୋକାନ ଏବଂ ବିଭିନ୍ନ ଜଳଖିଆ ଦୋକାନରେ ଏହି କାଠ ଅଙ୍ଗାରର ଆବଶ୍ୟକତା ରହିଛି। ଏଣୁ ଏସବୁ ସ୍ଥାନକୁ ଫୁଲବାଣୀରୁ ହିଁ କାଠ ଅଙ୍ଗାର ଚାଲାଣ କରାଯାଉଛି ବୋଲି ସୂଚନା ମିଳିଛି। ଜଙ୍ଗଲ ବିଭାଗ ଅଧିକାରୀଙ୍କ ଜ୍ଞାତସାରରେ ଏ କାରବାର ଚାଲିଛି ଏବଂ ଏଥିପାଇଁ ଜଙ୍ଗଲ ବିଭାଗ ଅଧିକାରୀ ମାଫିଆଙ୍କଠାରୁ କମିସନ ପାଇ ଏସବୁ ଜାଣି ମଧ୍ୟ ଚୁପ୍‌ ରହୁଛନ୍ତି। ଫୁଲବାଣୀ ସହରର ଜଣେ ବରିଷ୍ଠ ନାଗରିକଙ୍କ କହିବା ଅନୁଯାୟୀ, ଘରୋଇ ଜାଳେଣି କାଠ ଓ ଅଙ୍ଗାର ନାମରେ ସରଳ ଆଦିବାସୀଙ୍କୁ ବ୍ୟବହାର କରାଯାଇ ମାଫିଆମାନେ ସୁସଂଗଠିତ ଉପାୟରେ କାରବାର ଚଳାଇଛନ୍ତି ଏବଂ ଏଥ‌ିରେ ଜଙ୍ଗଲ ବିଭାଗ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe