ଝାରସୁଗୁଡ଼ା ଜଙ୍ଗଲରେ ଉଲଗ୍ନ ମଣିଷ !

ଝାରସୁଗୁଡ଼ା ଜଙ୍ଗଲରେ ଉଲଗ୍ନ ମଣିଷ !

ଝାରସୁଗୁଡ଼ା/ଲଇକେରା : ପ୍ରାଚୀନ କାଳରେ ମଣିଷ ଜଙ୍ଗଲରେ ରହୁଥିଲା। ଜଙ୍ଗଲରେ ପଶୁପକ୍ଷୀଙ୍କ ସହିତ ଜୀବନ ବିତାଉଥିବା ଆଦିମ ମଣିଷ ସେତେବେଳେ ସଂପୂର୍ଣ୍ଣ ଉଲଗ୍ନ ରହୁଥିଲା। ଆଦିମ ମଣିଷଙ୍କ ଜୀବନଚର୍ଯ୍ୟାକୁ ନେଇ ଅନେକ କାହାଣୀ ରହିଛି। ଚଳଚ୍ଚିତ୍ର ମଧ୍ୟ ନିର୍ମାଣ ହୋଇଛି। ‘ଟାରଜନ୍’ ଓ ‘ଆଦିମାନବ’ଭଳି ଚଳଚ୍ଚିତ୍ରରେ ଗୋଟିଏ ଆଦିମ ମଣିଷର ଚରିତ୍ରକୁ ଚିତ୍ରଣ କରାଯାଇଛି। ତେବେ ଝାରସୁଗୁଡ଼ାର ଏକ ଜଙ୍ଗଲରେ ଜଣେ ବ୍ୟକ୍ତି ଆଦିମ ମଣିଷ ଭଳି ଜୀବନଯାପନ କରୁଥିବା ଦେଖିବାକୁ ମିଳିଛି। ଜଙ୍ଗଲ ଭିତରେ ସଂପୂର୍ଣ୍ଣ ଉଲଗ୍ନ ହୋଇ ଘୂରି ବୁଲୁଥିବା ଏହି ମଣିଷର ଜୀବନଶୈଳୀ ସଭ୍ୟ ମଣିଷଠାରୁ ସଂପୂର୍ଣ୍ଣ ଅଲଗା। ଏହି ବ୍ୟକ୍ତି ହେଉଛନ୍ତି ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ୍‌ ଖୁନ୍ତାମାଲ ପଞ୍ଚାୟତ ସୁଡୁଙ୍ଗ ଗ୍ରାମର ଗୋପାଳ ନାଏକ(୪୦)।

ଜଙ୍ଗଲରେ ବହି ଯାଉଥିବା ନାଳକୁ ବାନ୍ଧି ସେଥିରେ ମାଛ ଚାଷ କରୁଥିବା, ଜଙ୍ଗଲକୁ ଲାଗି ରହିଥିବା କିଛି ପୈତୃକ ଜମିରେ ଚାଷ କରୁଥିବା ଗୋପାଳ ଉଲଗ୍ନ ହୋଇ ରହନ୍ତି। ସେ କୌଣସି ଧର୍ମ କିମ୍ବା ସାଧାନା ନୁହେଁ; ଜନ୍ମରୁ ପୋଷାକ ପିନ୍ଧି ନାହାନ୍ତି। ବାଲ୍ୟାବସ୍ଥାରେ ଉଲଗ୍ନ ରହୁଥିବା ଗୋପାଳ ସଂପର୍କରେ କିଛି ଜଣାପଡ଼ିନଥିଲା। ମାତ୍ର ବୟସ ବଢ଼ିବା ପରେ ମଧ୍ୟ ସେ ପୋଷାକ ପିନ୍ଧି ନଥିଲେ। ତାଙ୍କର ଏଭଳି ବ୍ୟବହାର ପରିବାର ଲୋକଙ୍କୁ ଚିନ୍ତାରେ ପକାଇଥିଲା। ବାଧ୍ୟ କରି ପୋଷାକ ପିନ୍ଧାଇଦେଲେ ତାକୁ ସେ ଖୋଲି ଟିକି ଟିକି କରି କାଟି ପକାଉଥିଲେ। ଯୁବାବସ୍ଥାରେ ମଧ୍ୟ ଉଲଗ୍ନ ରହିବା ଓ ଲୋକଙ୍କଠାରୁ ଦୂରରେ ରହିବାକୁ ସେ ପସନ୍ଦ କରି ଗାଁ ନିକଟ ଜଙ୍ଗଲକୁ ଚାଲି ଯାଇଥିଲେ। ଜଙ୍ଗଲରେ ବୁଲିବା ସହିତ ଅନ୍ଧାର ହେଲେ ଦୌଡ଼ି ଦୌଡ଼ି ଘରକୁ ଆସି କିଛି ଖାଇ ପୁଣି ଫେରି ଯାଉଥିଲେ। ପ୍ରଥମେ ଗଛ ଉପରେ ରାତ୍ରିଯାପନ କରୁଥିବାବେଳେ ପରେ ଜଙ୍ଗଲରେ ବହି ଯାଉଥିବା ନାଳ ନିକଟରେ ଏକ କୁଡ଼ିଆ ନିର୍ମାଣ କରି ସେଠାରେ ରହୁଥିବା ଦେଖା ଯାଉଛି। କେହି କେହି ତାଙ୍କୁ ମାନସିକ ବିକାରଗ୍ରସ୍ତ ବୋଲି କହନ୍ତି। ମାତ୍ର ସେ କେବେ କାହାର କ୍ଷତି ଘଟାଉ ନଥିବାବେଳେ ରୁକ୍ଷ ବ୍ୟବହାର ମଧ୍ୟ କରନ୍ତି ନାହିଁ। ନିର୍ବିକାର ଭାବରେ ବୁଲୁଥିବା ଗୋପାଳ ଜଙ୍ଗଲଜାତ ସାମଗ୍ରୀ ଓ ନାଳରୁ ମାଛ ଧରି ବିକ୍ରୟ କରନ୍ତି। ସବୁବେଳେ ଅଣ୍ଟାରେ ବାନ୍ଧି ରଖିଥାନ୍ତି ଗୁଲେର ମୁଣି ସହିତ ଖଣ୍ଡେ ଦା କିମ୍ବା ବୁଡ଼ିଆ।

publive-image

ଗୋପାଳଙ୍କ ବାପା ଉଦୟ ନାଏକ(୭୦) ଓ ମାତା ଉକିଆ ନାଏକ (୬୩) ଏଭଳି ବିଚିତ୍ର ପୁଅ ପାଇଁ ସବୁବେଳେ ଚିନ୍ତିତ ଅଛନ୍ତି। ତାର ଆଧାରକାର୍ଡ କି ଭୋଟର କାର୍ଡ ନାହିଁ, ପଞ୍ଚାୟତ ଅଧିକାରୀମାନଙ୍କୁ ଗୁହାରି କରି ରେସନ କାର୍ଡରେ ମାସକୁ ୫ କେଜି ଚାଉଳ ଆଣୁଥିବା ଉଦୟ କୁହନ୍ତି । ବୁଦ୍ଧି ହେଲା ଦିନରୁ ଗୋପାଳ ଗାଁ ଦାଣ୍ଡକୁ ଆସିନାହାନ୍ତି। ଘରେ ଯଦି କିଛି ବାହାଘର କିମ୍ବା ପର୍ବପର୍ବାଣି ହୁଏ କିମ୍ବା ଘରକୁ ବନ୍ଧୁବାନ୍ଧବ ଆସନ୍ତି ତେବେ ସେ ଘରକୁ ଆଦୌ ଆସେନି। ମଝିରେ ମଝିରେ ଘରକୁ ଆସି ଖାଇଥାଏ ଓ ରାତିରେ କେବେ କେବେ ଶୋଇପଡ଼େ। ପୁଣି ଅନ୍ଧାରରୁ ଉଠି ଚାଲିଯାଏ ବୋଲି କହିଛନ୍ତି ଗୋପାଳଙ୍କ ମା ଉକିଆ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe