ନଭେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ପ୍ରକୃତି ନିବାସ

Advertisment

ବାଲୁଖଣ୍ଡ ଅଭୟାରଣ୍ୟକୁ ମନ୍ତ୍ରୀଙ୍କ ଅଚାନକ ଗସ୍ତ, ପୁନଃ ହରିଣ ଗଣନା ପାଇଁ ନିର୍ଦ୍ଦେଶ

ବାଲୁଖଣ୍ଡ ଅଭୟାରଣ୍ୟକୁ ମନ୍ତ୍ରୀଙ୍କ ଅଚାନକ ଗସ୍ତ, ପୁନଃ ହରିଣ ଗଣନା ପାଇଁ ନିର୍ଦ୍ଦେଶ

ନଭେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ପ୍ରକୃତି ନିବାସ

ଭୁବନେଶ୍ବର : ବାଲୁଖଣ୍ଡ ଅଭୟାରଣ୍ୟ ମଧ୍ୟରେ ନୂଆନଈରେ ଅବସ୍ଥିତ ‘ପ୍ରକୃତି ନିବ‌ାସ’ ଫନୀରେ କ୍ଷତିଗ୍ରସ୍ତ ହୋଇଥିଲା। ପର୍ଯ୍ୟଟନ ଋତୁ ପୂର୍ବରୁ ନଭେମ୍ବର ମାସ ସୁଦ୍ଧା ଏହାର ମରାମତି, ପୁନରୁଦ୍ଧାର ଓ ନବୀକରଣ କରି ପର୍ଯ୍ୟଟକଙ୍କ ନିମନ୍ତେ କାର୍ଯ୍ୟକ୍ଷମ କରାଯିବ। ଏ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ଆରୁଖ ପୁରୀ-କୋଣାର୍କ ବେଳାଭୂମିରେ ଅବସ୍ଥିତ ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଚାନକ ଗସ୍ତ ସମୟରେ ନୂଆନଈରେ ଏକ ସମୀକ୍ଷା କରିଥିଲେ। ମନ୍ତ୍ରୀ ଅଭୟାରଣ୍ୟ ଭିତରେ ବୁଲିବା ସହ ହରିଣମାନଙ୍କ ରହିବା ସ୍ଥାନ ଦେଖିଥିଲେ। ହରିଣମାନଙ୍କ ବର୍ତ୍ତମାନ ଅବସ୍ଥା ବିଷୟରେ ପଚାରି ବୁଝିବା ସହ ସେମାନଙ୍କ ସୁରକ୍ଷା ଓ ଆବଶ୍ୟକ ଯତ୍ନ ନେବା ପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ହରିଣମାନଙ୍କ ପାଇଁ ବର୍ତ୍ତମାନ ଥିବା ୧୨ଟି ଚାରଣ ଭୂମି ଯଥେଷ୍ଟ ହେଉ ନ ଥିବାରୁ ଅଧିକ ଚାରଣ ଭୂମି ସୃଷ୍ଟି କରିବା ଏବଂ ଏହାକୁ ତାରାବାଡ଼ ଘେରାଇବା ଓ ଉପଯୁକ୍ତ ଯତ୍ନ ନେବା ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଫେବ୍ରୁଆରି ମାସ ସୁଦ୍ଧା ଗଣନା ଅନୁଯାୟୀ ଅଭୟାରଣ୍ୟରେ ୪ ହଜାର ହରିଣ ଥିଲେ। କିନ୍ତୁ ଫନି ଯୋଗୁ ବାଲୁଖଣ୍ଡରେ ଉପୁଡ଼ି ପଡ଼ିଥିବା ବହୁ ଗଛ ପଡ଼ି ରହିଥିବାରୁ ତୁରନ୍ତ ଏହାକୁ ସଫା କରି ପୁନଃ ହରିଣ ଗଣନା କରିବା ନିମନ୍ତେ ଶ୍ରୀ ଆରୁଖ ନିର୍ଦ୍ଦେଶ ଦେଇଥିଲେ। ହରିଣମାନଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଚିକିତ୍ସା ଗୃହକୁ ନିୟମିତ ଭାବେ ପ୍ରାଣୀ ଚିକିତ୍ସକ ଆସୁ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ମନ୍ତ୍ରୀଙ୍କ ଗସ୍ତ ସମୟରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ବନଖଣ୍ଡ ଅଧିକାରୀ(ବନ୍ୟପ୍ରାଣୀ) ହର୍ଷବର୍ଦ୍ଧନ ଉଦ୍‌ଗାତା ଏବଂ ବନବିଭାଗ ଓ ଅଭୟାରଣ୍ୟର କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe