ରକ୍ଷକ ଯେବେ ଭକ୍ଷକ ସାଜେ : ଜଙ୍ଗଲ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀ ୫ଶହ ଗଛ ହାଣିଲେଣି!

Advertisment
ରକ୍ଷକ ଯେବେ ଭକ୍ଷକ ସାଜେ : ଜଙ୍ଗଲ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀ ୫ଶହ ଗଛ ହାଣିଲେଣି!
ପାରଳାଖେମୁଣ୍ଡି : ଜଙ୍ଗଲ ସୁରକ୍ଷା ପାଇଁ ସଚେତନତାର ବାର୍ତ୍ତା ବାଣ୍ଟୁଥିବା ସରକାରୀ ଅଧିକାରୀ ମାନେ ନିଜେ ଗଛ ହାଣି ଦେଇଥିବା ଅଭିଯୋଗ ହୋଇଛି। ସଦର ମହକୁମା ପାରଳାଖେମୁଣ୍ଡି ସହରରେ ବିଗତ ୪ ବର୍ଷ ମଧ୍ୟେରେ ବିଭନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ୫ ଶହରୁ ଅଧିକ ଗଛକୁ ବନ ବିଭାଗ ଓ ସରକାରୀ ଅଧିକାରୀ ମାନେ କାଟି ଦେଇଥିବା ଜଣାପଡ଼ିଛି।
ବିଶେଷ କରି ୧୦୦ ବର୍ଷରୁ ଅଧିକ ପୁରାତନ ଗଛକୁ ହାଣିଦେବା ପୂର୍ବରୁ ସରକାରୀ ଅଧିକାରୀ ମାନେ କିମ୍ବା ଠିକାଦାର ଏପରି କଲେ ଭବିଷ୍ୟତ ସମାଜ, ପରିବେଶ ଉପରେ କି ପ୍ରଭାବ ପକାଇବ ସେଥିପ୍ରତି ଦୃଷ୍ଟି ଦେଇ ନାହାନ୍ତି। ଜଣେ ସାଧାରଣ ବ୍ୟକ୍ତି ନିଜ ଜମିରେ ଥିବା ଗଛ କାଟିବାକୁ ଚାହିଁଲେ ତାଙ୍କୁ ଅନୁମତି ମିଳିବା କାଠିକର। କିନ୍ତୁ ଠିକାଦାରଙ୍କ ଚାପରେ ପାରଳା ସହର ଫରେଷ୍ଟ୍ ଛକ ଠାରୁ ଆରମ୍ଭ କରି ପୁରୁଣା କୋର୍ଟ ଛକ ପର୍ଯ୍ୟନ୍ତ ୩ କିମି ଦୀର୍ଘ ରାସ୍ତା କଡ଼ରେ ଥିବା ୧୮୦୦ ମସିହାର ବହୁ ପୁରାତନ ଗଛ ଗୁଡ଼ିକୁ କାଟି ଜାଳେଣି କାଠ କରି ଦେଇଛି ବନ ବିଭାଗ। ସେହିପରି ମୁଖ୍ୟ ଚିକିତ୍ସାଳୟ ରାସ୍ତାରେ ଥିବା ବଡ଼ ବଡ଼ ଗଛ ଗୁଡ଼ିକୁ ବିନା କାରଣରେ କଟାଯାଇଛି। ଯାହାକୁ ନେଇ ସାଧରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହା ସହ କେତେକ ଠିକାଦାର ରାସ୍ତା ନିର୍ମାଣ ତଥା କୋଠା ନିର୍ମାଣ ବାହାନାରେ ଗଛ କାଟିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ ପାଇଁ ଦାବି ହୋଇଛି। ବୁଦ୍ଧିଜୀବୀଙ୍କ ପ୍ରଶ୍ନ ହେଉଛି, ଗୋଟିଏ ପଟେ ଜଙ୍ଗଲ ସୁରକ୍ଷା ପାଇଁ ବାର୍ତ୍ତା ଦେଇ ଅନ୍ୟପଟେ ବଡ଼ ବଡ଼ ପୁରୁଣା ଝଙ୍କାଳିଆ ଗଛ ହାଣି ପକାଇବା ସଚେତନ ଜନତାଙ୍କୁ କି ବାର୍ତ୍ତା ଦେଉଛି?
ଅନ୍ୟପକ୍ଷରେ ଗଜପତି ଜିଲ୍ଲା ଏକ ପାହାଡ଼ ଏବଂ ଜଙ୍ଗଲ ବହୁଳ ଅଞ୍ଚଳ ଭାବେ ପରିଚିତ। ପ୍ରତ୍ୟେକ ବ୍ଲକ୍‌ରେ ଅନେକ ଘଞ୍ଚ ଜଙ୍ଗଲ ରହିଛି। ଜିଲ୍ଲାର ହାତୀ କରିଡର୍‌କୁ ଦୃଷ୍ଟିରେ ରଖି ରା.ଉଦୟଗିରି ଏବଂ ମୋହନା ବ୍ଲକ ଅତିକ୍ରମ କରୁଥିବା ଲଖାରୀ ଅଭୟାରଣ୍ୟ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରା ଯାଇଥିବା ବେଳେ, ବର୍ତ୍ତମାନ ସେଠାରେ ହାତୀ ରହୁ ନଥିବା ଘଟଣା ପ୍ରମାଣ କରୁଛି, ଜଙ୍ଗଲ ବିଭାଗର ଜଙ୍ଗଲ ସୁରକ୍ଷା ନୀତି କେତେ ସଫଳ ହେଉଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe