ଉଦଳା-୧: ଶିମିଳିପାଳ ଜଙ୍ଗଲରେ ବନ କର୍ମଚାରୀ ସୁନାରାମ ସିଂ’ଙ୍କୁ ଶିକାରୀଙ୍କ ଗୁଳିମାଡ ଘଟଣାରେ ଉଦଳା ପୁଲିସ ଆଜି ୩ ଅଭିଯୁକ୍ତ ଭଜ ସିଂ (୨୪), ଛାଟିଆ ସିଂ (୨୭) ଏବଂ ରାଲିଆ ସିଂ (୫୫)ଙ୍କୁ ଗିରଫ କରିବା ସହିତ ଗୁଳିମାଡ଼ ହୋଇଥିବା ବନ୍ଧୁକକୁ ଜବତ କରିଛି। ସମସ୍ତ ଅଭିଯୁକ୍ତ ସ୍ଥାନୀୟ ବଡଖମଣ ଗ୍ରାମର ବାସିନ୍ଦା ହୋଇଥିବା ବେଳେ ଆଜି ଭୋର ସମୟରେ ପୁଲିସ ଚଢ଼ଉ କରି ଏ ସମସ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ପୁଲିସ ନିକଟରେ ଦୋଷ ସ୍ୱୀକାର କରିଥିବା ଜଣାପଡିଛି।
ସୂଚନା ଅନୁଯାୟୀ ଗତ ୧୯ ତାରିଖ ରାତି ପ୍ରାୟ ୯ଟା ସମୟରେ ଭଜ ଏବଂ ଛାଟିଆ ହାତ ତିଆରି ବନ୍ଧୁକ, ଗନ୍ ପାଉଡର, ସାଇକେଲର ଲୁହା ବଲ, ଛୁରି, ସର୍ଚ୍ଚ ଲାଇଟ୍ ଆଦି ଧରି ଶିକାର କରିବାକୁ ଶିମିଳିପାଳ ସଂରକ୍ଷିତ ଜଙ୍ଗଲ ଭିତରକୁ ପଶିଥିଲେ। ୨ରାତି ଜଙ୍ଗଲ ଭିତରେ ରହି ଉଭୟ ୨ଟି କୁଟୁରା ମାରିଥିଲେ। ୨୧ ତାରିଖ ଦିନ ଉଭୟ ଘରକୁ ଫେରୁଥିବା ବେଳେ ଅପରାହ୍ନ ପ୍ରାୟ ୪ଟା ସମୟରେ ପାଟ୍ରୋଲିଂ ଦାୟିତ୍ୱରେ ଥିବା ୬ଜଣ ବନ କର୍ମଚାରୀଙ୍କ ସହିତ କାଳିଆବସା ଗ୍ରିଡ-୭୫୦ଠାରେ ମୁହାଁମୁହିଁ ହୋଇଥିଲେ। ତେବେ ମୁଖ୍ୟ ଅଭିଯୁକ୍ତ ଭଜ ବନ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିବା ବେଳେ ସୁନାରାମଙ୍କ ଦେହରେ ଗୁଳି ବାଜିଥିଲା। ଏହାର ସୁଯୋଗ ନେଇ ଦୁହେଁ ଚମ୍ପଟ ମାରିଥିବା ବେଳେ ନିଜର ବ୍ୟାଗପତ୍ର ଘଟଣାସ୍ଥଳରେ ଛାଡି ଦେଇଥିଲେ।
ବ୍ୟାଗରେ ଥିବା ମୋବାଇଲ୍କୁ ଆଧାର କରି ପୁଲିସ ସେମାନଙ୍କୁ ଠାବ କରିବାରେ ସଫଳ ହୋଇଥିଲା। ଅନ୍ୟ ପକ୍ଷରେ ଘରକୁ ଫେରିବା ପରେ ମୁଖ୍ୟ ଅଭିଯୁକ୍ତ ଭଜ ବନ୍ଧୁକଟିକୁ ତା’ ବାପା ରାଲିଆ ସିଂ’କୁ ଲୁଚାଇବା ପାଇଁ ଦେଇଥିଲା। ପୁଲିସ ରାଲିଆକୁ ଗିରଫ କରିବା ସହିତ ଗାଁ ଭିତରେ ଲୁଚାଇ ରଖିଥିବା ବନ୍ଧୁକକୁ ଜବତ କରିଥିଲା। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ପୁଲିସ। ଏଥିରେ ଅତିରିକ୍ତ ଏସ୍ପି ଉମାଶଙ୍କର ମହାରଣା, ଉଦଳା ଥାନା ଅଧିକାରୀ ନୀରଜ କୁମାର ସାମଲ ଓ ତଦନ୍ତ ଅଧିକାରୀ ଏସ୍ଆଇ କାମାକ୍ଷା କମଳେଶ ହେମ୍ୱ୍ରମ ପ୍ରମୁଖ ଉପସ୍ଥିତ ଥିଲେ।
Follow Us