ମାଟି ତଳୁ ହାତୀ କଙ୍କାଳ ଜବତ ଘଟଣା: ଫରେଷ୍ଟର୍‌, ଗାର୍ଡ ନିଲମ୍ବିତ

ଯୁଯୁମୁରା ଅଞ୍ଚଳରେ ପୁଣି ଏକ ହାତୀର ମୃତ୍ୟୁ

Pinterest

କଟକ/ନରସିଂହପୁର : ଆଠଗଡ଼ ବନଖଣ୍ଡର ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜରେ ହାତୀ ଶିକାର ଘଟଣାକୁ ନେଇ ଏସ୍‌ଟିଏଫ୍‌ ଖୋଳତାଡ଼ ଘଟଣାର ୫ଦିନ ପରେ ବନବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଘଟଣାର ତଦନ୍ତ କରାଯାଇ ଦାୟିତ୍ବରେ ଥିବା ଫରେଷ୍ଟର୍‌ ବିବେକାନନ୍ଦ ଜାନି ଓ ଗାର୍ଡ ସୁନାୟକ ମାଝୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ତତ୍କାଳୀନ ରେଞ୍ଜର୍‌ ଅଶୋକ ବେହେରାଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ତେବେ ଏହି ଘଟଣା ଦୁଇବର୍ଷ ତଳର ବୋଲି ବନବିଭାଗ କହୁଥିବା ବେଳେ ଏ ସଂପର୍କରେ ଅଧିକ ତଦନ୍ତ ଜାରି ରହିଛି ବୋଲି ଆଠଗଡ଼ ଏସିଏଫ୍‌ ଘନଶ୍ୟାମ ମୁଦୁଲି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜରେ ହାତୀ ଶିକାର କରି ଦାନ୍ତ କାଟିନେବା ସହ ଗାତ ଖୋଳି ପୋତି ଦିଆଯାଇଥିଲା। ଏ ନେଇ ଭିଡିଓ ଭାଇରାଲ୍‌ ହେବା ପରେ ଗତ ୭ତାରିଖ ଦିନ ଭୁବନେଶ୍ବରରୁ ଏସ୍‌ଟିଏଫ୍‌ ଟିମ୍‌ ନରସିଂହପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ସମୟରେ ବନକର୍ମଚାରୀମାନଙ୍କ ପକ୍ଷରୁ ଟିମ୍‌କୁ ବିରୋଧ ମଧ୍ୟ କରାଯାଇଥିଲା। ତେବେ ଏସ୍‌ଟିଏଫ୍‌ ଟିମ୍‌ ବାରସିଙ୍ଗା ସେକ୍ସନ୍‌ର ବାଲିକିଆରି କମ୍ପାର୍ଟମେଣ୍ଟ୍‌ ୧୧ରୁ ମାଟି ଖୋଳି ଦନ୍ତାହାତୀର କଙ୍କାଳ ଗତକାଲି ଜବତ୍‌ କରିଥିଲା। ହାତୀ ଦାନ୍ତ କାଟି ନିଆଯିବା, ମୃତଦେହକୁ ନଷ୍ଟ କରିବା ପାଇଁ ପୋତିବା ସ୍ଥାନରେ ପୋଡ଼ି ଦିଆଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଦନ୍ତାହାତୀର ବୟସ ୧୦ ବର୍ଷରୁ କମ୍‌ ହେବ କୁହାଯାଉଛି। ଗତକାଲି ମାଟିତଳୁ ଏସ୍‌ଟିଏଫ୍‌ ଜବତ୍‌ କରିଥିବା ହାତୀ କଙ୍କାଳର ବ୍ୟବଚ୍ଛେଦ ପରେ ଓୟୁଏଟିରୁ ଯାଇଥିବା ବିଶେଷଜ୍ଞ ତଥା ସାଇଣ୍ଟିଫିକ୍‌ ଟିମ୍‌ ଏଭଳି ଅନେକ ତଥ୍ୟକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି। ତେବେ, ହାତୀକୁ କେମିତି ମରାଯାଇଛି, ନା ତାର ମୃତ୍ୟୁ ହୋଇଛି, ଏହା କେତେଦିନ ତଳର ଘଟଣା, ପୋଡ଼ିବା ପାଇଁ କେଉଁପ୍ରକାର କେମିକାଲ ବ୍ୟବହୃତ ହୋଇଛି, ଏସବୁ ଜାଣିବା ପାଇଁ ଜବତ ହାଡ଼କୁ ଓୟୁଏଟିର ସେଣ୍ଟର୍‌ ଫର୍ ୱାଇଲ୍ଡଲାଇଫ୍ ହେଲ୍‌ଥକୁ ପଠାଯାଇଛି, ଯାହାର ରିପୋର୍ଟ ଆସି ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe