Sambad English
ନୟାଗଡ଼ : ଜଙ୍ଗଲ ନିଆଁ ପାଇଁ ବି ଲାଞ୍ଚ କାରବାର! ସାରାରାଜ୍ୟରେ ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ତମ୍ବିତୋଫାନ ଚାଲିଛି। କେତେ ବୃକ୍ଷଲତା ଜଳି ଯିବା ସହିତ ବନ୍ୟପ୍ରାଣୀ ବି ବିପଦରେ ରହିଛନ୍ତି। ଏପରିକି ମୟୂରଭଞ୍ଜର କରଞ୍ଜିଆଠାରେ ଜଣେ ବନବିଭାଗର ଠିକା କର୍ମଚାରୀ ନିଆଁରେ ପୋଡ଼ି ପ୍ରାଣ ହରାଇଛନ୍ତି। ଏହିଭଳି ଏକ ସମୟରେ ନିଆଁ ଲିଭା ଡ୍ୟୁଟି ପାଇଁ ବି ଲାଞ୍ଚ କାରବାର ଚାଲିଥିବା ଏକ ଘଟଣା ସାମ୍ନାକୁ ଆସିଛି। ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜଣେ ଫରେଷ୍ଟରଙ୍କୁ ଗିରଫ କରିଛି।
ଏହି ସରକାରୀ ଅଧିକାରୀ ହେଲେ, ନୟାଗଡ଼ ଜିଲ୍ଲା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ଫରେଷ୍ଟର ଗୋଲେଖ ବିହାରୀ ବେହେରା। ଶ୍ରୀ ବେହେରା ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ବର ଭିଜିଲାନ୍ସ କର୍ମଚାରୀ ତାଙ୍କୁ କବ୍ଜା କରିନେଇଛନ୍ତି। ଗଣିଆ ବ୍ଲକ୍ର ଛାମୁଣ୍ଡିଆ ସେକସନ୍ର ଫରେଷ୍ଟଗାର୍ଡ ପୁଷ୍ପାଞ୍ଜଳି ପଣ୍ଡାଙ୍କ ଠାରୁ ସେ ଏହି ଲାଞ୍ଚ ନେଉଥିଲେ।
ମିଳିଥିବା ସୂଚନା ଅନୁଯାୟୀ, କିଛିଦିନ ତଳେ ଜଙ୍ଗଲରେ ନିଆଁ ଲାଗିଥିଲା। କୌଣସି କାରଣରୁ ପୁଷ୍ପାଞ୍ଜଳି ଘଟଣାସ୍ଥଳକୁ ଯାଇ ନଥିଲେ, ଯେଉଁଥିପାଇଁ ତାଙ୍କୁ ଡିଏଫ୍ଓ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଡିଏଫ୍ଓଙ୍କୁ କହି ଏହି କାରଣଦର୍ଶାଅ ନୋଟିସ୍ର ରଫାଦଫା କରିଦେବାକୁ ଗୋଲେଖ ପୁଷ୍ପାଞ୍ଜଳିଙ୍କ ଠାରୁ ଲାଞ୍ଚ ଦାବି କରିଥିଲେ। ଏଥିରେ ପୁଷ୍ପାଞ୍ଜଳି ରାଜି ହୋଇନଥିଲେ। ଗୋଲେଖ ଚାପ ପକାଇବାରୁ ପୁଷ୍ପାଞ୍ଜଳି ଭିଜିଲାନ୍ସକୁ ଜଣାଇଥିଲେ। ପୂର୍ବପ୍ରସ୍ତୁତି ମୁତାବକ ଗୋଲେଖ ସୋମବାର ସନ୍ଧ୍ୟାରେ ନିଜ କାର୍ଯ୍ୟାଳୟରେ ଏହି ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଧରିବା ସହ ଗିରଫ କରିଛି।
Follow Us