ମହୁଲ ଫୁଲ ପାଇଁ ଜଳୁଛି ଜଙ୍ଗଲ, ପଥପ୍ରାନ୍ତ ବନୀକରଣ ବି ବାଦ୍‌ ପଡୁନି

ମହୁଲ ଫୁଲ ପାଇଁ ଜଳୁଛି ଜଙ୍ଗଲ, ପଥପ୍ରାନ୍ତ ବନୀକରଣ ବି ବାଦ୍‌ ପଡୁନି

କାଳିଆପାଣି : ମହୁଲ ଫୁଲ ଗୋଟେଇବେ ବୋଲି ପୋଡ଼ି ଦେଇଛନ୍ତି ଶହଶହ ଏକର ଜଙ୍ଗଲ। କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ରାଁସୋଳ ସେକ୍ସନ ଚିଙ୍ଗୁଡ଼ିପାଳ ମୌଜାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଚିଙ୍ଗୁଡ଼ିପ‌ାଳ ପଞ୍ଚାୟତ ଅଫିସରୁ ପାଟଣା ମୌଜାକୁ ଲମ୍ବିଥିବା ପ୍ରଧାନମନ୍ତ୍ରୀ ସଡ଼କର ଉଭୟ ପାର୍ଶ୍ବରେ ଜଙ୍ଗଲ ପୋଡ଼ା ଦୃଶ୍ୟ ଆଲୋଡ଼ନର କାରଣ ହୋଇଛି। ଏଠାରେ ଜଙ୍ଗଲ ନିଆଁ ପ୍ରଭାବରୁ ପଥପ୍ରାପ୍ତ ବନୀକରଣ ବି ପୋଡ଼ି ଧ୍ବଂସ ହୋଇଯାଇଛି। ଲଗାଯାଇଥିବା ଗଛ ଓ ଏହାର ରକ୍ଷଣାବେକ୍ଷଣ ପାଇଁ ବ୍ୟବହୃତ ବାଉଁଶ ଗୋରଡ଼ି ଜଳିପୋଡ଼ି ଯାଇଛି। ସମାନ ଦୃଶ୍ୟ ଏହି ପଞ୍ଚାୟତର ଧବାହାଳି, ପାଟଣା, ଦଳକସାହି, ବଡ଼ଖମଣ, ଓସ୍ତିଆ ଓ ଗୁରୁଜଙ୍ଗ ଗାଁ ସଡ଼କର ୨ ପାର୍ଶ୍ବରେ ଦେଖିବାକୁ ମିଳିଛି। ନିଆଁରେ ବହୁ ମୂଲ୍ୟବାନ ଗଛଲତା, ଚେରମୂଳି ଓ ଗୁଳ୍ମ ପୋଡ଼ିଯିବା ସହ ବହୁ ସରୀସୃ‌ପ ଓ ବନ୍ୟଜନ୍ତୁ ପୋଡ଼ି ପ୍ରାଣ ହରାଇଛନ୍ତି।

publive-image

ଶୀତଦିନେ ମହୁଲ ଗଛ ମୂଳ‌ରେ ଝଡ଼ିଥିବା ପତ୍ରକୁ ଝାଡ଼ୁକରି ସଫା କରିବା ପରି‌ବ‌ର୍ତ୍ତେ କିଛିଲୋକ ଏଥିରେ ନିଆଁ ଲଗାଇ ଦେଉଛନ୍ତି। ଗତ ଅକ୍ଟୋବର ମାସରୁ ୫ ମାସ ହେଲା ବର୍ଷା ହୋଇନି। ଶୁଖିଲା ପତ୍ରରେ ନିଆଁ ଲାଗିବା ପରବର୍ତ୍ତୀ ସମୟରେ ବେକାବୁ ହୋଇଯାଇଥିଲା। ସେହିପରି ରାଁସୋଳ ସେକ୍ସନ ବନ କାର୍ଯ୍ୟାଳୟ ସଂଲଗ୍ନ ଭୀମଟାଙ୍ଗର ଗାଁରେ ମହୁଲ ଗଛ ମୂଳରୁ ବ୍ୟାପିଥିବା ନିଆଁ ୨୦ ରୁ ୨୫ ଏକର ଭିତରକୁ ମାଡ଼ିଯାଇ ଜଙ୍ଗଲର ବ୍ୟାପକ କ୍ଷତି କରିଛି। ପାର୍ଶ୍ବବର୍ତ୍ତୀ ବସ୍ତି ଓ ପାରିପାର୍ଶ୍ବିକ ଅଞ୍ଚଳ ଧୂଆଁମୟ ହୋଇରହିବା ସହ ଜଙ୍ଗଲ ନିଆଁରୁ ସୃଷ୍ଟି ହୋଇଥିବା ପାଉଁଶ ସ୍ଥାନୀୟ ପରିବେଶକୁ ପ୍ରଭାବିତ କରିଛି। ଏକାଧିକ ଦିନ ନିଆଁ ଜଳିଥିଲେ ମଧ୍ୟ ଏହାକୁ ଲିଭାଇବା ପାଇଁ ସ୍ଥାନୀୟ ବନ ସୁରକ୍ଷା ସମିତି କିମ୍ବା ସାଧାରଣରେ ତତ୍ପରତା ପ୍ରକାଶ ପାଇନାହିଁ। ଏହା ପରିବେଶବିତ ମହଲରେ ଚିନ୍ତାର କାରଣ ହୋଇଛି।

ଅନ୍ୟପକ୍ଷରେ କିଛିଲୋକ ଘରପାଖ ଜଙ୍ଗଲକୁ ପଦା କରି ପୋଡ଼ୁଚାଷ ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗ ହୋଇଛି। ଏସଂପର୍କରେ ବନପାଳ ନରେଶ କୁମାର ଟୁଡ଼ୁଙ୍କୁ ଯୋଗାଯୋଗ କରିବାରେ କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ମହୁଲଗଛ ମୂଳରେ ନିଆଁ ଲଗାଉଥିବା ତାଙ୍କ ନଜରକୁ ଆସିଛି। ଖୁବଶୀଘ୍ର ସେମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe