ପମ୍ଫ୍ରେଟ୍‌ରେ ଫର୍ମାଲିନ୍‌ ମିଳିବା ଘଟଣା : ୬ ସହରରୁ ମାଛ ନମୁନା ପଠାଇବାକୁ ନିର୍ଦେଶ, ଫର୍ମାଲିନ୍‌ ନ ମିଶାଇ ବରଫରେ ମାଛ ନମୁନା ପଠାଅ

Advertisment
ଭୁବନେଶ୍ୱର, କଟକର ୨୧ ମାଛ ନମୁନା ନେଗେଟିଭ୍‌

ଭୁବନେଶ୍ୱର : ଗତ ଶୁକ୍ରବାର ରାଜଧାନୀର ୟୁନିଟ୍‌-୪ସ୍ଥିତ ମାଛ ମାର୍କେଟ୍‌ରୁ ଫମ୍ଫ୍ରେଟ୍‌ ମାଛରୁ ଫର୍ମାଲିନ୍‌ ଘଟଣାକୁ ନେଇ ରାଜ୍ୟବ୍ୟାପୀ ଚହଳ ସୃଷ୍ଟି ହୋଇଛି। ରାଜ୍ୟର ଆଉ କେଉଁ କେଉଁ ଜିଲ୍ଲାରେ ଫର୍ମାଲିନ୍‌ ମିଶା ମାଛ ବିକ୍ରି ହେଉଛି ତାହା ଜାଣିବା ପାଇଁ ମତ୍ସ୍ୟ ଓ ପଶୁସଂପଦ ବିଭାଗ ତତ୍ପର ହୋଇ ଉଠିଛି।

ଭୁବନେଶ୍ୱର, ପୁରୀ, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ମହାନଗରରୁ ମାଛ ନମୁନା ପରୀକ୍ଷା ପାଇଁ ଖାଦ୍ୟ ସୁରକ୍ଷା କମିସନର୍‌ ନିର୍ଦେଶ ଦେଇଛନ୍ତି। ଏପରିକି ପରୀକ୍ଷା ପାଇଁ ପଠାଉଥିବା ମାଛ ନମୁନାରେ ଫର୍ମାଲିନ୍‌ ନ ମିଶାଇ ବରଫ କଣ୍ଟେନର୍‌ରେ ପଠାଇବାକୁ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।

ଅପରପକ୍ଷରେ ଗତକାଲି ମତ୍ସ୍ୟ ଓ ପଶୁସଂପଦ ବିଭାଗ ପକ୍ଷରୁ ଭୁବନେଶ୍ୱର ଓ କଟକରେ ଥିବା ମାଛ ବଜାରରୁ ଉଭୟ ସାମୁଦ୍ରିକ ଓ ମଧୁର ମାଛକୁ ମିଶାଇ ୬ଟି ଲେଖାଏ ନମୁନା ସଂଗ୍ରହ କରି ଜନସ୍ୱାସ୍ଥ୍ୟ ଲାବୋରେଟାରିକୁ ପଠାଯାଇଛି। ଫର୍ମାଲିନ୍‌ର ଉପସ୍ଥିତି ପାଇଁ ବିଭାଗ ପକ୍ଷରୁ ବ୍ୟବହାର କରାଯାଉଥିବା କିଟ୍‌ରେ କେତେ ପରିମାଣର ଫର୍ମାଲିନ୍‌ ରହିଛି ତାହା ଜାଣିବା ସମ୍ଭବ ହେଉ ନ ଥିବାରୁ ଏହାକୁ ପରୀକ୍ଷା କରିବା ପାଇଁ ବିଭାଗ ଏପରି ନିଷ୍ପତ୍ତି ନେଇଛି। ଅପରପକ୍ଷରେ ବାଲେଶ୍ୱରରେ ବିଭାଗ ପକ୍ଷରୁ ପରୀକ୍ଷା କରାଯାଇଥିବା ମାଛ ନମୁନାରେ ଫର୍ମାଲିନ୍‌ର ଉପସ୍ଥିତି ସଂପର୍କରେ କୌଣସି ପ୍ରମାଣ ମିଳି ନାହିଁ।

ଖାଦ୍ୟ ସୁରକ୍ଷାର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ସାଧାରଣଭାବେ ମାଛ ନମୁନା ପରୀକ୍ଷା ପାଇଁ ପଠାଯିବା ସମୟରେ ଅଧିକାରୀ ନମୁନାଟି ଶୀଘ୍ର ନଷ୍ଟ ନ ହେବା ପାଇଁ ଫର୍ମାଲିନ୍‌ ମିଶାଇଥାନ୍ତି। ତେବେ ବଜାରରେ ମିଳୁଥିବା ମାଛରେ ଫର୍ମାଲିନ୍‌ର ଉପସ୍ଥିତି ଜଣାପଡ଼ିବା ପରେ ଏହାର ଯାଞ୍ଚ ନିର୍ଦେଶ ଦିଆଯାଇଥିବାରୁ ଏଥିରେ ଫର୍ମାଲିନ୍‌ ନ ମିଶାଇବାକୁ କୁହାଯାଇଛି। ସ୍ଥାନୀୟ ବଜାରରୁ ମାଛ ସଂଗ୍ରହ ପରେ ବରଫ ସହାୟତାରେ ଏହି ନମୁନା ପଠାଇବାକୁ କମିସନର ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe