ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ପରଲୋକ

Advertisment

ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ପରଲୋକ

ଜଗତସିଂହପୁର ଟାଉନ୍/ମାଛଗାଁ/ବାଲିକୁଦା : ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳରୁ ୪ ଥର ବିଧାୟକ ହୋଇଥିବା ବରିଷ୍ଠ ରାଜନେତା ଉମେଶ ଚନ୍ଦ୍ର ସ୍ବାଇଁ (୭୪)ଙ୍କର ବୁଧବାର ଦିନ ପର‌ଲୋକ ଘଟିଛି। ଭୁବନେଶ୍ବର ବାସଭବନରେ ସେ ଆଜି ସକାଳେ ହୃଦ୍‌ଘାତର ଶିକାର ହୋଇଥିବା କୁହାଯାଉଛି। ତାଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିପି ସଭାପତି ନିରଞ୍ଜନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି। ବହୁ ବିଶିଷ୍ଟ ବ୍ୟକ୍ତି ଭୁବନେଶ୍ବର ଓ ମାଛଗାଁ ବାସଭବନରେ ପହଞ୍ଚି ତାଙ୍କର ଶେଷଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ପୁଅ ଚିରାଗ୍‌ ମୁଖାଗ୍ନି ଦେଇଛନ୍ତି।

ବାଲିକୁଦା ବ୍ଲକ୍‌ ମାଛଗାଁର ଏକ ଜମିଦାର ପରିବାରରେ ଜନ୍ମିତ ଉମେଶ ସ୍ବାଇଁ ଛାତ୍ର ଜୀବନରୁ ସମାଜସେବା ଓ ରାଜନୀତିରେ ଜଡ଼ିତ ଥିଲେ। ଅଲଣାହାଟ ହାଇସ୍କୁଲରୁ ସ୍କୁଲ ଶିକ୍ଷା, ଭଦ୍ରକ କଲେଜରୁ ପ୍ରିୟୁ ଏବଂ କଟକର ମଧୁସୂଦନ ଲ’ କଲେଜରୁ ଆଇନରେ ଡିଗ୍ରି କରିଥିଲେ। ଏମ୍‌. ଏସ୍‌ ଲ’ କଲେଜ ଛାତ୍ରସଂସଦର ସଭାପତି ଭାବେ ସେ ନିର୍ବାଚିତ ହୋଇଥିଲେ। ବିଜୁବାବୁଙ୍କ ପ୍ରେରଣାରେ ସେ ନିଖିଳ ଉତ୍କଳ ଛାତ୍ର ସଂଗଠନ ପକ୍ଷରୁ ଲ’ କଲେଜ ଛାତ୍ର ସଂସଦ ସଭାପତି ପାଇଁ ଲଢି ବିଜୟୀ ହୋଇଥିଲେ।  ୧୯୭୪ ମସିହା ବିଧାନସଭା ନିର୍ବାଚନରେ ପ୍ରଥମେ ସ୍ବାଧୀନ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ, ପରାସ୍ତ ହୋଇଥିଲେ। ୧୯୭୭ ମସିହାରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

୧୯୯୦ ନିର୍ବାଚନରେ ଜନତା ଦଳ ପ୍ରାର୍ଥୀ ଭାବେ ବାଲିକୁଦାରୁ ଦ୍ୱିତୀୟଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ। ଏହାପରେ, ସେ କଂଗ୍ରେସ ଦଳ ତରଫରୁ ପ୍ରତିଦ୍ବନ୍ଦ୍ବିତା କରି ୨୦୦୦ ଓ ୨୦୦୪ ମସିହାରେ ନିର୍ବାଚିତ ହୋଇଥିଲେ। ସେ ସମୁଦାୟ ୪ଥର ବିଧାୟକ ଭାବେ ନିର୍ବାଚିତ ହେବାର ଗୌରବ ହାସଲ କରିଛନ୍ତି। ୨୦୧୪ ମସିହା ନିର୍ବାଚନର ପରେପରେ ସେ ବିଜେଡିରେ ଯୋଗଦେଇଥିଲେ ଏବଂ ଶେଷମୁହୂର୍ତ୍ତ ଯାଏ ଏହି ଦଳରେ ଥିଲେ। ଆଜି ତାଙ୍କର ବିୟୋଗ ସହିତ ଦୀର୍ଘ ରାଜନୈତିକ ଜୀବନର ଅନ୍ତ ଘଟିଛି। ଶେଷ ଶଯ୍ୟା ନିକଟରେ ପତ୍ନୀ ରାଜଲକ୍ଷ୍ମୀ ସ୍ୱାଇଁ, ପୁଅ ଚିରାଗ ସ୍ୱାଇଁ, ଝିଅ ପ୍ରିୟଙ୍କା ସ୍ୱାଇଁ(ଅଗ୍ରୱାଲ), ବଡ଼ ଭାଉଜ ମୂର୍ଚ୍ଛନା ସ୍ୱାଇଁ, ପୁତୁରା ରାଜେଶ ସ୍ୱାଇଁ, ରିତେଶ ସ୍ୱାଇଁ, ଝିଆରୀ ରୁପଶ୍ରୀ ସ୍ୱାଇଁ, ରାଜଶ୍ରୀ ସ୍ୱାଇଁ, ବିଜୟ ସ୍ୱାଇଁ, ରଞ୍ଜିତ ସ୍ୱାଇଁ, ରଜିତ୍ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ଉମେଶଙ୍କ ମରଶରୀରକୁ ଆଜି ଭୁବନେଶ୍ୱରରୁ ନାଉଗାଁ ବ୍ଲକ୍ ଦେଇ ବାଲିଭଉଁରି ଛକ, ବାଲିକୁଦା ବଜାର, ତିହିଡି ଓ ମାଛଗାଁ ବଜାର ଦେଇ ତାଙ୍କ ବାସଭବନକୁ ଅଣାଯାଇଥିଲା। ତାଙ୍କୁ ସମ୍ମାନ ପ୍ରଦର୍ଶନ ପୂର୍ବକ ଆଜି ମାଛଗାଁ ବଜାର ବନ୍ଦ ରହିଥିଲା। ମନ୍ତ୍ରୀ ରଘୁନନ୍ଦନ ଦାସ, ବିଧାୟକ ପ୍ରଶାନ୍ତ ମୁଦୁଲି, ବିଧାୟକ ସମ୍ବିତ ରାଉତରାୟ, ବିଧାୟକ ବିଜୟଶଙ୍କର ଦାସ, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ପୂର୍ବତନ ବିଧାୟକ ଡ. ଲଲାଟେନ୍ଦୁ ମହାପାତ୍ର, କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ, ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ସୁପ୍ରିମକୋର୍ଟର ଆଇନଜୀବୀ ଡକ୍ଟର ସୁଶାନ୍ତ କାନୁ‌ନଗୋ, ଓଡିଶା କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ, ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ପିସିସି ସାଧାରଣ ସମ୍ପାଦକ ନଳିନୀ ସ୍ୱାଇଁ ଓ ବିପ୍ଳବ ଚୌଧୁରୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe