ଭୁବନେଶ୍ୱର: କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ ବିଜେପିରେ ସାମିଲ ହୋଇଛନ୍ତି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ଦଳକୁ ସ୍ବାଗତ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ତଥା ବିଜେଡି ନେତା ସରୋଜକାନ୍ତ ସାହୁ ଓ ଡେରାବିଶ ବ୍ଲକ୍ ଅଧ୍ୟକ୍ଷା ପ୍ରଭାତୀ ମଲ୍ଲିକ, ପ୍ରିୟବ୍ରତ ମିଶ୍ର ବିଜେପିରେ ସାମିଲ ହୋଇଛନ୍ତି। ଶ୍ରୀ ସାହୁ ପାଟକୁରା ନିର୍ବାଚନମଣ୍ଡଳୀର ଜଣେ ଟାଣୁଆ ବିଜେଡି ନେତା। ସେ ଚଳିତ ଥର ପାଟକୁରାରୁ ବିଜେଡି ଟିକେଟ୍ ପାଇଁ ବଡ଼ ଦାବିଦାର ଥିଲେ। ତେଣୁ ତାଙ୍କର ବିଜେପିରେ ଯୋଗଦାନ କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତିରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରିବ କଲ୍ୟାଣ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଲେ ବୋଲି ଏହି ନେତାମାନେ କହିଥିଲେ।
ବିଜେପି ରାଜ୍ୟ ସଭାପତିଙ୍କ ସହ ପୂର୍ବତନ ରାଜ୍ୟ ସଭାପତି କେ ଭି ସିଂହଦେଓ ଓ ଅପରାଜିତା ଷଡ଼ଙ୍ଗୀ ନୂଆ ନେତାମାନଙ୍କୁ ସ୍ବାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିନୋଦ ଦାସ, ବିଷ୍ଣୁ ଦାସ, ଜିଲ୍ଲା ସଭାପତି କିଶୋର ପଣ୍ଡା, ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡ଼ା ଓ ସାମାଜିକ ଗଣମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ପୂର୍ବତନ ସାଂସଦ ଶ୍ରୀମତୀ ନାୟକ ୨୦୦୪ ମସିହାରେ ବିଜେଡି ଟିକେଟ୍ରେ କେନ୍ଦ୍ରାପଡ଼ାରୁ ସାଂସଦ ହୋଇଥିଲେ। ୨୦୦୯ରେ ସେ ବିଜେପି ଟିକେଟ୍ରେ ଭୁବନେଶ୍ବରରୁ ଲୋକସଭା ପ୍ରାର୍ଥୀ ହୋଇ ପରାଜୟ ବରଣ କରିଥିଲେ। ୨୦୧୩ ମସିହାରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ଆଜି ପୁନର୍ବାର ସେ ବିଜେପିରେ ଯୋଗ ଦେଇଛନ୍ତି।
Follow Us