କରୋନାରେ ପୂର୍ବତନ ସାଂସଦ ଭାଗୀରଥି ମାଝୀଙ୍କ ପରଲୋକ

Advertisment
କରୋନାରେ ପୂର୍ବତନ ସାଂସଦ ଭାଗୀରଥି ମାଝୀଙ୍କ ପରଲୋକ

ବାରିପଦା : ବିଜେପିର ପୂର୍ବତନ ରାଜ୍ୟସଭା ସାଂସଦ ତଥା ବାରିପଦା ଅର୍ବାନ କୋଅପରେଟିଭ ବ୍ୟାଙ୍କର ପୂର୍ବତନ ସଭାପତି ଭାଗୀରଥି ମାଝୀଙ୍କର ଆଜି ୬୬ ବର୍ଷ ବୟସରେ ଦେହାନ୍ତ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ବାରିପଦା ବାଙ୍କିଶୋଳସ୍ଥିତ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ସ୍ବର୍ଗତ ମାଝୀଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍‌ର ସୁଲେଇପାଟ। ପରିବାର ସହ ସେ ବାରିପଦାରେ ରହୁଥିଲେ। ୨୦୦୬ରୁ ୨୦୧୦ ମସିହା ପର୍ଯ୍ୟନ୍ତ ସେ ରାଜ୍ୟସଭା ସାଂସଦ ଥିବାବେଳେ ୨୦୦୪-୦୬ ଯାଏ ବାରିପଦା ଅର୍ବାନ କୋଅପରେଟିଭ ବ୍ୟାଙ୍କର ସଭାପତି ଭାବେ କାର୍ଯ୍ୟ କରିଥିଲେ। ଏହାଛଡ଼ା ବହୁ ବର୍ଷ ଧରି ସେ ଆର୍‌ଏସ୍‌ଏସ୍‌ର ଜିଲ୍ଲା ସଂଘ ଚାଳକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

ଶ୍ରୀ ମାଝୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକବ୍ୟକ୍ତ କରିବା ସହ ସେ ଜଣେ ରାଷ୍ଟ୍ରବାଦୀ ରାଜନେତା ଥିଲେ ବୋଲି କହିଛନ୍ତି। ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆର୍‌ଏସ୍‌ଏସ୍‌ର ଜିଲ୍ଲା କାର୍ଯ୍ୟବାହ ତୁଷାର ମହାନ୍ତ, ଭିଏଚ୍‌ପିର ଜିଲ୍ଲା ସଭାପତି ଦିବାକର ତ୍ରିପାଠୀ, ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ବରିଷ୍ଠ ବିଜେପି ନେତା ବିଷ୍ଣୁ ଶତପଥୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe