ବିଜେଡି ଛାଡ଼ିଲେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୟାଧର ପରିଡ଼ା

ଦଳୀୟ ଟିକେଟ ଘୋଷଣା ପରେ ନିଷ୍ପତ୍ତି ଶୁଣାଇଲେ

ବିଜେଡି ଛାଡ଼ିଲେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୟାଧର ପରିଡ଼ା

‌ନୟାଗଡ଼: ଖଣ୍ଡପଡ଼ା ବିଜେଡି ପ୍ରାର୍ଥୀ ସାବିତ୍ରୀ ପ୍ରଧାନଙ୍କ ପାଇଁ ଧୀରେ ଧୀରେ ଅଡ଼ୁଆ‌ ବଢ଼ିବାରେ ଲାଗିଛି। ଟିକେଟ୍‌ ‌ଘୋଷଣା ହେଉହେଉ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଓ ସନ୍ଧ୍ୟାରେ ପୂର୍ବତନ ଭାପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୟାଧର ପରିଡ଼ା ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ପରିଡ଼ା ନିଜ ଇସ୍ତଫାପତ୍ରରେ ଦଳର ନେତୃବୃନ୍ଦଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ତୃଣମୂଳସ୍ତରରେ ୧୯୯୭ ମସିହାରୁ ଜଣେ ସାଧାରଣ କର୍ମୀ ଭାବେ ପରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ବ୍ଳକ୍‌ ବିଜୁ ଜନତା ଦଳ ସଭାପତି ଭାବେ କାର୍ଯ୍ୟ କରୁଥିଲେ।

ଦଳର ଉପସଭାପତି ଭାବେ ଦଳୀୟ ସଂଗଠନର ପ୍ରତ୍ୟେକ କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରିଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ସେ ଟିକେଟ ଆଶାୟୀ ଥିବା ବେଳେ ତାଙ୍କୁ ଦଳ ପ୍ରାର୍ଥୀ କଲା ନାହିଁ। ଦଳର ଶୀର୍ଷ ନେତୃତ୍ୱ ବିଭିନ୍ନ ନିର୍ବାଚନ ଓ ସାଧାରଣ ନିର୍ବାଚନରେ ତାଙ୍କୁ ଅସ୍ତ୍ର କରି ଦଳୀୟ ସ୍ବାର୍ଥ ସାଧନ କରି ଆସିଛନ୍ତି। ଦଳରେ ରହି ଦଳକୁ ସୁଦୃଢ କରିବାକୁ ଉତ୍ସର୍ଗୀକୃତ ଭାବେ କାମ‌ କରିବା ପରେ ମଧ୍ୟ ତାଙ୍କ କ୍ରମାଗତ ଅଣଦେଖା କରାଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି। ଦଳର ଏହି ନିଷ୍ପତ୍ତି ଦଳକୁ ସୁଦୃଢ କରିବା ପରିବର୍ତ୍ତେ ଦୁର୍ବଳ କରିବାରେ ଯଥେଷ୍ଟ ଭୂମିକା ନେବ ବୋଲି ସେ କହିଛନ୍ତି। ଖଣ୍ଡପଡ଼ା ମାଟିର ପୁଅ ଭାବେ ମାଟିର ସୁଖ ଦୁଃଖ ଓ ବିଭିନ୍ନ ପରିସ୍ଥିତିରେ ଜନତାଙ୍କ ବିକାଶ ଓ ସ୍ବାଭିମାନ ତାଙ୍କର ମୂଳ ଲକ୍ଷ୍ୟ। ନିଷ୍ଠା ଓ ଖଣ୍ଡପଡ଼ା ବାସୀଙ୍କର ସ୍ବାଭିମାନ, ତାଙ୍କ ପ୍ରତି ଥିବା ଭରସା, ବିଶ୍ବାସ ଓ କର୍ମୀଙ୍କ ମତ ଅନୁସାରେ ସେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି ବୋଲି ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe