ପୂର୍ବତନ ଥାନା ଅଧିକାରୀଙ୍କୁ ୪ ବର୍ଷ ଜେଲ୍‌

Advertisment
ପୂର୍ବତନ ଥାନା ଅଧିକାରୀଙ୍କୁ ୪ ବର୍ଷ ଜେଲ୍‌

କେନ୍ଦୁଝର: ଲାଞ୍ଚ ନେଇ ଧରାପଡ଼ିଥିବା କେନ୍ଦୁଝର ଜିଲ୍ଲା ବାରିଆ ଥାନାର ପୂର୍ବତନ ଥାନା ଅଧିକାରୀ କାଳୁଚରଣ ସ୍ବାଇଁଙ୍କୁ ଆଜି କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ରଶ୍ମିତା ଦଳେଇ ୪ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବାରିଆ ଥାନା ବାସୁଦେବପୁର ଗ୍ରାମର ମନୋରଂଜନ ନାଏକ ୨୦୧୦ରେ ସେହି ଗ୍ରାମର ସରସ୍ବତୀ ନାଏକଙ୍କୁ ବିବାହ କରିଥିଲେ। ସରସ୍ବତୀଙ୍କୁ ଶାଶୂଘର ଲୋକେ ନିର୍ଯାତନା ଦେଉଥିବା ଥାନାରେ ଅଭିଯୋଗ କରିଥିଲେ। ତତ୍କାଳୀନ ଥାନା ଅଧିକାରୀ ଶ୍ରୀ ସ୍ବାଇଁ ୨୦୧୪ ଅକ୍ଟୋବର ୨୦ରେ ସରସ୍ବତୀଙ୍କ ସ୍ବାମୀ ମନୋରଂଜନଙ୍କୁ ଥାନାକୁ ଡକାଇ ଏତଲାରୁ ତାଙ୍କ ବାପାମାଙ୍କ ନାମ କାଟିଦେବା ସହ କୋହଳ ଦଫା ଲଗାଇବେ ବୋଲି କହିଥିଲେ। ଏଥିପାଇଁ ସେ ୧୫ ହଜାର ଟଙ୍କା ମାଗିଥିଲେ।

ଅକ୍ଟୋବର ୨୧ରେ ଏହି ମାମଲାରେ ମନୋରଂଜନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ଶୀଘ୍ର କେସ୍‌ ଡାଇରି କୋର୍ଟକୁ ପଠାଇବା ପାଇଁ ତାଙ୍କ ପରିବାର ଲୋକଙ୍କ ଠାରୁ ଥାନା ଅଧିକାରୀ ଶ୍ରୀ ସ୍ବାଇଁ ୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଅକ୍ଟୋବର ୩୦ରେ ମନୋରଂଜନ ଜାମିନରେ ଆସିଥିଲେ। ଘରକୁ ଫେରି ଥାନା ଅଧିକାରୀ ଶ୍ରୀ ସ୍ବାଇଁଙ୍କୁ ଦେଖା କରିବାକୁ ଯାଇଥିଲେ। ଶ୍ରୀ ସ୍ବାଇଁ ତାଙ୍କ ବାପାମାଙ୍କ ନାମ କାଟିବା ପାଇଁ ମନୋରଂଜନଙ୍କୁ ପୁଣି ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଥାନା ଅଧିକାରୀ ବାରମ୍ବାର ଟଙ୍କା ମାଗୁଥିବାରୁ ୨୦୧୪ ଡିସେମ୍ବର ୧ରେ ମନୋରଂଜନ ଏ ସମ୍ପର୍କରେ ଭିଜିଲାନ୍ସରେ ଜଣାଇଥିଲେ। ସେହିଦିନ ମନୋରଂଜନଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶ୍ରୀ ସ୍ବାଇଁ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିଲେ। ଏହି ମାମଲାରେ କୋର୍ଟ ୧୫ ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ ଆଜି ଶ୍ରୀ ସ୍ବାଇଁଙ୍କୁ ୪ ବର୍ଷ କାରାଦଣ୍ଡ ସହ ୩ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ଦୁଇମାସ ଜେଲ୍‌। ସ୍ବତନ୍ତ୍ର ପିପି ଦେବଦତ୍ତ ବିଶ୍ବାଳ ମାମଲା ପରିଚାଳନା କରୁଥିଲେ। ଶ୍ରୀ ସ୍ବାଇଁଙ୍କ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡର ବାଲିପଦର ଅଞ୍ଚଳରେ। ସେ ୨୦୧୭ ମାର୍ଚ୍ଚ ୩୧ରେ ନନ୍ଦିପଦା ଥାନା ଅଧିକାରୀ ଥିବାବେଳେ କାର୍ଯ୍ୟରୁ ଅବସର ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe