ଜେଲ୍ ଗଲେ ଅବସରପ୍ରାପ୍ତ ରେଞ୍ଜର

Advertisment
ଜେଲ୍ ଗଲେ ଅବସରପ୍ରାପ୍ତ ରେଞ୍ଜର

ପତ୍ନୀଙ୍କ ନାଁରେ ମାମଲା ରୁଜୁ
ଆୟର ୫ ଗୁଣା ବେଆଇନ ସମ୍ପତ୍ତି
ଅବସରର ଦୁଇ ମାସ ପୂର୍ବରୁ ଅଫିସ ଆସୁ ନ ଥିଲେ

ଭୁବନେଶ୍ବର : ଆୟ ବହିର୍ଭୂତ ସମ୍ପତ୍ତ ଠୁଳ ଅଭିଯୋଗରେ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍ ଗିରଫ କରିଥିବା ବାଲୁଗାଁର ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନାଙ୍କୁ ଆଜି କୋର୍ଟଚାଲାଣ କରିଛି। ସନ୍ଧ୍ୟାରେ କୋର୍ଟରେ ହାଜର କରିବା ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି। ଠାବ ହୋଇଥିବା ସମ୍ପତ୍ତି ମଧ୍ୟରୁ ଭୁବନେଶ୍ବର ଫରେଷ୍ଟ ପାର୍କରେ ଥିବା ତିନି ମହଲା କୋଠା ଓ କିଛି ଜମି ତାଙ୍କ ପତ୍ନୀ ସୁବାସିନୀ ଜେନାଙ୍କ ନାଁରେ ରହିଛି। ସୁବାସିନୀଙ୍କ ବିରୋଧରେ ମଧ୍ୟ ଭିଜିଲାନ୍ସ ମାମଲା ରୁଜୁ କରିଛି। ଅଭୟଙ୍କର ସମସ୍ତ ସମ୍ପତ୍ତି ହିସାବ ପରେ ୪ କୋଟି ୬୨ ଲକ୍ଷ ୯୨ ହଜାର ୧୬୫ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି। ଯାହାକି ୨୦୦୦ ମସିହା ଜାନୁଆରୀ ୧ ତାରିଖରୁ ୨୦୨୦ ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଆୟ ବ୍ୟୟ ପରେ ଆହୁରି ୫ ଗୁଣା ଅଧିକ ବୋଲି ଭିଜିଲାନ୍ସ ହିସାବ କରିଛି। ଏତେ ପରିମାଣର ବେଆଇନ ସମ୍ପତ୍ତି କେମିତି ଠୁଳ କଲେ ତାକୁ ନେଇ ଉଠିଛି ପ୍ରଶ୍ନ। ଗତ ମାର୍ଚ୍ଚ ୩୧ ତାରିଖରେ ଅଭୟଙ୍କର ଅବସର ହୋଇଛି। କିନ୍ତୁ ଏହାର ପ୍ରାୟ ଦୁଇମାସ ପୂର୍ବରୁ ସେ ଆଉ ଅଫିସ ଆସୁ ନ ଥିଲେ ବୋଲି ଭିଜିଲାନ୍ସ ତଦନ୍ତକାରୀ ଟିମ୍ ଜାଣିବାକୁ ପାଇଛି। ମାତ୍ର ସେ ସରକାରୀ କ୍ବାର୍ଟର୍ସକୁ ନିଜ ଅକ୍ତିଆରରେ ରଖିଥିଲେ। ଚଢ଼ାଉ ସମୟରେ ଏହା ଜଣା ପଡ଼ିବା ପରେ ସେଠାରେ ମଧ୍ୟ ଛାନଭିନ୍ ହୋଇଥିଲା। ଅବସର ପୂର୍ବରୁ ଭିଜିଲାନ୍ସ ଚଢ଼ଉ ଯୋଜନା ଥିଲେ ମଧ୍ୟ କକୋନା ଯୋଗୁଁ ବିଳମ୍ବ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତ ଠୁଳ ଅଭିଯୋଗରେ ଗତକାଲି ଅଭୟଙ୍କ ଭୁବନେଶ୍ବର ଫରେଷ୍ଟ ପାର୍କରେ ଥିବା ଘର, କଟକ ତୁଳସୀପୁର ମହୁମାଛି ଗଳିରେ ଥିବା ଘର, କେନ୍ଦ୍ରାପଡ଼ା ବଙ୍ଗାଳପୁରରେ ପୈତୃକ ଓ ସମ୍ପର୍କୀୟଙ୍କ ଘରେ ଚଢ଼ଉ ହୋଇଥିଲା। ଚଢ଼ଉ ସମୟରେ ୪ କୋଟି ୩୭ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତ ଠାବ କରିଥିଲା ଭିଜିଲାନ୍ସ। ଉଲ୍ଲେଖଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୯୯୯ରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ଅଭୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe