୪୫ ବର୍ଷ ପରେ ସଂଶୋଧିତ ହେଲା ଓଡ଼ିଶା ବନ ସଂହିତା, ଜଙ୍ଗଲ ବିଭାଗ ୮ଟି ଆଞ୍ଚଳିକ ସର୍କଲରେ ବିଭକ୍ତ

Advertisment
୪୫ ବର୍ଷ ପରେ ସଂଶୋଧିତ ହେଲା ଓଡ଼ିଶା ବନ ସଂହିତା, ଜଙ୍ଗଲ ବିଭାଗ ୮ଟି ଆଞ୍ଚଳିକ ସର୍କଲରେ ବିଭକ୍ତ

image source--sambad english

ଭୁବନେଶ୍ୱର : ସଂଶୋଧିତ ହୋଇଛି ଓଡ଼ିଶା ବନ ସଂହିତା। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସଂଶୋଧନ ପ୍ରସ୍ତାବକୁ ଆଜି ମଞ୍ଜୁର କରିଛନ୍ତି। ୧୯୭୯ ମସିହାରେ ପ୍ରଣୟନ କରାଯାଇଥିବା ଏହି ବନ ସଂହିତା ୪୫ ବର୍ଷ ପରେ ସଂଶୋଧିତ ହୋଇଛି। ଏହା ସରକାରଙ୍କ ୫‘ଟି’ର ଅଂଶବିଶେଷ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି।

ସଂଶୋଧିତ ବନ ସଂହିତା ଅନୁଯାୟୀ, ଜଙ୍ଗଲ ଓ ପରିବେଶ ବିଭାଗର ସବୁ ସ୍ତରରେ ଉତ୍ତରଦାୟିତ୍ବ ବ୍ୟବସ୍ଥା ସହିତ ରାଜ୍ୟ ସମନ୍ବିତ ଆର୍ଥିକ ପରିଚାଳନା ସହ ଯୋଡ଼ି ହେବ। ବନାଞ୍ଚଳ ଓ ବ୍ୟାଘ୍ର ସଂରକ୍ଷଣ ବାହାରେ କରାଯାଉଥିବା ନିର୍ମାଣ ଓ ମରାମତି ଆଦି କାର୍ଯ୍ୟର ଟେଣ୍ଡର ଆହ୍ବାନ ପ୍ରକ୍ରିୟାକୁ ସ୍ବଚ୍ଛ କରିବା ଲକ୍ଷ୍ୟରେ ଏହି ବ୍ୟବସ୍ଥା କରାଯାଇଛି। ଏହାଦ୍ବାର ବିଭାଗୀୟ କ୍ଷେତ୍ର ଅଧିକାରୀମାନଙ୍କର ନିର୍ମାଣ ଓ ମରାମତି କାର୍ଯ୍ୟ ପାଇଁ ପୂର୍ବ ପ୍ରଚଳିତ ଅଗ୍ରିମ ରାଶି ପ୍ରଦାନ କ୍ଷମତାକୁ ସଂକୁଚିତ କରାଯାଇଛି। ଓଡ଼ିଶା ସରକାରଙ୍କ ବିଭାଗୀୟ ନିୟମାବଳି ଆଧାରରେ ଜିଲ୍ଲାପାଳ, ଆଞ୍ଚଳିକ ଉନ୍ନୟନ କମିସନର ଓ ବିଭାଗୀୟ ମୁଖ୍ୟ, ବନାଞ୍ଚଳ ଅଧିକାରୀ, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଓ ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କୁ ବିତ୍ତୀୟ କ୍ଷମତା ମିଳିବ। ଉତ୍ତମ ପ୍ରଶାସନ ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ଜଙ୍ଗଲ ବିଭାଗକୁ ୮ଟି ଆଞ୍ଚଳିକ ସର୍କଲରେ ବିଭକ୍ତ କରାଯାଇଛି। ଅନୁଗୁଳ, ବାରିପଦା, ବ୍ରହ୍ମପୁର, ଭବାନୀପାଟଣା, ଭୁବନେଶ୍ବର, କୋରାପୁଟ, ରାଉରକେଲା ଓ ସମ୍ବଲପୁର ବନାଞ୍ଚଳ ସର୍କଲ ୮ଟି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତତ୍ତ୍ବାବଧାନରେ ରହିବ। ଅନୁଗୁଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଅଧୀନରେ ସାତକୋଶିଆ ବ୍ୟାଘ୍ର ରିଜର୍ଭ ଓ ବାରିପଦା ଆଞ୍ଚଳିକ ବନ ସଂରକ୍ଷକଙ୍କ ଅଧୀନରେ ଶିମିଳିପାଳ ବ୍ୟାଘ୍ର ରିଜର୍ଭ କ୍ଷେତ୍ର ରହିବ। ଏହା ବ୍ୟତୀତ ଗୋଟିଏ ଆଞ୍ଚଳିକ ଅଣ ବନାଞ୍ଚଳ ସର୍କଲ କଟକଠାରେ ରହିବ। ଯାହା କେବଳ ପ୍ରଶିକ୍ଷଣ ଓ ଉନ୍ନୟନ ପାଇଁ ଉଦ୍ଦିଷ୍ଟ ରହିବ। ସତୁରି ପୃଷ୍ଠା ସମ୍ବଳିତ ୨୦୨୦ ବନ ସଂହିତା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର କାର୍ଯ୍ୟାବଳୀକୁ ସୁସଂହତ ଓ ପରିବ୍ୟାପ୍ତ କରିବା ଉଦ୍ଦେଶ୍ୟରେ ସଂଶୋଧନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe